କରୋନା ତଥ୍ୟ ଚୋରାଇବାକୁ ବିଦେଶରୁ ହ୍ୟାକର କରୁଛନ୍ତି ଷଡଯନ୍ତ୍ର : ଋଷ ଓ ଉତ୍ତର କୋରିଆ ହ୍ୟାକରଙ୍କ ଟାର୍ଗେଟରେ କରୋନା ଔଷଧ ତିଆରି କରୁଥିବା ଭାରତୀୟ ଫାର୍ମା କମ୍ପାନୀ  

ମାଇକ୍ରୋସଫ୍ଟ ସୂଚନା ପରେ ବଢିଲା ଚିନ୍ତା 

92

କନକ ବ୍ୟୁରୋ : କରୋନା ଟିକାକୁ ନେଇ ଭାରତରେ ଉଦ୍ୟମ ଜାରି ରହିବା ସମୟରେ ଆସିଛି ଏକ ଚିନ୍ତା ଜନକ ଖବର । ଋଷିଆ ଓ ଉତର କୋରିଆ ହ୍ୟାକରଙ୍କ ରାଡାରରେ ଭାରତୀୟ ଫାର୍ମା କମ୍ପାନୀ ରହିଛି । ଏନେଇ ମାଇକ୍ରୋସଫ୍ଟ ସୂଚନା ଦେଇଛି । ତେବେ କିଏ ଏହି ଟାର୍ଗେଟ୍ କରିଛି ମାଇକ୍ରୋସଫ୍ଟ ପ୍ରକାଶ କରିନାହିଁ । କିନ୍ତୁ ଏହା ପ୍ରକାଶ କରିଛି ଯେ ଏହି ସମସ୍ତ କମ୍ପାନୀ ଟିକା ପରୀକ୍ଷା କିମ୍ୱା କୋଭିଡ୍ ୧୯ ପରୀକ୍ଷା ସହିତ ଜଡିତ ଅଛନ୍ତି ।

ଏବେ ଋଷ ଏବଂ ଉତ୍ତର କୋରିଆର ହ୍ୟାକରମାନେ କରୋନା ସମ୍ପର୍କିତ ଔଷଧ ପ୍ରସ୍ତୁତିର ତଥ୍ୟ ଚୋରି କରିବାକୁ ଉଦ୍ୟମ କରୁଛନ୍ତି । ଋଷ ଓ ଉତର କୋରିଆର ହ୍ୟାକର ମାନେ ଟିକା ଅନୁସନ୍ଧାନ ଓ ବିକାଶରେ ନିୟୋଜିତ ଫାର୍ମା କମ୍ପାନୀ ଗୁଡିକୁ ରାଡାରରେ ରଖିଛନ୍ତି । ମାଇକ୍ରୋସଫଟ୍ ଏହାର ବ୍ଲଗରେ ଏନେଇ ତଥ୍ୟ ପ୍ରକାଶ କରିଥିଲେ ମଧ୍ୟ , ଏହି କ୍ଷେତ୍ରରେ ସେମାନଙ୍କୁ କେତେ ସଫଳତା ମିଳିଛି, କେଉଁ ତଥ୍ୟ ଚୋରି ହୋଇଛି ସେ ନେଇ କିଛି ସୂଚନା ଦେଇନାହିଁ । ସୂଚନା ଅନୁସାରେ ମାଇକ୍ରୋସଫ୍ଟ ତିନୋଟି ହ୍ୟାକରଙ୍କୁ ଚିହ୍ନଟ କରିଛି ।

ଏହି ୩ଟି ହ୍ୟାକର ହେଉଛନ୍ତି ଋଷିଆର ଷ୍ଟ୍ରୋଂଟିଅମ୍, ଉତର କୋରିଆର ଜିଙ୍କ ଏବଂ ସିରିୟମ୍ । ଏମାନଙ୍କ ନିଶାନାରେ ରହିଛି କାନାଡା, ଫ୍ରାନ୍ସ, ଭାରତ , ଦକ୍ଷିଣ କୋରିଆ ଏବଂ ଆମେରିକାର ୭ଟି ପ୍ରମୁଖ ଔଷଧ ତିଆରି କମ୍ପାନୀ । ଗତ ଜୁଲାଇ ମାସରେ ଏହିପରି ଅଭିଯୋଗ ଆଣିଥିଲା ଆମେରିକା । ଆମେରିକା ଅଭିଯୋଗ ଅନୁସାରେ ଚୀନ୍ ର ହ୍ୟାକରସ୍ ମାନେ ଟିକା ପ୍ରସ୍ତୁତକାରୀ କମ୍ପାନୀ ଗୁଡିକୁ ରାଡାରରେ ରଖାଯାଇଛି ।