ଘରର କୋଣରେ ଲୁଚି ରହିପାରେ କରୋନା: ଆଇଆଇଟି ବମ୍ବେର ଅନୁସନ୍ଧାନ 

112

କନକ ବ୍ୟୁରୋ: କରୋନା ସ୍ଥିତି ଧୀରେ ଧୀରେ ସୁଧୁରୁଥିବା ବେଳେ କଟକଣା ବି କୋହଳ ହେଉଛି । ଲୋକ ବାହାରକୁ ବାହାରୁଛନ୍ତି । ହେଲେ ସତର୍କତା କମ୍ କରନ୍ତୁ ନାହିଁ । ଘରର ସଫାସୁତରା ପ୍ରତି ବିଶେଷକରି ଧ୍ୟାନ ଦିଅନ୍ତୁ । କାରଣ ଘରର କୋଣରେ ଲୁଚି ରହିପାରେ କରୋନା । ବ୍ୟବହାର ହେଉନଥିବା ଓ ପରିଷ୍କାର କରାଯାଉ ନଥିବା କୋଣ ଗୁଡ଼ିକରେ ସଂକ୍ରମିତ କଣିକା ୧୦ ଗୁଣା ଅଧିକା ସମୟ ରହିପାରେ ।

ୱାଶରୁମରେ ୱାସବେସିନର ଉପରଭାଗ ଅଂଚଳ, କବାଟର ପଛପାଖ, ଆସବାବପତ୍ର ପାଖ ଅଂଚଳ, ଘରର କୋଣ ଏହିସବୁ ଅଂଚଳରେ ଛପି ରହିପାରେ କରୋନାର କଣିକା । ଆଇଆଇଟି ବମ୍ବେର ଏକ ଗବେଷକ ଦଳ ନିଜ ଗବେଷଣାରୁ ଏପରି  ତଥ୍ୟ ପାଇଛନ୍ତି । ଏକ ସର୍ବସାଧାରଣ ୱାଶରୁମରେ ବାୟୁ ଚଳାଚଳକୁ ଅନୁଧ୍ୟାନ କରି ଗବେଷକ ଦଳ ଏପରି ତଥ୍ୟ ପାଇଛନ୍ତି । ସେମାନଙ୍କ କହିବା କଥା ଗୋଟିଏ ଜାଗା ବା ଘରେ ଉପଯୁକ୍ତ ବାୟୁ ଚଳାଚଳ ପାଇଁ ସୁବିଧା ରହିବା ଆବଶ୍ୟକ ।

ହେଲେ ଘରର କୋଣ, କବାଟ ପଛ ପରି ଜାଗାରେ ବାୟୁଚଳାଚଳ ଖୁବ୍ କମ୍ ହୋଇଯାଇଥାଏ । ଯଦିଓ ଝରକା, ଏସି କିମ୍ବା ଫ୍ୟାନ୍ ଘର ଭିତରେ ବାୟୁ ଚଳାଚଳ ପାଇଁ ସୁବିଧା କରାଏ, ଏହି ସବୁ କୋଣ ଜାଗାରେ ବାୟୁ ଠିକ୍ ଭାବେ ପହଂଚିପାରେ ନାହିଁ । ଯଦି କୌଣସି ଆକ୍ରାନ୍ତଙ୍କ ସମ୍ପର୍କରେ ଆସିଥିବା କଣିକା ସଂକ୍ରମିତ ହୋଇପଡ଼େ ଓ ଏସବୁ ଜାଗାରେ ରହିଯାଇଥାଏ ।

ତେବେ ଚିନ୍ତାର କଥା ହେଲା ବାୟୁ ଚଳାଚଳ କରୁଥିବା ଜାଗା ଠାରୁ ବାୟୁ ଚଳାଚଳ କରୁ ନଥିବା ଏପରି ସବୁ ଜାଗାରେ ସଂକ୍ରମିତ କଣିକା ୧୦ ଗୁଣା ଅଧିକ ସମୟ ରହିଯାଇଥାଏ । ଏହି ନୂଆ ତଥ୍ୟ ଏବେ ବେଶ୍ ଗୁରୁତ୍ୱ ବହନ କରିଛି । କାରଣ ଏବେ ସର୍ବସାଧାରଣ ଜାଗା ଖୋଲିବାରେ ଲାଗିଲାଣି, ଆଉ ଏସବୁ ଜାଗାରେ ଲୋକେ ଜମା ହେଲେଣି । ମଲ, ସିନେମା ହଲ, ରେଷ୍ଟୁରାଂଟ, ସ୍କୁଲ, କଲେଜ ସବୁ ପର୍ଯ୍ୟାୟକ୍ରମେ ଖୋଲିଛି ।