ବଜାର ପ୍ରବେଶ ପାଇଁ ପ୍ରସ୍ତୁତ କାଶ୍ମୀର ସେଓ ! ୭ହଜାର କୋଟି ଟଙ୍କାର ବ୍ୟବସାୟ ଲକ୍ଷ୍ୟ, ଉତ୍ପାଦନ ହୋଇଛି ୧୮ଲକ୍ଷ ମେଟ୍ରିକ୍ ଟନ୍ ସେଓ ।
କନକ ବ୍ୟୁରୋ : ବଜାରପ୍ରବେଶ ପାଇଁ ପ୍ରସ୍ତୁତ ହେଲା କାଶ୍ମୀରର ସେଓ । ଅନୁକୁଳ ଜଳବାୟୁ, କୃଷି ବିଭାଗର ଚେଷ୍ଟା ଓ ଚାଷୀଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁ ଚଳିତ ବର୍ଷ ଜାମ୍ମୁ କାଶ୍ମୀରରେ ସେଓ ଭଲ ଅମଳ ହୋଇଛି । ଆଉ ବଜାରରେ କାଶ୍ମୀର ସେଓର ଚାହିଦା ଥିବାରୁ ସେଓଚାଷୀଙ୍କ ମୁହଁରେ ଖେଳିଯାଇଛି ଖୁସି ।
Kanak News is now on WhatsApp
Join and get latest news updates delivered to you via WhatsApp
ଚାଷୀ ମୁହଁରେ ହସ ଖେଳାଇଲା ସୁନାର ଫସଲ । ବଜାର ପ୍ରବେଶ ପାଇଁ ପ୍ରସ୍ତୁତ କାଶ୍ମିରୀ ସେଓ । ଅନୁକୁଳ ଜଳବାୟୁ ଆଉ ଚାଷୀ ଭାଇର ଜିତୋଡ୍ ମେହନତ୍ ଶେଷକୁ ସୁଫଳ ଦେଇଛି । ମାଟିରେ ସୁନାର ଫସଲ ଦେଖି ଚାଷୀ ଭାଇର ମୁହଁରେ ଖେଳିଯାଇଛି ଖୁସିର ଲହରି । ବଜାରରେ କାଶ୍ମିରୀ ସେଓ ଉଚ୍ଚା ଦରରେ ବିକ୍ରି ହେଉଥିବାରୁ ଦି ପଇସା ରୋଜଗାର କରିବାକୁ ଫିଟିଯାଇଛି ବାଟ । କାଶ୍ମୀରରେ ଏବେ ସେଓ ଅମଳର ଋତୁ ଆଉ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଭଲ ଅମଳ ହୋଇଛି ସେଓ । ଜାମ୍ମୁ କାଶ୍ମୀରର ସୋପିୟାନ୍, ବାରମୁଳା, ଅନନ୍ତନାଗ, ଗନ୍ଦେରବାଲ୍ ପରି ଅଂଚଳ ସୁଆଦିଆ ସେଓ ପାଇଁ ଖୁବ ଜଣାଶୁଣା । ଆଉ ଚଳିତ ବର୍ଷ ଏହି ସବୁ ଅଂଚଳରେ ଭଲ ଅମଳ ହୋଇଛି ଉଚ୍ଚ ଚାହିଦାଯୁକ୍ତ ସେଓ ।
ଦେଖିବା କାଶ୍ମିରୀ ସେଓର ଚଳିତ ବର୍ଷର କାହାଣୀ :
ଚଳିତ ବର୍ଷ ଜାମ୍ମୁ କାଶ୍ମୀରର ୧ ଲକ୍ଷ ୪୫ ହଜାର ହେକ୍ଟର୍ ଜମିରେ ସେଓ ଚାଷ ହୋଇଛି ।
ପାଖାପାଖି ୧୮ ଲକ୍ଷ ମେଟ୍ରିକ୍ ଟନ୍ ସେଓ ଚଳିତ ବର୍ଷ ଉତ୍ପାଦନ ହୋଇଛି ।
ସେଓରୁ କାଶ୍ମୀର ଉଦ୍ୟାନ କୃଷି ବିଭାଗ ୭ ହଜାର କୋଟି ଟଙ୍କାର ବ୍ୟବସାୟ ଲକ୍ଷ୍ୟ ରଖିଛି ।
ସବୁଠୁ ଅଧିକ ଚାହିଦା ଥିବା ମହାରାଜି ଓ ଚମ୍ବୁରା ସେଓ ଚଳିତ ବର୍ଷ ଭଲ ଅମଳ ହୋଇଛି ।
ରାଜ୍ୟର ଅର୍ଥକରୀ ଫସଲ ଭାବେ ସେଓ ଲକ୍ଷ ଲକ୍ଷ ଲୋକଙ୍କୁ ରୋଜଗାର ଦେଇପାରିଛି ।
ମାଇଲ୍ ମାଇଲ୍ ବ୍ୟାପୀ ସେଓର ସୁନାର ଫସଲ୍ । ଯେଉଁ ଗଛରେ ଦେଖିଲେ ଭର୍ତି ହୋଇଛି ସେଓ । ନୂଆ ପ୍ରଜାତିର ସେଓ ଚାଷ ତଥା ଅତ୍ୟାଧୁନିକ କୌଶଳର ବ୍ୟବହାର ଚାଷୀକୁ କରିଛି ଲାଭବାନ । ଆଉ ସେଓ କିଣାବିକା, ରପ୍ତାନୀକୁ ନେଇ ଜାମ୍ମୁ କାଶ୍ମୀରର ସେଓ ମଣ୍ଡି ଚଳଚଂଚଳ ହୋଇ ଉଠିଛି ।