ଯୋଗୀଙ୍କ ବିଧାୟକଙ୍କୁ ରାତି ସାରା ଶୁଆଇ ଦେଲେନି ସିବିଆଇ ଅଧିକାରୀ ! କାନ୍ଦି ପକାଇଲେ ବିଧାୟକ କୁଳଦୀପ, ଅନ୍ୟପଟେ କାଠୁଆ ପାଇଁ ଜାତିସଂଘର କାଠଗଡାରେ ଭାରତ

21

କାଶ୍ମୀରର କାଠୁଆରେ ୮ବର୍ଷର ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣା ଦେଶ ପାଇଁ ବଡ ଲଜ୍ଜା ଆଣିଛି । ଘଟଣାକୁ ଅତ୍ୟନ୍ତ ଭୟାନକ ବୋଲି କହିଛି ଜାତିସଂଘ । ସେପଟେ ଫାଷ୍ଟ ଟ୍ରାକ୍ କୋର୍ଟରେ ୯୦ ଦିନ ଭିତରେ ବିଚାର ପ୍ରକ୍ରିୟା ଶେଷ ହେବ ବୋଲି ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି କହିଛନ୍ତି । ଦେଶ ପାଇଁ ଆଉ ଏକ ଲଜା ଆଣିଥିବା ଉତରପ୍ରଦେଶର ଉନାଓରେ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାରେ ବିଧାୟକଙ୍କୁ ୭ ଦିନିଆ ରିମାଣ୍ଡରେ ନେଇଛି ପୋଲିସ ।

କାଶ୍ମୀରର କାଠୁଆରେ ୮ ବର୍ଷର ନାବାଳିକା ପ୍ରତି ଦୁଷ୍କର୍ମ ଓ ହତ୍ୟା ଘଟଣା ଅତ୍ୟନ୍ତ ଭୟାବହ । ଏଥିପାଇଁ ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବା ଉଚିତ । ସାରା ଦେଶର ମୁଣ୍ଡ ତଳକୁ ନୁଆଁଇ ଦେଇଥିବା କାଠୁଆ ଘଟଣା ଜାତିସଂଘରେ ପହଁଚିଛି । ନାବାଳିକା ପ୍ରତି ପାଶବିକ ଅତ୍ୟାଚାର ନେଇ ଗଭୀର ଉଦବେଗ ପ୍ରକାଶ କରି ଦୋଷୀଙ୍କୁ କଠୋର ଦଣ୍ଡ ଦେବାକୁ ଭାରତକୁ ପରାମର୍ଶ ଦେଇଛନ୍ତି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ । ଅନ୍ୟପଟେ ରାଜରାସ୍ତାରେ ଜୋର୍ ଧରୁଛି ପ୍ରତିବାଦ । କୋଲକାତାରେ ନାବାଳିକା ପ୍ରତି ଶ୍ରଦ୍ଧାଂଜଳି ଜଣାଇ କ୍ୟାଣ୍ଡଲ ରାଲି କରାଯିବା ସହ ପୀଡିତାଙ୍କୁ ନ୍ୟାୟ ଦେବାକୁ ଦାବି ହୋଇଛି ।

ଗୋଟିଏ ପଟେ ପୀଡିତାଙ୍କୁ ନ୍ୟାୟ ଦେବାକୁ ରାସ୍ତା ଉପରେ ଆନ୍ଦୋଳନ ଓ ବିକ୍ଷୋଭ, ଅନ୍ୟପଟେ କାଶ୍ମୀରରେ ମେଂଟ ସରକାର ପ୍ରତି ବଢୁଛି ସଙ୍କଟ । ମେହବୁବା ମୁଫତି କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି ଦୁଇ ବିଜେପି ମନ୍ତ୍ରୀ ଚନ୍ଦ୍ର ପ୍ରକାଶ ଗଙ୍ଗା ଏବଂ ଚୌଧୁରୀ ଲାଲ ସିଂ । ତେବେ ମେଂଟ ସରକାର ପ୍ରତି କୌଣସି ସଙ୍କଟ ନଥିବା କହିଛନ୍ତି ଜାମ୍ମୁ କାଶ୍ମୀର ଦାୟିତ୍ୱରେ ଥିବା ବରିଷ୍ଠ ନେତା ରାମ ମାଧବ ।

ଏହାସହ ରାଜନୈତିକ ବାତାବରଣକୁ ଉଷ୍ମ କରିଥିବା ଉନ୍ନାଓ ଘଟଣାରେ ପୀଡିତା ଓ ପରିବାରର ବୟାନ ରେକର୍ଡ କରିଛି ସିବିଆଇ । ଅଭିଯୁକ୍ତ ବିଧାୟକ କୁଲଦୀପ ସିଂ ସେଂଗରଙ୍କୁ ମାରାଥନ୍ ଜେରା କରିଛି ସିବିଆଇ । ମିଳିଥିବା ସୂଚନା ଅନୁସାରେ ସିବିଆଇ ଅଧିକାରୀଙ୍କ ଆଗରେ ସାରା ରାତି କାନ୍ଦିଥିଲେ ବିଧାୟକ । ଆଉ ବିଧାୟକଙ୍କୁ ଟିକେ ବି ଶୋଇବାକୁ ଦେଇନଥିଲେ ସିବିଆଇ ଅଧିକାରୀ । ୮ଟି ଟିମ୍ ଦୁଇ ଦୁଇ ଘଂଟା କରି ପ୍ରାୟ ଦେଢଶହ ପ୍ରଶ୍ନ କରିଥିଲା ବିଧାୟକ କୁଲଦୀପ ସିଂଙ୍କୁ ।