କାଶତଣ୍ଡୀ ଫୁଟିଲାଣି, ପାର୍ବଣ ପାର୍ବଣ ବାସିଲାଣି । ମାଆ ଆସୁଛନ୍ତି ବୋଲି ବାର୍ତ୍ତା ନେଇ ବାଟସାରା ବିଞ୍ଚି ହେଲାଣି ବାସହୀନ ଫୁଲେଇ ଫୁଲ...

କାଶତଣ୍ଡୀ ଫୁଟିଲାଣି, ପାର୍ବଣ ପାର୍ବଣ ବାସିଲାଣି । ମାଆ ଆସୁଛନ୍ତି ବୋଲି ବାର୍ତ୍ତା ନେଇ ବାଟସାରା ବିଞ୍ଚି ହେଲାଣି ବାସହୀନ ଫୁଲେଇ ଫୁଲ...

ଧରଣୀ ଛାତିରେ ଫୁଟିଲାଣି ଦେଖ
ଧବଳ ରଙ୍ଗର ହୀରା
ବାସ ତାର ନାହିଁ, ବିମୋହିତ କରେ
ମନମୁଗ୍ଧ ତା ଚେହେରା...

ନା ସିଏ ବଗିଚାରେ ଫୁଟେ, ନା ସିଏ ଘର ଅଗଣାରେ ଫୁଟେ । ନା ବି ଫୁଟେ ଛାତ ଉପରେ... ବାଟଘାଟ, ବିଲମାଳ, ନଈକୂଳ, ଅପନ୍ତରା ଇଲାକାରେ ଫୁଟି ଆକର୍ଷଣର ପେଣ୍ଠସ୍ଥଳ ପାଲଟେ, ଫୁଲକା ଫୁଲକା ପବନର ଢେଉରେ ଦୋଳି ଖେଳି ଖେଳି କେବେ କେବେ ବାଟୋଇକୁ ଆଖିମାରି ଆନମନା କରେ- ଶରତର କାଶତଣ୍ଡୀ, ସମ୍ଭାରର କାଶତଣ୍ଡୀ, ପ୍ରୀତି, ପ୍ରେମ, ପାର୍ବଣର କାଶତଣ୍ଡୀ...

ନୀଳ ଆକାଶର ଛାତି ଉପରେ ଭସା ଭସା ମେଘର ମେଲଣ... ମାଟିର ମଲାଟ ଉପରେ ଧଳା ଧଳା ଫୁଲର ସମ୍ଭାର । ନଈର ଗର୍ଭରେ ନାହିଁ ବନ୍ୟାର ଚିହ୍ନବର୍ଣ୍ଣ । ପାଣିର ପ୍ରଳୟ ପରେ ପରେ ଏବେ ନଦୀପଠାରେ ଖାଲି ପ୍ରୀତିର ଚୁମ୍ବନ । ଯେମିତି ପାଣି ପବନ ସହ ସନ୍ଧି କରି ନଦୀ ଛାତିରେ ଚହଲା ମାରେ, ଠିକ୍ ସେମିତି ଶରତର ସୁଲୁସୁଲିଆ ବାଆ ସହ ସମ୍ପର୍କ ବାନ୍ଧି କାଶତଣ୍ଡି ଝୁଲିଝୁଲି ଗାଉଛି ଫୁରସତର ଗୀତ । ଆଃ- କେଡେ ସୁନ୍ଦର କାଶତଣ୍ଡୀର କାବ୍ୟମୟ ସଙ୍ଗୀତ ।

ଶରତର ଆଗମନୀରେ ଧରଣୀ ବାନ୍ଧିଲାଣି କାଶତଣ୍ଡୀର ବେଣୀ । ଖୋସାରେ ଖୋସିଲାଣି ଧୋବ ଫରଫର ଫୁଲ । ଆଉ ମାଟିର ସେ ଲାଜେଇ ହସ ଦେଖି ଆକାଶ ବି ହୃଦୟ ଦେବାକୁ ବସିଲାଣି... ଏଇତ କାଶତଣ୍ଡୀର ସ୍ୱତନ୍ତ୍ରତା, ଏଇତ ବାସହୀନ ଫୁଲେଇ ଫୁଲର ମାଦକତା । ଯେଉଁଠି ପ୍ରକୃତିରାଣୀ କାଶତଣ୍ଡୀ ଜରିଆରେ ମାନବ ଜାତିକୁ ବାର୍ତ୍ତା ଦିଏ ମାଆ ଜଗଦମ୍ବାଙ୍କ ଆଗମନୀର । ମାଆ ଆସୁଛନ୍ତି, ଜଗତ ଜନନୀ ଧରାବତରଣ କରୁଛନ୍ତି ଏହି ସୁମ୍ବାଦ ନେଇ ବାଟେଘାଟେ ଫୁଟେ କାଶତଣ୍ଡୀ ଫୁଲ ।

କଟକ ନିଆଳି ରାସ୍ତା କଡରେ ପଥିକଙ୍କୁ ସ୍ୱାଗତ କରୁଛନ୍ତି କାଶତଣ୍ଡୀ । କବି ଭାବୁକଙ୍କୁ କାଶତଣ୍ଡୀ ତ ଆନମନା କରେ କିନ୍ତୁ କାଶତଣ୍ଡୀ ଫୁଲର ମୁଲାୟମପଣ କୃଷକ, ବାଟୋଇଙ୍କୁ ଘଡିଏ ରହିବାକୁ ବାଧ୍ୟକରେ... କାଶତଣ୍ଡୀ ସଭିଁଙ୍କ ପ୍ରିୟ, ସଭିଁଙ୍କ ନିଜର । ସମୟ ସରିଲେ ନଦୀପଠାରୁ ବିଦାୟ ନେଇଯିବ ଏ ବିଚିତ୍ର ଫୁଲ, ଆଉ ମନରେ ଛାଡିଯିବ ପ୍ରୀତି ଚିହ୍ନ, ଆଖିରେ ଭରିଦେଇଯିବ ଆରଶନ ପାଇଁ ଅନନ୍ତ ଅପେକ୍ଷା...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe