କନକ ବ୍ୟୁରୋ : ଏବେ ରାଜଧାନୀରେ ପ୍ରାୟ ୮୦% କରୋନା ଆକ୍ରାନ୍ତ ଗୃହ ପୃଥକବାସରେ ରହି ଚିକିତ୍ସିତ ହେଉଛନ୍ତି। କିନ୍ତୁ ସେମାନଙ୍କୁ ବିଏମ୍ସି ଯେପରି ସେବା ଯୋଗାଇବା କଥା, ତାହା ଯୋଗାଉନି ବୋଲି ଅଭିଯୋଗ ହେଉଛି। ଯେଉଁଥିପାଇଁ ଗୃହ ପୃଥକବାସରେ ରହୁଥିବା ଆକ୍ରାନ୍ତ ଏବେ ବାହାରେ ବୁଲି ହାଟ ବଜାର କରୁଛନ୍ତି। ବହୁ ସଚେତନ ନାଗରିକ ବି ଜାଣତରେ ସଙ୍ଗରୋଧ ନିୟମ ଭାଙ୍ଗି ବିଭିନ୍ନ ଦୋକାନ ବଜାର ବୁଲୁଛନ୍ତି। ଯେଉଁଥିପାଇଁ ଏବେ ବିଏମ୍ସିରେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏବେ ଦିନକୁ ୩୦୦ରୁ ୩୫୦ ପାଖାପାଖି ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଏଥିରୁ ୨୫୦ରୁ ଅଧିକ ସ୍ଥାନୀୟ ସଂକ୍ରମିତ। ଏବେ ବିଏମ୍ସି ପକ୍ଷରୁ ଦିନକୁ ପ୍ରାୟ ୫ ହଜାର ପରୀକ୍ଷା କରାଯାଉଥିବା କୁହାଯାଉଥିବା ବେଳେ ଯାହାର ଲକ୍ଷଣ ଦେଖାଯାଉଛି, ସେମାନେ ଆସି ପରୀକ୍ଷା କରାଉଛନ୍ତି। ଏପରିକି ଲକ୍ଷଣ ନଥିବା ଲୋକ ବି କରୋନା ପରୀକ୍ଷା କରାଇ ନେଉଛନ୍ତି। ତେବେ କାହିଁକି ସ୍ଥାନୀୟ ସଂକ୍ରମଣ ବଢ଼ୁଛି, ସେନେଇ କେହି ଚିନ୍ତା କରୁନାହାନ୍ତି।
ଭୁବନେଶ୍ବରରେ ସ୍ଥାନୀୟ ସଂକ୍ରମଣ ବଢ଼ିବାର ମୁଖ୍ୟ କାରଣ ହେଲା ବହୁ କରୋନା ଆକ୍ରାନ୍ତ ଗୃହ ପୃଥକବାସ ନିୟମ ମାନୁ ନାହାନ୍ତି। ନିୟମ ସେମାନେ ଖୁସିରେ ଭାଙ୍ଗୁ ନାହାନ୍ତି, ବରଂ ବେସାହରା ହେବା ପରେ ବାଧ୍ୟ ହୋଇ ନିୟମ ଭାଙ୍ଗୁଛନ୍ତି। ପୃଥକବାସରେ ରହୁଥିବା ନିୟମ ଭାଙ୍ଗିବା ପଛରେ ସରକାରୀ ବ୍ୟବସ୍ଥା ଅଧିକ ଦାୟୀ ବୋଲି କୁହାଯିବ। କାରଣ ଏବେ ଅଧିକାଂଶ କ୍ଷେତ୍ରରେ ଜଣେ କରୋନା ଆକ୍ରାନ୍ତ ହେଲେ, ତା’ର ପରିବାରଲୋକ କରୋନା ଆକ୍ରାନ୍ତ ହେଉଛନ୍ତି ନଚେତ୍ ସେମାନେ ସଙ୍ଗରୋଧରେ ରହୁଛନ୍ତି। ଏପରିକି ଆଗପଛ ହୋଇ ପରିବାର ଲୋକ କରୋନା ଆକ୍ରାନ୍ତ ହୋଇଯାଉଛନ୍ତି। ସେମାନେ ଘରେ ସଙ୍ଗରୋଧରେ ରହିଲେ କିପରି ଖାଇବେ, ଅତ୍ୟାବଶ୍ୟକ ସାମଗ୍ରୀ ଆବଶ୍ୟକ ହେଲେ କ’ଣ କରିବେ, ସେନେଇ ବିଏମ୍ସି ପକ୍ଷରୁ କିଛି ବ୍ୟବସ୍ଥା କରାଯାଇନି। ଫଳରେ ଲୋକେ ଘରୁ ବାହାରୁଛନ୍ତି, ହାଟ ବଜାର କରୁଛନ୍ତି। କିଛି ଲୋକ ଯଦିଓ ଅନଲାଇନ୍ରେ କିଣାକିଣି କରୁଛନ୍ତି କିନ୍ତୁ ସବୁଦିନ ଟିକିନିଖି ସାମଗ୍ରୀ ଅନଲାଇନ୍ରେ ମଗାଇବା ସମ୍ଭବ ନଥିବାରୁ ବାଧ୍ୟ ହୋଇ ବଜାରକୁ କିମ୍ବା ନିକଟସ୍ଥ ଦୋକାନକୁ ଯାଉଛନ୍ତି।