କନକ ବ୍ୟୁରୋ: ୨୦ ମାସ ଧରି ବନ୍ଦ ରହିବା ପରେ ଖୋଲିଛି ଐତିହାସିକ ଧର୍ମସ୍ଥଳ କରତାରପୁର କରିଡର । ଯାହାକୁ ନେଇ ସାରା ପଞ୍ଜାବରେ ଦେଖିବାକୁ ମିଳିଛି ଖୁସିର ଲହରୀ । ଗୁରୁ ନାନକ ସାହିବଙ୍କ ଜନ୍ମ ବାର୍ଷିକୀ ପୂର୍ବରୁ ଏହି ନିଷ୍ପତି ନେଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଅନ୍ୟପଟେ ପାକିସ୍ତାନ ଅଧିନରେ ଥିବା ଏହି ଧର୍ମ ସ୍ଥଳୀକୁ ଦର୍ଶନ କରିବା ପାଇଁ ବୁଧବାର କେବଳ ୫୦ ଜଣ ଶ୍ରଦ୍ଧାଳୁଙ୍କୁ ଅନୁମତି ମିଳିଛି । ସେହିପରି ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ କୋରୋନା ଆରଟିପିସିଆର କୋଭିଡ ନେଗେଟିଭ ରୋପୋର୍ଟକୁ ବାଧ୍ୟତା ମୂଳକ କରାଯାଇଛି ।
ପାକିସ୍ତାନ ପଞ୍ଜାବ ଗୁରୁଦାସପୁର ଜିଲ୍ଲାରେ ଥିବା ଏହି ତିର୍ଥସ୍ଥଳୀକୁ ବୁଧବାର ଭାରତୀୟ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲି ଦିଆ ଯାଇଛି । ଦର୍ଶନ ପାଇଁ ଯାଇଥିବା ଶିଖ ଧର୍ମାମ୍ବଲମ୍ବିଙ୍କ ପ୍ରଥମ ବ୍ୟାଚକୁ ମିଠା ଖୁଆଇ ସ୍ୱାଗତ କରିଛନ୍ତି ପାକିସ୍ତାନ ସରକାର । ଶିଖ ଧର୍ମର ପ୍ରତିଷ୍ଠାତା ଗୁରୁ ନାନକ ସାହିବ କରତାରପୁର ସ୍ଥିତ ଏହି ପବିତ୍ର ସ୍ଥାନରେ ନିଜ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଆଉ ଦେଶ ସ୍ୱାଧିନତା ହେବା ପରେ ହୋଇଥିବା ବିଭାଜନରେ ଏହି ପବିତ୍ର ପୀଠ ପାକିସ୍ତାନ ଅଧିନକୁ ଚାଲିଯାଇଥିଲା । ତେବେ ଧର୍ମଗୁରୁ ନାନକଙ୍କ ୫୫୦ ତମ ଜନ୍ମ ବାର୍ଷକିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରତାରପୁର କରିଡରକୁ ଉଦଘାଟନ କରିଥିଲେ ।