ପାଣିରେ ଭାସିଯିବ ‘ପ୍ଲାଷ୍ଟିକ ନିୟମ’ ? ପରମ୍ପରା ନାଁରେ ଲୋକେ ପାଣିରେ ଭସାଇବେ ପୁଳାପୁଳା ସୋଲ ଡଙ୍ଗା

596

କନକ ବ୍ୟୁରୋ: ଡଙ୍ଗାରେ ଭାସିଯିବ ପ୍ଲାଷ୍ଟିକ ନିୟମ । ଧର୍ମର ଦ୍ୱାହି ଦେଇ ନିୟମକୁ ଧୋକା ଦେବେ ଲୋକେ । ରାତି ପାହିଲେ କାର୍ତ୍ତିକ ପୂର୍ଣ୍ଣିମା । ମାସକର ଧର୍ମକୁ ଧରି ଡଙ୍ଗା ଭସାଇବେ ଲୋକେ । ଆଉ ମନେପକାଇବେ ଓଡିଶାର ଐତିହ୍ୟ ଓ ପରମ୍ପରାର କଥା । ହେଲେ ଏହି ପରମ୍ପରା ପାଇଁ ଲୋକେ ଭୁଲିଯିବେ ପରିବେଶ କଥା । ଧର୍ମ, ପରମ୍ପରାକୁ ଆଖି ଠାର ମାରି ପାଣିରେ ଭସାଇବେ ସୋଲର ଡଙ୍ଗା । ତେବେ ମାସେ ତଳେ ପ୍ଲାଷ୍ଟିକ ମୁକ୍ତ ପରିବେଶ ପାଇଁ ଲୋକେ ଯେଉଁ ପଣ କରିଥିଲେ ମାସେ ପରେ ସେହି ପଣ ପାଣିରେ ଭସାଇ ଦେବେ ।

ଗୋଟିଏ ପଟେ ପଇସା ପାଇଁ ବେପାରୀ ସବୁ ସରକାରୀ ନିୟମକୁ ଦଳି ମକଚି ଦେଉଥିବା ବେଳେ ସୋଲ ଡଙ୍ଗା କିଣାବିକାକୁ ନେଇ କ୍ରେତା-ବିକ୍ରେତାଙ୍କ ମଧ୍ୟରେ ଚାଲିଛି ଦୋଷ ଠେଲାଠେଲି ।

ଅକ୍ଟୋବର ୨ରେ ପ୍ଲାଷ୍ଟିକ ନିୟମକୁ ସରକାର କଡାକଡି କରିଥିବା ବେଳେ ବାଲେଶ୍ୱର ବଜାରରେ ଚାଲିଛି ଖୁଲମଖୁଲା ବେପାର । ପରମ୍ପରା ଅନୁସାରେ କଦଳୀ ପଟୁଆରେ ଡଙ୍ଗା ତିଆରି କରାଯାଏ । ହେଲେ ଆଧୁନିକ ସମାଜରେ ଲୋକେ ଶସ୍ତା, ସୁନ୍ଦର ଭାବେ ଥର୍ମୋକୋଲ ଡଙ୍ଗାକୁ ପସନ୍ଦ କରୁଛନ୍ତି । ଯାହା ପରିବେଶ ପ୍ରଦୂଷଣର ମୁଖ୍ୟ କାରଣ । ପାଣିରେ ପ୍ଲାଷ୍ଟିକ ନଷ୍ଟ ହେଉନଥିବାରୁ ଏହା ପରିବେଶ ପାଇଁ ବିପଦଜନକ ସାଜିବ । ଏତେ ସବୁ ଜାଣିବି ଯଦି ଲୋକେ ସଚେତନ ନହେବେ ତେବେ ସମାଜକୁ ସୁରକ୍ଷିତ ରଖିବ କିଏ ? ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।