ଆଜିଠୁ ପବିତ୍ର ପଞ୍ଚୁକ ବ୍ରତ ଆରମ୍ଭ: ମହାପ୍ରଭୁଙ୍କ ଦର୍ଶନ କରିବାକୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳି

ଶୃଂଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା; ସେପଟେ ଧବଳେଶ୍ୱରରେ ବି ଶ୍ରଦ୍ଧାଳୁଙ୍କ ଭିଡ

552

କନକ ବ୍ୟୁରୋ: ପବିତ୍ର କାର୍ତିକ ମାସରେ ଆଜିଠାରୁ ପଂଚୁକ ବ୍ରତ ଆରମ୍ଭ ହୋଇଛି । ପଂଚୁକରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀରେ ଭକ୍ତଙ୍କ ଭିଡ ଜମିଛି । ଆଜି ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେବେ ଶ୍ରଜୀଉ । ପଂଚୁକ ୫ଦିନ ମହାପ୍ରଭୁ ୫ଟି ସ୍ୱତନ୍ତ୍ର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ପଂଚୁକ ବ୍ରତର ଶେଷ ଦିନ ବା କାର୍ତିକ ପୂର୍ଣ୍ଣିମାରେ ରାଜାରାଜେଶ୍ୱରୀ ବେଶରେ ଦର୍ଶନ ଦେଇଥାନ୍ତି ।

ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ମହାପ୍ରଭୁଙ୍କ ଦର୍ଶନକୁ ଶୃଙ୍ଖଳିକ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିର ଅଫିସଠାରୁ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି । ସୁରକ୍ଷା ଦାୟିତ୍ୱରେ ୧୦୦ରୁ ଅଧିକ ପୋଲିସ ଅଫିସରଙ୍କ ୨୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

ସେହିଭଳି ପଂଚୁକ ବ୍ରତ ପାଇଁ ଧବଳେଶ୍ୱର ପୀଠରେ ବି ସକାଳୁ ସକାଳୁ ଭକ୍ତଙ୍କ ଭିଡ ଲାଗିଛି । ବଡ ସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ରାତି ୩ଟାରୁ ପହଡ ଖୋଲାଯାଇ ବିଭିନ୍ନ ନୀତି ପରେ ଭକ୍ତଙ୍କ ଦର୍ଶନ ଚାଲିଛି । ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଫୋର୍ସ ମୂତୟନ ସହିତ ସିସିଟିଭି ବି ଲଗାଯାଇଛି ।