ବିିହାର ସପ୍ତମ ଶ୍ରେଣୀ ପରୀକ୍ଷାରେ ବିବାଦୀୟ ପ୍ରଶ୍ନ : କାଶ୍ମୀର ଭାରତର ନୁହେଁ !

93

କାଶ୍ମୀର ଭାରତର ଅବିଛେଦ୍ୟ ଅଙ୍ଗ । କୌଣସି ପରିସ୍ଥିତିରେ କାଶ୍ମୀରରୁ ଇଂଚେ ଜମି କାହାରିକୁ ଦିଆଯିବ ନାହିଁ ବୋଲି ଭାରତର ଅନେକ ନେତା କହିଥିବା ବେଳେ ବିହାର ପ୍ରଶ୍ନପତ୍ରରେ ବିବାଦୀୟ ପ୍ରଶ୍ନକୁ ନେଇ ବିତର୍କ ଆରମ୍ଭ ହୋଇଯାଇଛି ।  ବିହାର ଶିକ୍ଷାବିଭାଗ ବରିଷ୍ଠ ଅଧିକାରୀଙ୍କ ମତରେ ଜମ୍ମୁ ଓ କାଶ୍ମୀର ଭାରତର ଅଂଶ ନୁହେଁ । ଏହା ଏକ ସ୍ୱତନ୍ତ୍ର ଦେଶ । ସମସ୍ତ ସରକାରୀ ବିଦ୍ୟାଳୟର ସପ୍ତମ ଶେଣ୍ରୀ ଛାତ୍ରଛାତ୍ରୀଙ୍କ ପାଇଁ କରାଯାଇଥିବା ପ୍ରଶ୍ନପତ୍ରରେ ଲେଖାଯାଇଛି ଚୀନ୍, ନେପାଳ, ଇଂଲଣ୍ଡ, କାଶ୍ମୀର ଓ ଭାରତରେ ରହୁଥିବା ଲୋକଙ୍କୁ କଣ କୁହାଯାଏ? ସର୍ବଶିକ୍ଷା ଅଭିଯାନ ଦ୍ୱାରା ପରିଚାଳିତ ପରୀକ୍ଷାରେ ବିହାର ଶିକ୍ଷାବିଭାଗ ଅଧୀନ ବିହାର ଏଜୁକେଶନ ପ୍ରୋଜେକ୍ଟ କାଉନସିଲ ପ୍ରଶ୍ନ ପ୍ରସ୍ତୁତ କରିଥିଲା । ଅକ୍ଟୋବର ୫ରେ ଆରମ୍ଭ ହୋଇଥିବା ପରୀକ୍ଷା ଆଜ ସରୁଛି ।

ବିହାର ବୈଶାଳୀ ଜିଲ୍ଲାର ଜଣେ ଛାତ୍ର ଏଭଳି ତ୍ରୁଟି ହୋଇଥିବା ନେଇ ଲୋକଲୋଚନକୁ ଆଣିଥିଲା ।  ପ୍ରଶ୍ନପତ୍ରରେ ତ୍ରୁଟି ନେଇ ବୈଶାଳୀ ଜିଲ୍ଲା ଶିକ୍ଷାଧିକାରୀଙ୍କ ପଚାରିବାରୁ ସେ କହିଛନ୍ତି ମୁଁ ଛୁଟିରେ ଥିଲି, ଘଟଣାର ଅନୁସନ୍ଧାନ କରିବି । ସେପଟେ ବିଇପିସିର ଷ୍ଟେଟ ପ୍ରୋଗ୍ରାମ ଅଫିସର ପ୍ରେମ ଚନ୍ଦ୍ରା କହିଛନ୍ତି ଏଭଳି ତ୍ରୁଟି ନେଇ ଅବଗତ ଅଛି । ଏହା ଦୁଃଖଦାୟକ । ତେବେ ଏହା ମୁଦ୍ରଣ ଜନିତ ତ୍ରୁଟି ବୋଲି ସେ କହିଛନ୍ତି । ବିପିଇସି ବିଭିନ୍ନ ସ୍ଥାନରେ ପ୍ରଶ୍ନପତ୍ର ଛପାଇଥିଲା, କୌଣସି ସ୍ଥାନରେ ତ୍ରୁଟି ରହିଯାଇଥିବ ।

ପ୍ରଶ୍ନରେ ଏଭଳି ତ୍ରୁଟି ନେଇ କୌଣସି ଅଧିକାରୀ କିପରି ଜାଣିପାରିଲେ ନାହିଁ ତାକୁନେଇ ସନ୍ଦେହ ସୃଷ୍ଟି ହୋଇଛି । କିଏ ଏଭଳି ପ୍ରଶ୍ନ ପ୍ରସ୍ତୁତ କରିଥିଲେ ? ପ୍ରଶ୍ନ ପ୍ରସ୍ତୁତ ସରିବା ପରେ କେହି ଉପଯୁକ୍ତ ଯାଂଚ କରିଥିଲେ କି ନାହିଁ ? ଏହା ଦ୍ୱାରା ବିହାର ଶିକ୍ଷା ବିଭାଗ କୋମଳମତି ଛାତ୍ରଛାତ୍ରୀଙ୍କୁ କଣ ଶିକ୍ଷାଦେବାକୁ ଚାହୁଁଛନ୍ତି  ? ରାଜ୍ୟ ସରକାର ତ୍ରୁଟି ଜାଣିଲା ପରେ କାହିଁକି କାର୍ଯ୍ୟାନୁଷ୍ଠାନଗ୍ରହଣ କରିନାହାଁନ୍ତି କାହିଁକି ?

କାଶ୍ମୀର ଭାରତର ଅବିଛେଦ୍ୟ ଅଂଗ । ବହୁ ଦିନରୁ ଏହାକୁ ନେଇ ଅନେକ ବିବାଦ ଲାଗିରହିଛି । ପ୍ରତିଦିନ ଭାରତର ଅନେକ ନିରୀହ ଲୋକଙ୍କ ସହ ଅନେକ ସୁରକ୍ଷାକର୍ମୀ ମୃତ୍ୟୁବରଣ କରୁଛନ୍ତି । ଅନେକ ରକ୍ତପାତ ହେଉଛି । ଭାରତ ସରକାର ଜମ୍ମୁ ଓ କାଶ୍ମୀରର ବିକାଶ ତଥା ଶାନ୍ତିରେ ଜୀବନ ବିତାଇବା ପାଇଁ ଅନେକ ଚେଷ୍ଟା କରୁଥିବା ବେଳେ ବିହାରର ସପ୍ତମ ଶ୍ରେଣୀ ପରୀକ୍ଷା ପ୍ରଶ୍ନର ତ୍ରୁଟି ଭାରତ ସରକାରଙ୍କ ପାଇଁ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଛି । ଲଜ୍ଜିତ ହୋଇଛି ବିହାର ସରକାରଙ୍କ ଶିକ୍ଷା ବିଭାଗ । ଧରାପଡିଛି ବରିଷ୍ଠ ଅଧିକାରୀଙ୍କ ପାରିବାପଣିଆ । ଆଶା କରିବା ବିହାର ସରକାର ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନଗ୍ରହଣ କରିବେ ।

ସୌଜନ୍ୟ- ଟାଇମ୍ସ ଅଫ ଇଣ୍ଡିଆ