ବଣଭୋଜି ବାଟ ଓଗାଳିଛି କରୋନା : ଅପେକ୍ଷାରେ ଜୟଦେବ ବାଟିକା ପିଣ୍ଡି, ଧଉଳିକୁ ଆସୁନାହାନ୍ତି ପର୍ଯ୍ୟଟକ

113

କନକ ବ୍ୟୁରୋ : ଶୀତର କୋହଲା ପରସ ମନକୁ ଅଥୟ କଲାଣି। ଜଙ୍ଗଲ ବି ହାତ ଠାରି ଡାକିଲାଣି । ଜଞ୍ଜାଳମୟ ଜୀବନରୁ ଟିକିଏ ଫୁରସତ ମିଳିବା କ୍ଷଣି ସାଙ୍ଗସାଥୀ ଓ ପଡ଼ୋଶୀଙ୍କ ସହ ମିଶି ବଣଭୋଜି କରିବାକୁ ମନ ଅଥୟ । ହେଲେ କରୋନାର କାୟା ଭାବିଲା ‌ବେଳକୁ ମନ ପଛଘୁଞ୍ଚା ଦେଉଛି । ଏକାଠି ହୋଇ ଯିବାକୁ ଇଚ୍ଛା ହେଉ ନାହିଁ । ସାଙ୍ଗସାଥୀଙ୍କ ସହ ମିଶିବାକୁ ବି ଡର ଲାଗୁଛି । କାଳେ କରୋନା ମାଡ଼ି ବସିବ । ଆକ୍ରାନ୍ତ ହୋଇଯିବି । ମନ‌ରେ ଏମିତି ଅନେକ କିଛି ଉଙ୍କି ମାରୁଛି । ସେପଟେ ବଣଭୋଜି ଲାଗି ଭୁବନେଶ୍ୱର ଉପକଣ୍ଠରେ ଥିବା କେତେକ ପର୍ଯ୍ୟଟନ ସ୍ଥଳୀରେ ଅନୁମତି ଦିଆଯାଇ ସରିଲାଣି । କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌ ପାଳନ କରି ବଣଭୋଜି କରିହେବ । ତା’ପରେ ବି ନା ଅଛି ଗହଳି ଚହଳି । ନା ହାଣ୍ଡି କଡେଇର ଠକ୍‌ଠକ୍‌ ଶବ୍ଦ। ପ୍ରତିବର୍ଷ ନଭେମ୍ବରରେ ଭିଡ଼ ଜମୁଥିବା ନନ୍ଦନକାନନ ବଟାନିକାଲ୍ ଗାର୍ଡେନ, ଜୟଦେବ ବାଟିକା, ଡେରାସ, ଧଉଳି ଓ ଶିଖରଚଣ୍ଡୀ ପାଦଦେଶ ଏବେ ଶୂନଶାନ। କେବଳ ନିସ୍ତବ୍ଧର ନିରବତା ।

ଅପେକ୍ଷାରେ ଜୟଦେବ ବାଟିକା ପିଣ୍ଡି –
ଜୟଦେବ ବାଟିକା ପରିସରରେ ବଣଭୋଜି ଲାଗି ୧୨୦ରୁ ଅଧିକ ସ୍ପଟ୍‌ ରହିଛି । ଏଥିସହ ବୈଠକ ଲାଗି ଗୋଟିଏ ସମ୍ମିଳନୀ କକ୍ଷ ମଧ୍ୟ ଏହା ଭିତରେ ରହିଛି । ଏହାକୁ ବୁକିଂ ଲାଗି ୩ ହଜାର ଟଙ୍କା ଦେବାକୁ ପଡ଼ିବ। ଏହା ପରିସରରେ ସମସ୍ତ ପ୍ରକାର ସୁବିଧା ରହିଛି । ବଣଭୋଜି କରିବାକୁ ଆସୁଥିବା ବ୍ୟକ୍ତି ତଥା ଦଳଙ୍କ ଲାଗି ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଯେଉଁମାନେ ମାସ୍କ ପିନ୍ଧୁ ନାହାନ୍ତି ସେମାନଙ୍କୁ ପ୍ରବେଶ ଲାଗି ଅନୁମତି ଦିଆଯାଉ ନାହିଁ। ସାଙ୍ଗରେ ସାନିଟାଇଜର ବି ଆଣିବାକୁ କୁହାଯାଉଛି । ବଣଭୋଜି ସମୟରେ ଯେପରି ସାମାଜିକ ଦୂରତା ରକ୍ଷା କରାଯିବ ସେଥିପାଇଁ ନିୟମିତ ଭାବେ ଯାଞ୍ଚ ହେଉଛି । ୬ ଜଣ ସୁରକ୍ଷା କର୍ମୀ ଚାରିପାର୍ଶ୍ୱ ବୁଲି ତଦାରଖ କରୁଛନ୍ତି ।

ଜୟଦେବ ବାଟିକା ଦାୟିତ୍ୱରେ ଥିବା ଦୟାନିଧି ଦାଶଙ୍କ ସୂଚନା ଅନୁଯାୟୀ ଚଳିତବର୍ଷ ପର୍ଯ୍ୟଟକଙ୍କ ଲାଗି ନୂତନ ଭା‌ବେ ୫୦ ହଜାର ବର୍ଗ ଫୁଟ୍‌ର ଲନ୍‌ କରାଯାଇଛି । ନୂଆ ଝରଣା ସହ କ୍ୟାସକେଣ୍ଟ ଫାଉଣ୍ଟେନ୍‌ ନିର୍ମାଣ ହୋଇଛି । ୧୨୦ ଏକର ପରିମିତ ଏହି ଅଞ୍ଚଳରେ ଏବର୍ଷ ୫୦ ହଜାର ଚାରା ରୋପଣ ହୋଇଛି। ପିଣ୍ଡି ଭଡ଼ା ବୃଦ୍ଧି କରାଯାଇ ନାହିଁ । ୩ ବର୍ଷ ହେଲା ଯାହା ଥିଲା ଏବେ ତାହା ରହିଛି । ନଭେମ୍ବର ମାସରେ ପ୍ରତିଦିନ ଅତି କମ୍‌ରେ ୩୦ରୁ ୪୦ଟି ଦଳ ବଣଭୋଜି କରିବାକୁ ଏଠାକୁ ଆସିଥାନ୍ତି । ତେବେ ଏଥର ବହୁ ପ୍ରଭାବିତ ହୋଇଛି । ନଭେମ୍ବର ପହିଲାରୁ ବଣଭୋଜି ଲାଗି ଅନୁମତି ମିଳିଥିଲେ ମଧ୍ୟ ଏବେ ସୁଦ୍ଧା ମାତ୍ର ୩ଟି ଟିମ୍ ବଣଭୋଜି କରିବାକୁ ବୁକିଂ କରିଛନ୍ତି । ପ୍ରତି ଆର୍ଥିକ ବର୍ଷରେ ଏଠାରୁ ଦୁଇ କୋଟି ଟଙ୍କା ରାଜସ୍ୱ ଆସୁଥିବା ବେଳେ ଏଥର ବହୁ ପରିମାଣରେ କମିଛି । ଏବେ ସୁଦ୍ଧା ମାତ୍ର ୧୦ ଲକ୍ଷ ଟଙ୍କାର ରାଜସ୍ବ ଆସିଛି ।

ଶିଖରଚଣ୍ଡିରେ ୧୭ ପିଣ୍ଡି –
ପର୍ଯ୍ୟଟନ ଋତୁ ଆରମ୍ଭ ହେବା କ୍ଷଣି ଗହଳିଚହଳି ଲାଗିରହୁଥିବା ଶିଖରଚଣ୍ଡିରେ ଏଥର ସେମିତି ଭିଡ଼ ଦେଖିବାକୁ ମିଳୁନି । କେତେବେଳେ କେମିତି କାଁ ଭାଁ ପର୍ଯ୍ୟଟକ ଆସୁଛନ୍ତି । ବଣଭୋଜି କରିବାକୁ ଅନୁମତି ମିଳିଥିଲେ ମଧ୍ୟ ‌ପର୍ଯ୍ୟଟକଙ୍କ ଦେଖିବାକୁ ମିଳୁନି । ବଣଭୋଜି କରିବା ଲାଗି ପାହାଡ଼ ଉପର ଓ ପାଦଦେଶରେ ୧୭ଟି ପିଣ୍ଡି ରହିଛି । ଭୋଜି କରିବାକୁ ୮ଟି ପାଣି ଟାଙ୍କି ଓ ଟ୍ୟାପ୍‌ ପ୍ରତିଷ୍ଠା ହୋଇଛି । ବଣଭୋଜି ପାଇଁ ଭଡ଼ାରେ ହଣ୍ଡାହାଣ୍ଡି ଯୋଗାଇ ଦିଆଯାଉଛି । ଏବେ ସୁଦ୍ଧା ମୋଟ ୧୫ ‌ପେୟାର ସମଗ୍ରୀ ରହିଛି । ମନ୍ଦିର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳର ବିକାଶ ଲାଗି ବଣଭୋଜି କରିବାକୁ ଆସୁଥିବା ପର୍ଯ୍ୟଟକଙ୍କଠାରୁ ମାତ୍ର ୧୦୦ ଟଙ୍କା ଲେଖାଏ ଫି’ ନିଆଯାଉଛି । କୌଣସି ପାର୍କିଂ ଫି’ ଆଦାୟ କରାଯାଉ ନାହିଁ । ତା’ ପରେ ବି ନଭେମ୍ବର ମାସରେ ଯେଉଁଭଳି ପର୍ଯ୍ୟଟକ ଆସନ୍ତି ତାହା ଏପର୍ଯ୍ୟନ୍ତ ହୋଇପାରି ନାହିଁ । ସପ୍ତାହରୁ ମାତ୍ର ଦୁଇରୁ ୩ଟି ଦଳ ବଣଭୋଜି କରିବାକୁ ଆସୁଥିବା ସୂଚନା ମିଳିଛି ।

ବଟାନିକାଲ ଗାର୍ଡେନ୍‌ରେ ଅନୁମତି ମିଳିନି –
ବନ୍ଦ ରହିଥିବା ନନ୍ଦନକାନନର ବଟାନିକାଲ ଗାର୍ଡେନ୍ ଖୋଲିଛି । ପର୍ଯ୍ୟଟନ ତଥା ପିକ୍‌ନିକ୍‌ ଋତୁ ଆରମ୍ଭ ହେଉଥିବାରୁ ଭଳିକି ଭଳି ଫୁଲରେ ସଜେଇ ହୋଇଛି ଗାର୍ଡେନ୍ ‌। ଗେଣ୍ଡୁଠାରୁ ଗୋଲାପ ପର୍ଯ୍ୟନ୍ତ। ତା’ ସାଙ୍ଗକୁ କାକ୍‌ଟସ୍‌, କଇଁ ଆଦି ବି ଶୋଭା ବଢ଼ାଉଛନ୍ତି । ପ୍ରଜାପତି ଉଦ୍ୟାନ, ଗୋଲାପ ବଗିଚା, କାକ୍‌ଟସ୍‌ ହାଉସ୍‌, ଗ୍ଲାସ ହାଉସ୍, ଡ୍ରାଏ ଗାର୍ଡେନ୍‌, ଗ୍ରିନ୍‌ ହାଉସ୍‌, ଆର୍କିଡ୍‌ ହାଉସ୍‌, ଔଷଧୀୟ ଉଦ୍ୟାନ, ଜାପାନିଜ୍‌ ଗାର୍ଡେନ୍‌, ପ୍ଲମ୍‌ସ ଗା‌ର୍ଡେନ୍‌, ଶିଶୁ ଉଦ୍ୟାନ ଆଦି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଗାର୍ଡେନ୍‌ ଖୋଲିଥିବାରୁ ପର୍ଯ୍ୟଟକମାନେ ବୁଲିବାକୁ ଯାଉଛନ୍ତି। ତେବେ ଏପର୍ଯ୍ୟନ୍ତ ପିକିନିକ୍‌ କରିବା ଲାଗି ଅନୁମତି ଦିଆଯାଇ ନ ଥିବା ନନ୍ଦନକାନନ ୱେବସାଇଟ୍‌ରେ ଉଲ୍ଲେଖ ହୋଇଛି ।

ଝୁମୁକାରେ ଜମୁଛି ଭିଡ଼ –
ଭୁବନେଶ୍ୱର ଉପକଣ୍ଠ ଝୁମୁକା ଡ୍ୟାମ୍‌ ନିକଟରେ ବଣଭୋଜି ହେଉଛି । ‌ଏଠାରେ କୌଣସି ଫି’ ଦେବାକୁ ପଡ଼ୁ ନ ଥିବାରୁ ସହରରୁ ପର୍ଯ୍ୟଟକ ଆସି ବଣଭୋଜି କରୁଛନ୍ତି । ୪ରୁ ୫ ଜଣ ଲେଖାଏଁ ପର୍ଯ୍ୟଟକ ଆସି ଏକାଠି ଭୋଜି କରି ଜଙ୍ଗଲୀ ପରିବେଶର ମଜା ଉଠାଉଛନ୍ତି । ବେଶି ଭିଡ଼ ନ ଥିବାରୁ କରୋନା ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ସେତେଟା ଭୟ ଦେଖିବାକୁ ମିଳୁ ନାହିଁ । ଅଧିକାଂଶ ପର୍ଯ୍ୟଟକ ପରିବାର ଆସି ବଣଭୋଜି କରୁଥିବା ଦେଖିବାକୁ ମିଳିଛି । ତେବେ ଡେରାସରେ ସେଭଳି ବଣଭୋଜି ଜମି ନାହିଁ ।

ଧଉଳିକୁ ଆସୁନାହାନ୍ତି ପର୍ଯ୍ୟଟକ –
ପିକ୍‌ନିକ୍‌ ଋତୁ ଆରମ୍ଭ ହୋଇଯାଇଥିଲେ ମଧ୍ୟ ଧଉଳି ପାଦଦେଶରେ ବଣଭୋଜି ହେଉ ନାହିଁ । ପର୍ଯ୍ୟଟକଙ୍କ ଦେଖା ନାହିଁ । ପାଦଦେଶରେ ଭୋଜି କରିବାକୁ କେତେକ ଘରୋଇ ବ୍ୟକ୍ତିବିଶେ‌ଷ ବ୍ୟବସ୍ଥା କରିଛନ୍ତି । ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ହେଉଛି । ତା’ପରେ ବି କରୋନା ଭୟରେ ପର୍ଯ୍ୟଟକଙ୍କ ଦେଖା ନାହିଁ । ତେଣୁ ପିଣ୍ଡି ପ୍ରସ୍ତୁତ କରିଥିବା ବ୍ୟକ୍ତିବିଶେଷ ଫାଟକରେ ତାଲା ପକାଇ ରଖିଥିବା ଦେଖିବାକୁ ମିଳିଛି ।