କନକ ବ୍ୟୁରୋ : ଏସୀୟ କ୍ରୀଡାରେ ପୁଣି ଚମକିଲା ଭାରତ । ସ୍କ୍ୱାସ ମିକ୍ସଡ ଡବଲ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଛି ଭାରତ । ଦୀପିକା ପାଲିକଲ ଓ ହରିନ୍ଦରପାଲ ସିଂ ଭାରତକୁ ଏହି ପଦକ ଭେଟି ଦେଇଛନ୍ତି । ମାଲେସିଆର ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇ ଦୀପିକା ଓ ହରିନ୍ଦରପାଲ ଭାରତ ଖାତାରେ ଆଉ ଏକ ସ୍ୱର୍ଣ୍ଣ ପଦକ ଯୋଡିଛନ୍ତି । ଏବେ ସୁଦ୍ଧା ଭାରତ ମୋଟ ୨୦ଟି ସ୍ୱର୍ଣ୍ଣ, ୩୧ଟି ରୌପ୍ୟ ଓ ୩୨ଟି ବ୍ରୋଞ୍ଜ ପଦକ ସହ ତାଲିକାର ଚତୁର୍ଥ ସ୍ଥାନରେ ରହିଛି । ଏହାସହ ଏସୀୟ କ୍ରୀଡାରେ ଏହା ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ ମଧ୍ୟ ।

Advertisment

ପତ୍ନୀ ଦୀପିକା ସ୍ୱର୍ଣ୍ଣ ପଦକ ଜିତିବା ପରେ ସ୍ୱାମୀ ତଥା ପୂର୍ବତନ ଭାରତୀୟ କ୍ରିକେଟର ଦିନେଶ କାର୍ତ୍ତିକ ଶୁଭେଚ୍ଛା ଜଣାଇଛନ୍ତି । କାର୍ତ୍ତିକ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଏକ ଭିଡ଼ିଓ ସେୟାର କରି ଲେଖିଛନ୍ତି, ଏହା ସ୍ୱର୍ଣ୍ଣ ପଦକର ସମୟ । ବହୁତ ସୁନ୍ଦର ଖେଳିଲ ଦୀପିକା ଓ ହରିନ୍ଦର । ଏହାସହ ଭିଡ଼ିଓ ଦେଇଥିବାରୁ ୱାସିଂଟନ ସୁନ୍ଦରଙ୍କୁ ଧନ୍ୟବାଦ ଜଣାଇଛନ୍ତି କାର୍ତ୍ତିକ ।

ଚଳିତ ଏସୀୟ କ୍ରୀଡାରେ ଏହା ଦୀପିକାଙ୍କ ଦ୍ୱିତୀୟ ପଦକ । ଏହାପୂର୍ବରୁ ଟିମ୍ ଇଭେଣ୍ଟରେ ବ୍ରୋଞ୍ଜ ଜିତିଥିଲେ ଦୀପିକା । ଏବେ ମିକ୍ସଡ ଡବଲ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ମୋଟ ଉପରେ ଏସୀୟ କ୍ରୀଡାରେ ଏହା ଦୀପିକାଙ୍କର ୬ଷ୍ଠ ମେଡାଲ । କିନ୍ତୁ ଏବେ ପର୍ଯ୍ୟନ୍ତ ଦୀପିକା ସ୍ୱର୍ଣ୍ଣ ପଦକ ହାସଲ କରିନଥିଲେ । କିନ୍ତୁ ଚଳିତ ଏସୀୟ କ୍ରୀଡାରେ ଏହି ବଡ ଉପଲବ୍ଧି ହାସଲ କରିଛନ୍ତି ଦୀପିକା ।