ଜଗତସିଂହପୁରରେ ବଢିଚାଲିଛି କରୋନା । ପ୍ରବାସୀଙ୍କ କରୋନା ପରୀକ୍ଷା ହେଉନଥିବାରୁ ସଂଗରୋଧରେ ଖାଇବା ପିଇବା ବନ୍ଦ କଲେ ପ୍ରବାସୀ

141

କନକ ବ୍ୟୁରୋ : ଜଗତସିଂହପୁରରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ରାଜ୍ୟର କରୋନା ଆକ୍ରାନ୍ତଙ୍କ ତାଲିକାର ସପ୍ତମ ସ୍ଥାନରେ ରହିଛି ଜଗତସିଂହପୁର ଜିଲ୍ଲା । ଜିଲ୍ଲାରେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ବଢିବା ସହ କରୋନା ଯୋଦ୍ଧା ବି କରୋନା ଜାଲରେ ପଡି ଯାଇଛନ୍ତି । ବୁଧବାର ଜଗତସିଂହପୁର ପଳାଷୋଳରେ ଜଣେ ଆଶାକର୍ମୀ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ତାଙ୍କ ସ୍ୱାମୀ ଓ ପୁଅ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି । ଏବେ ବି ଜିଲ୍ଲାର ବିଭିନ୍ନ ସଂଗରୋଧ କେନ୍ଦ୍ରରେ ରାଜ୍ୟ ବାହାରୁ ଫେରିଥିବା ବ୍ୟକ୍ତିଙ୍କୁ ସଂଗରୋଧ କେନ୍ଦ୍ରରେ ରଖାଯାଇଛି ।

ପ୍ରବାସୀ ଓଡିଆ ସଂଗରୋଧରେ ଥିବା ବେଳେ ସେମାନଙ୍କୁ ଥଣ୍ଡା ଜ୍ୱର ହେଉଥିଲେ ବି ସେମାନଙ୍କର କରୋନା ପରୀକ୍ଷା କରାଯାଉନଥିବା ଅଭିଯୋଗ ହୋଇଛି । ଏମିତି ଅଭିଯୋଗ ଆସିଛି ବାଲିକୁଦା ବ୍ଲକ ମରଚିପୁର ସଂଗରୋଧ କେନ୍ଦ୍ରରୁ । ଏଠାରେ ୧୦ ଦିନ ହେବ ୩୫ ଜଣ ସଂଗରୋଧରେ ରହୁଥିବା ବେଳେ ଏମାନଙ୍କ ମଧ୍ୟରୁ କିଛି ବ୍ୟକ୍ତିଙ୍କୁ ଜ୍ୱର ସହ ଥଣ୍ଡା ହେଉଛି । ହେଲେ ସେମାନଙ୍କର କରୋନା ପରୀକ୍ଷା କରାଯାଉନଥିବା ଅସନ୍ତୋଷ ଦେଖିବାକୁ ମିଳିଛି । ସଙ୍ଗରୋଧରେ ଥିବା ପ୍ରବାସୀମାନେ ଖାଇବା ପିଇବା ଛାଡି ଦେଇଛନ୍ତି । ଯେ,ପର୍ଯ୍ୟନ୍ତ କରୋନା ପରୀକ୍ଷା କରାଯିବ ନାହିଁ ସେ ପର୍ଯ୍ୟନ୍ତ ଖାଇବେ ନାହିଁ ବୋଲି ଜିଦରେ ଅଟଳ ଅଛନ୍ତି ।