ମା’ ଆସିବେ ବୋଲି… ଧରଣୀରାଣୀ ଘୋଡ଼େଇ ହୋଇଛି ଧଳା ଚାଦର । ଶରତ ଋତୁର ପହିଲି ଛୁଆଁ, କବି ତୁଣ୍ଡେ କାଶତଣ୍ଡୀ କରୁଛି କିମିଆ…

437

କନକ ବ୍ୟୁରୋ: କାଶତଣ୍ଡୀ ଆବିଳତାର ଅନ୍ୟ ନାଁ, ପାର୍ବଣ ଶୀତଳର ପହିଲି ଛୁଆଁ । ସାଧବ ବୋହୁ ପରି ସ୍ୱଚ୍ଛତା ଋତୁ ଶରତକୁ ଦିଏ ସଜେଇ । ମହିଷାମର୍ଦ୍ଦିନୀ ଆସିବେ ବୋଲି ଆଗୁଆ ଆଗମନ କରି ମାନଭଞ୍ଜନ କରିଥାଏ କାଶତଣ୍ଡୀ । ନଦୀ ପଠାରୁ ରାସ୍ତାକଡ଼ ସବୁଠି ବୁଣି ହୋଇଛି ଧଳା ମୂରୁଜ ପରି ଧୋବ ଫରଫର ଏ ଫୁଲ । ଆଉ ତାକୁ ଦେଖି ଭାବବିହ୍ୱଳ ହୋଇପଡ଼ିଛନ୍ତି କବି ।

କୁଳୁକୁଳୁ ପବନ ସାଙ୍ଗକୁ ବଂଶଧାରା ନଦୀ କୂଳରେ କାଶତଣ୍ଡୀ ଖିଲି ଖିଲି ହୋଇ ହସୁଛି । ଏଫୁଲ ପୂଜା ପାଏନି ସତ ହେଲେ ବାସ୍ନା ବିହିନ ଫୁଲ ଅନେକଙ୍କୁ ବାୟା କରିଥାଏ । ପିଲାଠୁ ବୁଢ଼ା, ପ୍ରେମିକା-ପ୍ରିୟତମା ସଭିଏଁ ଏ ଫୁଲରେ ସୃଙ୍ଗାର ହେବାକୁ ଆବେଗମୟ ହୋଇଯାଆନ୍ତି । ସେଥିପାଇଁ ତ ଜହ୍ନର ଶୀତଳ ଛୁଆଁ ହେଉ କି ସୁରୁଜର ସକାଳ କିରଣ, ଶୁଭ୍ର ସେଜ ପରି ନଦୀପଠାରେ ଶୋଇ କଣେଇ କଣେ ଚାହିଁ ରହିଥାଏ କାଶତଣ୍ଡୀ ।

ସେ ଯାହା ହେଉ କାଶତଣ୍ଡୀ ଏମିତି ଏକ ଫୁଲ ପାର୍ବଣ ଆଗମନର ବାର୍ତ୍ତା ଦେବା ସହ ନଦୀ ସହରର ସୌନ୍ଦର୍ଯ୍ୟତାକୁ ଅନନ୍ୟ ରୂପ ଦେଇଥାଏ । ପୃଥ୍ୱିବୀ ରାଣୀର ଗର୍ଭକୁ ଧଳା ଚାଦରରେ ଢ଼ାଙ୍କି ଦେବା ସହ ଦାର୍ଶନିକଙ୍କଠୁ ଧୀବର, କବିଙ୍କଠୁ ଦାର୍ଶନିକ, କାଶତଣ୍ଡୀର କଅଁଳିଆ ସ୍ପର୍ଶକୁ କବିତାର ଅଙ୍କରେ କିଏ ଆଙ୍କିଥାଏ ତ ଆଉ କିଏ ତାହାକୁ ସୃଙ୍ଗାର କରି ବର୍ଣ୍ଣନା କରିଦିଏ ।