କର୍ତାରପୁର କରିଡର ପାଇଁ ବୈଠକ ଶେଷ । ଅଟ୍ଟାରୀ ବର୍ଡରରେ ପାକ୍ ଅଧିକାରୀଙ୍କ ସହ ଆଲୋଚନା କଲେ ଭାରତୀୟ ପ୍ରତିନିଧି ଦଳ ।

105

କନକ ବ୍ୟୁରୋ : ଭାରତ ଓ ପାକିସ୍ତାନ ମଧ୍ୟରେ ହେଲା କର୍ତାରପୁର କରିଡର ବୈଠକ । କରତାରପୁର କରିଡର ନେଇ ଭାରତ-ପାକିସ୍ତାନ ମଧ୍ୟରେ ଦି୍ୱତୀୟ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି । ପଂଜାବର ଅଟାରି ବର୍ଡରରେ ଏହି ବୈଠକ ବସିଥିଲା । ଏହି ବୈଠକରେ ପାକିସ୍ତାନର କର୍ତାରପୁର କରିଡର ରୂପରେଖ ଓ ବୈଷୟିକ ପ୍ରସଙ୍ଗ ସହ ଯାତ୍ରୀଙ୍କ ସୁରକ୍ଷା ଉପରେ ଅଧିକ ଫୋକସ୍ କରିଥିଲା ଭାରତ । ପାକିସ୍ତାନର ବିଦେଶ ମନ୍ତ୍ରାଳୟର ମୁଖପାତ୍ର ଡକ୍ଟର ମହମ୍ମଦ ଫୈଜଲଙ୍କ ସହିତ ପ୍ରାୟ ୨୦ ଜଣ ଅଧିକାରୀ ବୈଠକରେ ସାମିଲ ହୋଇଥିଲେ । ଏହି ବୈଠକରେ ଭାରତ ପାକିସ୍ତାନ ପଟେ ରହିଥିବା କରତାରପୁର କରିଡରରେ ଭାରତୀୟ ଶ୍ରଦ୍ଧାଳୁଙ୍କୁ ମିଳିବାକୁ ଥିବା ସୁବିଧା ସୁଯୋଗ, ସେମାନଙ୍କ ସୁରକ୍ଷା, ଦର୍ଶନର ବ୍ୟବସ୍ଥା ନେଇ ବିଶେଷ ଭାବେ ଆଲୋଚନା କରିଛି ।

ଭାରତ ଏହି କରିଡର ନିର୍ମାଣ ପାଇଁ ଅତିରିକ୍ତ ୫ ଶହ କୋଟି ଖର୍ଚ୍ଚ କରୁଛି । ଏହାର କାମ ଏବେ ପ୍ରାୟ ୭୦ ପ୍ରତିଶତ ଶେଷ ହୋଇଆସିଥିବା ସୂଚନା ମିଳିଛି । ଯାତ୍ରୀଙ୍କ ସୁରକ୍ଷା ଓ ସର୍ଭିଲାନ୍ସ ପାଇଁ ଭାରତର ଅର୍ଥ ଖାସ କରି ବିନିଯୋଗ କରାଯାଉଛି । ଗୁରୁ ନାନକଙ୍କ ୫୫୦ତମ ଜନ୍ମ ବାର୍ଷିକୀ ଚଳିତ ବର୍ଷ ନଭେମ୍ବରରେ ପଡ଼ୁଛି । ଏହାପୂର୍ବରୁ ଅକ୍ଟୋବର ମାସ ସୁଦ୍ଧା ଏହି ନିର୍ମାଣ କାର୍ଯ୍ୟ ଶେଷ କରାଯିବାକୁ ଯୋଜନା ରହିଛି । ଦିନକୁ ୫ ହଜାର ଯାତ୍ରୀ ଏବଂ ବିଶେଷ ଦିନ ଗୁଡିକରେ ୧୦ ହଜାର ଯାତ୍ରୀ ଏହି ଟର୍ମିନାଲ ଦେଇ ସୁବିଧାରେ ଯେପରି ପାକିସ୍ତାନର ଗୁରୁଦ୍ୱାରା କର୍ତାରପୁର ସାହିବ ଯାଇ ଦର୍ଶନ କରିପାରିବେ ସେନେଇ ବ୍ୟବସ୍ଥା କରିବାକୁ ଭାରତ ପାକିସ୍ତାନ ସହିତ ଆଲୋଚନା କରିଛି ।