କରୋନା କରୁଛି କଲବଲ : ବେଙ୍ଗାଲୁରୁ ଜିଗିନିରେ କରୋନା ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ଛଟପଟ ହେଉଛନ୍ତି ଭଦ୍ରକ ତୁମ୍ଭାପଦି ଗାଁର କାର୍ତିକ ପାତ୍ର

ପ୍ରବାସୀୀ ଓଡ଼ିଆ ହୋଇଥିବାରୁ ଚିକିତ୍ସା ମିଳୁନଥିବା ଅଭିଯୋଗ; ପ୍ରଶାସନର ହସ୍ତକ୍ଷେପ ପାଇଁ ଦାବି କଲେ ପରିବାର

182

କନକ ବ୍ୟୁରୋ : ମହାମାରୀ କରୋନା କିଭଳି କଲବଲ କରୁଛି, ତାର ହୃଦୟ ବିଦାରକ ଚିତ୍ର ସବୁ ରାଜ୍ୟ ବାହାରୁ ଆସିବାରେ ଲାଗିଛି । ପେଟ ବିକଳରେ ରାଜ୍ୟ ବାହାରକୁ ଚାଲିଯାଇଥିବା ପ୍ରବାସୀ ଶ୍ରମିକ ଏହି ଦୁର୍ଦ୍ଦିନରେ ବେଶ ହନ୍ତସନ୍ତ ହେଉଛନ୍ତି । କରୋନା ସଂକ୍ରମିତ ହେଲେ ଦେଖାଶୁଣା କରିବାକୁ ପରିବାର ଲୋକ ତ ପାଖରେ ନାହାନ୍ତି । ସେପଟେ ହସ୍ପିଟାଲରେ ଚିିକିତ୍ସା ମଧ୍ୟ ମିଳୁନାହିଁ ।

ଏଭଳି ଏକ ବିଚଳିତ କଲାଭଳି ଚିତ୍ର ବେଙ୍ଗାଲୁରୁ ଜିଗିନି ଅଂଚଳରୁ । ଗୋଟିଏ ପଟେ ବେଙ୍ଗାଲୁରୁରେ ଭଡାଘରେ ଖଟ ଉପରେ ଶୋଇଥିବା ପ୍ରବାସୀ ଓଡିଆ । ଆଉ ଗୋଟିଏ ପଟେ ଖବର ପାଇ ନିଃଶହାୟ ହୋଇପଡିଥିବା ପରିବାର ସଦସ୍ୟ । ଭଦ୍ରକ ଜିଲ୍ଲା କାଉପୁର ପଂଚାୟତ ତୁମ୍ଭାପଦୀ ଗାଁର କାର୍ତିକ ପାତ୍ର ଗତ ୭ରୁ ୮ ଦିନ ହେଲା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ହେଲେ ଏହି ପ୍ରବାସୀ ଓଡିଆଙ୍କୁ ବେଙ୍ଗାଲୁରୁରେ କୌଣସି ହସ୍ପିଟାଲରେ ମିଳୁନାହିଁ ଚିକିତ୍ସା ।

ବିଭିନ୍ନ ହସ୍ପିଟାଲକୁ ଯାଇ ନିରାଶ ହେବା ପରେ ସେ ରହୁଥିବା ଭଡାଘରେ ଏହିଭଳି ଖଟରେ ପଡି ରହିଛନ୍ତି । ତାଙ୍କ ପାଖରେ ରହୁଥିବା ପୁତୁରା ଏହି ଭିଡିଓ କରି ପଠାଇବା ସହ ଓଡିଶା ସରକାରଙ୍କ ହସ୍ତକ୍ଷେପ ପାଇଁ ଅନୁରୋଧ କରିଛନ୍ତି । ଏପଟେ କାର୍ତିକଙ୍କ ଏଭଳି ଅବସ୍ଥା ଦେଖିବା ପରେ କାନ୍ଦି କାନ୍ଦି ପରିବାର ଲୋକ ସ୍ଥାନୀୟ ପ୍ରଶାସନକୁ ସହାୟତା ପାଇଁ ଗୁହାରି କରିଛନ୍ତି ।