ଗାଁ ସମସ୍ୟା ନେଇ ବିକ୍ଷୋଭ । ଅଭିଯୋଗ ପରେ ବି ସମାଧାନ ନ ହେବାରୁ ଇଚ୍ଛାମୃତ୍ୟୁ ମାଗିଲେ କାହ୍ନୁଗୁଡା ଗାଁର ଲୋକ

62

କନକ ବ୍ୟୁରୋ : ବିଭିନ୍ନ ମୌଳିକ ସୁବିଧାରୁ ବଂଚିତ ରହିଛନ୍ତି ଗାଁର ଲୋକେ । ବଣ ପାହାଡ ଘେରା ଏହି ଗାଁରେ ୭୭ ବର୍ଷ ପରେ ବି ସ୍ଥିତିରେ ସୁଧାର ନାହିଁ । ରାୟଗଡା ଜିଲ୍ଲା କାଶିପୁର ବ୍ଳକ କାହ୍ନୁଗୁଡା ଗାଁ । ଯେଉଁଠି ଭଲ ରାସ୍ତାଟିଏ ନଥିବାରୁ ଲୋକେ ବହୁ ଅସୁବିଧା ଭୋଗୁଛନ୍ତି । ଗାଁରେ ୧୫୦ ପରିବାର ରହୁଥିବା ବେଳେ ଗୁରୁତର ଅବସ୍ଥାରେ ରୋଗୀଟିଏ ନେବା ମୁସ୍କିଲ ହୋଇପଡେ । ଖରାଦିନରେ ବି ନଦୀରେ ଅଂଟାଏ ପାଣିରେ ପଶି ଲୋକେ ଯିବାଆସିବା କରନ୍ତି । ଆଉ ବର୍ଷା ଦିନରେ ସ୍ଥିତି ସମ୍ପୁର୍ଣ୍ଣ ବେହାଲ ହୋଇପଡେ । ଦୀର୍ଘ ବର୍ଷ ଧରି ଅଙ୍ଗନବାଡି ଓ ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ତାଲା ଝୁଲୁଛି । ପିଇବା ପାଣି ପାଇଁ ମଧ୍ୟ ସମସ୍ୟା ଅନେକ । ଗୋଟିଏ ବି ନଳକୂପ ନଥିବାରୁ ନଦୀ ଉପରେ ନିର୍ଭର କରିଥାନ୍ତି ଲୋକେ । ଯାହାଫଳରେ ଲୋକେ ରୋଗାକ୍ରାନ୍ତ ହୋଇପଡୁଛନ୍ତି । ତା ସହିତ ଗାଁରେ ଶିକ୍ଷାବ୍ୟବସ୍ଥା ମଧ୍ୟ ବିପର୍ଯ୍ୟସ୍ତ ହୋଇପଡିଛି ।

ମୌଳିକ ସୁବିଧା ଯୋଗାଇଦେବା ପାଇଁ ବହୁବାର ଅନୁରୋଧ କରି ନିରାଶ ହୋଇଛନ୍ତି ଗାଁର ଲୋକେ । ଶେଷରେ ଏକାଠି ହୋଇ ସତ୍ୟାଗ୍ରହରେ ବସିବାକୁ କହିଛନ୍ତି । ଖୁବଶୀଘ୍ର ସେମାନଙ୍କ ଦାବୀ ପୂରଣ ନହେଲେ ସାମୂହିକ ଇଛା ମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କ ନିକଟକୁ ଅନୁମତି ପାଇଁ ଦାବି କରିବାକୁ କହିଛନ୍ତି କାହ୍ନୁଗୁଡା ବାସୀ ।

ସମସ୍ୟା ଭିତରେ ରହିଥିବା ଏହି ଗାଁର ଲୋକଙ୍କୁ ସମସ୍ତ ସବୁିଧା ଯୋଗାଯାଇପାରିଲେ ଗାଁର ଲୋକମାନେ ଉପକୃତ ହୋଇପାରିବେ ।