କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହେଲା କାର୍ତ୍ତିକ ମାସ । ମାସେ ଧରି ଚାଲିବ କାର୍ତ୍ତିକ ବ୍ରତ । ତୁଳସୀ ଚଉରା ମୂଳରେ ରାଇ ଦାମୋଦର ପୂଜା ସହ ହବିଷ ଖାଇ କାର୍ତ୍ତିକ ବ୍ରତ ଓ ପୁରାଣ ପାଠ କରିଥାନ୍ତି ହବିଷ୍ୟାଳୀ । କରୋନା କଟକଣା ଯୋଗୁ ପୁରୀକୁ ହବିଷ୍ୟାଳୀଙ୍କୁ ବାରଣ କରାଯାଇଛି । ପ୍ରଥମ ଦିନରେ ଦୁଇ ଘଂଟା ବିଳମ୍ବରେ ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହୋଇଛି । ଭୋରରୁ ଉଠି ମହିଳାମାନେ ମହୋଦଧି ସମେତ ପଂଚତୀର୍ଥ ପୁଷ୍କରିଣୀ ଓ ନିଜ ନିଜ ଘରେ କାର୍ତିକ ବ୍ରତ ପାଳନ କରୁଛନ୍ତି । ଏହା ପରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଏକତ୍ରିତ ହୋଇଥିଲେ । ବ୍ୟାରିକେଡ୍ ବାହାରୁ ପତିତପାବନଙ୍କୁ ଦର୍ଶନ କରିଥିଲେ ବ୍ରତଧାରୀ ।
ସେପଟେ, ହାଣ୍ଡିଶାଳରେ ହୋଇଛି ମହଙ୍ଗାମାଡ଼। ଯେଉଁ ପନି ପରିବା କିଛି ଦିନ ପୂର୍ବରୁ କେଜି ପ୍ରତି ୨୦ ରୁ ୩୦ ଟଙ୍କା ରହିଥିଲା, ତାହା ଏବେ ଦୁଇଗୁଣରେ ବିକ୍ରି ହେଉଛି। ଅର୍ଥାତ୍ ଅଧିକାଂଶ ପରିବାର କେଜି ପ୍ରତି ଦର ୫୦ ଟଙ୍କା ଉପରେ ରହିଛି। ଫୁଲ କୋବି କେଜି ପ୍ରତି ୮୦ ଟଙ୍କାରୁ ୧୦୦ ଟଙ୍କାରେ ବିକ୍ରି ହେଉଥିବାବେଳେ ପୋଟଳ କେଜି ପ୍ରତି ୬୦ରୁ ୮୦ ଟଙ୍କା। ଟମାଟୋ କେଜି ପ୍ରତି ୬୦ ଟଙ୍କା ରହିଥିବାବେଳେ କାଙ୍କଡ ୭୦ରୁ ୮୦ ଟଙ୍କା। ଛୁଇଁ କେଜି ପ୍ରତି ୧୦୦ରୁ ୧୨୦ ଟଙ୍କାରେ ବିକ୍ରି ହେଉଥିଲାବେଳେ ବରବାଟି ୫୦ ଟଙ୍କା । ଭେଣ୍ଡି ୪୦ ଟଙ୍କା, ଗୁଆଁର ୬୦ ଟଙ୍କା, ଶାଗ ବିଡା ୨୦ ଟଙ୍କା ଓ କଖାରୁ କେଜି ପ୍ରତି ୨୦ ଟଙ୍କାରେ ବିକ୍ରି ହେଉଛି ।
ଗୋଟିଏ ପଟେ କମ୍ ଆମଦାନୀ, ଅନ୍ୟପଟେ ଅହେତୁକ ତୈଳତର ବୃଦ୍ଧି ପରିବା ବଜାର ଦରକୁ ଦ୍ବିଗୁଣିତ କରିଛି । ଯେଉଁଠି ୧୦୦ ରୁ ୧୫୦ ଟଙ୍କାରେ ବ୍ୟାଗ୍ ପୁରୁଥିଲା, ସେଠି ଏବେ ୪୦୦ରୁ ୫୦୦ ଟଙ୍କା ହେଲେ ମଧ୍ୟ ବ୍ୟାଗ୍ ପୁରୁନି । ଏଭଳି ସ୍ଥିତି ଆହୁରି ଦୁଇ ମାସ ଲାଗି ରହିବ ବୋଲି ବ୍ୟବସାୟୀମାନେ କହିବା ପରେ ଗ୍ରାହକମାନଙ୍କ ଚିନ୍ତା ବଢ଼ିଯାଇଛି । ପନିପରିବାର ଆକାଶଛୁଆଁ ଦରବୃଦ୍ଧି ଯୋଗୁଁ ଗ୍ରାହକମାନେ କେଜି ପରିବର୍ତ୍ତେ ଅଧା କେଜି ନେଉଛନ୍ତି। ବିଶେଷ କରି ମଧ୍ୟବିତ ଓ ସାଧାରଣ ଗ୍ରାହକଙ୍କୁ ପରିବା ଦର ବେଶ୍ ବାଧୁଛି । ସାଧାରଣ ଗ୍ରାହକଟିଏ କେଜି ପ୍ରତି ୬୦ ଟଙ୍କା ଉପରେ ରହିଥିବା ପନି ପରିବା ଉପରୁ ମୁହଁ ଫେରାଇ ଆଣିବାକୁ ବାଧ୍ୟ ହେଉଛନ୍ତି ।
Follow Us