କାଶତଣ୍ଡୀ ଫୁଟିଲାଣି, ପାର୍ବଣ ପାର୍ବଣ ବାସିଲାଣି । ମାଆ ଆସୁଛନ୍ତି ବୋଲି ବାର୍ତ୍ତା ନେଇ ବାଟସାରା ବିଞ୍ଚି ହେଲାଣି ବାସହୀନ ଫୁଲେଇ ଫୁଲ…

ନୀଳ ଆକାଶର ଛାତି ଉପରେ ଭସା ଭସା ମେଘର ମେଲଣ... ମାଟିର ମଲାଟ ଉପରେ ଧଳା ଧଳା ଫୁଲର ସମ୍ଭାର । ନଈର ଗର୍ଭରେ ନାହିଁ ବନ୍ୟାର ଚିହ୍ନବର୍ଣ୍ଣ । ପାଣିର ପ୍ରଳୟ ପରେ ପରେ ଏବେ ନଦୀପଠାରେ ଖାଲି ପ୍ରୀତିର ଚୁମ୍ବନ ।

246

ଧରଣୀ ଛାତିରେ ଫୁଟିଲାଣି ଦେଖ
ଧବଳ ରଙ୍ଗର ହୀରା
ବାସ ତାର ନାହିଁ, ବିମୋହିତ କରେ
ମନମୁଗ୍ଧ ତା ଚେହେରା…

ନା ସିଏ ବଗିଚାରେ ଫୁଟେ, ନା ସିଏ ଘର ଅଗଣାରେ ଫୁଟେ । ନା ବି ଫୁଟେ ଛାତ ଉପରେ… ବାଟଘାଟ, ବିଲମାଳ, ନଈକୂଳ, ଅପନ୍ତରା ଇଲାକାରେ ଫୁଟି ଆକର୍ଷଣର ପେଣ୍ଠସ୍ଥଳ ପାଲଟେ, ଫୁଲକା ଫୁଲକା ପବନର ଢେଉରେ ଦୋଳି ଖେଳି ଖେଳି କେବେ କେବେ ବାଟୋଇକୁ ଆଖିମାରି ଆନମନା କରେ- ଶରତର କାଶତଣ୍ଡୀ, ସମ୍ଭାରର କାଶତଣ୍ଡୀ, ପ୍ରୀତି, ପ୍ରେମ, ପାର୍ବଣର କାଶତଣ୍ଡୀ…

ନୀଳ ଆକାଶର ଛାତି ଉପରେ ଭସା ଭସା ମେଘର ମେଲଣ… ମାଟିର ମଲାଟ ଉପରେ ଧଳା ଧଳା ଫୁଲର ସମ୍ଭାର । ନଈର ଗର୍ଭରେ ନାହିଁ ବନ୍ୟାର ଚିହ୍ନବର୍ଣ୍ଣ । ପାଣିର ପ୍ରଳୟ ପରେ ପରେ ଏବେ ନଦୀପଠାରେ ଖାଲି ପ୍ରୀତିର ଚୁମ୍ବନ । ଯେମିତି ପାଣି ପବନ ସହ ସନ୍ଧି କରି ନଦୀ ଛାତିରେ ଚହଲା ମାରେ, ଠିକ୍ ସେମିତି ଶରତର ସୁଲୁସୁଲିଆ ବାଆ ସହ ସମ୍ପର୍କ ବାନ୍ଧି କାଶତଣ୍ଡି ଝୁଲିଝୁଲି ଗାଉଛି ଫୁରସତର ଗୀତ । ଆଃ- କେଡେ ସୁନ୍ଦର କାଶତଣ୍ଡୀର କାବ୍ୟମୟ ସଙ୍ଗୀତ ।

ଶରତର ଆଗମନୀରେ ଧରଣୀ ବାନ୍ଧିଲାଣି କାଶତଣ୍ଡୀର ବେଣୀ । ଖୋସାରେ ଖୋସିଲାଣି ଧୋବ ଫରଫର ଫୁଲ । ଆଉ ମାଟିର ସେ ଲାଜେଇ ହସ ଦେଖି ଆକାଶ ବି ହୃଦୟ ଦେବାକୁ ବସିଲାଣି… ଏଇତ କାଶତଣ୍ଡୀର ସ୍ୱତନ୍ତ୍ରତା, ଏଇତ ବାସହୀନ ଫୁଲେଇ ଫୁଲର ମାଦକତା । ଯେଉଁଠି ପ୍ରକୃତିରାଣୀ କାଶତଣ୍ଡୀ ଜରିଆରେ ମାନବ ଜାତିକୁ ବାର୍ତ୍ତା ଦିଏ ମାଆ ଜଗଦମ୍ବାଙ୍କ ଆଗମନୀର । ମାଆ ଆସୁଛନ୍ତି, ଜଗତ ଜନନୀ ଧରାବତରଣ କରୁଛନ୍ତି ଏହି ସୁମ୍ବାଦ ନେଇ ବାଟେଘାଟେ ଫୁଟେ କାଶତଣ୍ଡୀ ଫୁଲ ।

କଟକ ନିଆଳି ରାସ୍ତା କଡରେ ପଥିକଙ୍କୁ ସ୍ୱାଗତ କରୁଛନ୍ତି କାଶତଣ୍ଡୀ । କବି ଭାବୁକଙ୍କୁ କାଶତଣ୍ଡୀ ତ ଆନମନା କରେ କିନ୍ତୁ କାଶତଣ୍ଡୀ ଫୁଲର ମୁଲାୟମପଣ କୃଷକ, ବାଟୋଇଙ୍କୁ ଘଡିଏ ରହିବାକୁ ବାଧ୍ୟକରେ… କାଶତଣ୍ଡୀ ସଭିଁଙ୍କ ପ୍ରିୟ, ସଭିଁଙ୍କ ନିଜର । ସମୟ ସରିଲେ ନଦୀପଠାରୁ ବିଦାୟ ନେଇଯିବ ଏ ବିଚିତ୍ର ଫୁଲ, ଆଉ ମନରେ ଛାଡିଯିବ ପ୍ରୀତି ଚିହ୍ନ, ଆଖିରେ ଭରିଦେଇଯିବ ଆରଶନ ପାଇଁ ଅନନ୍ତ ଅପେକ୍ଷା…