କରୋନା ସ୍ଥିତି ଛଡ଼ାଇ ନେଇଛି ରୋଜଗାର । ବେପାର ନାହିଁ, ହାତବାନ୍ଧି ବସିଛନ୍ତି ଘରେ, କେମିତି ଚଳିବ ପରିବାର, ଚିନ୍ତାରେ କଳାକାର ଓ ବେପାରୀ

222

କନକ ବ୍ୟୁରୋ : କରୋନା ଯୋଗୁଁ ବେପାର ନାହିଁ । ହାତବାନ୍ଧି ବସିଛନ୍ତି ଘରେ । ଯାହା ପାଖରେ କିଛି ସଂଚୟ ଥିଲା ତାହାବି ସରିଯାଇଛି । ଏବେ ଧାର ଉଧାର କରି ଚଳିବା କଥା । ଏହେଉଛି କଟକର ଜଣେ ଗୁପଚୁପ ବ୍ୟବସାୟୀଙ୍କ ଦୁଃଖ । କଟକ ହାତୀ ପୋଖରୀ ଅଂଚଳର ମାନସ ଏବେ ଚିନ୍ତାରେ । ଏବେ ତାଙ୍କର ବେପାର ନାହିଁ କି ରୋଜଗାର ନାହିଁ । ଖାଲି ଗୁପଚୁପ ଠେଲା ପଡ଼ିରହିଛି । ସେହିପରି ତାଙ୍କ ଭାଇ ଜଣେ ପକ୍କା ମିସ୍ତ୍ରୀ ହୋଇଥିବା ବେଳେ ସେ ବି ଏବେ ରୋଜଗାର ଶୂନ୍ୟ । ଏବେ କାମ ମିଳିବା ମୁସ୍କିଲ ହୋଇପଡ଼ିଛି । କେମିତି ଘର ଖର୍ଚ୍ଚ ହେବ, କେମିତି ମାଆର ମେଡିସିନ କିଣା ହେବ ଏନେଇ ଦୁଇଭାଇ ଏବେ ଚିନ୍ତାରେ ।

ସେପଟେ କଟକ ସାଲେପୁରର ବାଦ୍ୟ କାରିଗରମାନେ ଏବେ ଚିନ୍ତାରେ । ତବଲା, ମୃଦଙ୍ଗ, ଢୋଲକ, ଲାଲ, ପୋଖଜ ପରି ବାଦ୍ୟଯନ୍ତ୍ର ଏମାନେ ତିଆରି କରନ୍ତି । ପ୍ରାୟ ୩୦ ବର୍ଷ ହେବ ଏଠାକାର କାରିଗର ମାନେ ଏହି ସବୁ ବାଦ୍ୟଯନ୍ତ୍ର ତିଆରି କରି ଗୁଜରାଣ ମେଂଟାନ୍ତି । ହେଲେ କରୋନା ସ୍ଥିତି ବେଳେ ଅସୁବିଧାରେ ଏହି କାରିଗରମାନେ । କୌଣସି ବାଦ୍ୟ ସାମଗ୍ରୀ ବିକ୍ରି ହୋଇ ପାରୁ ନାହିଁ, କି କଂଚାମାଲ ଆସି ପାରୁ ନାହିଁ । ଫଳରେ ପରିବାର ଚଳାଇବା ଏବେ କଷ୍ଟକର ହୋଇପଡ଼ିଛି । ପରିବାର ଉପରେ ଋଣବୋଝ ବି ବଢ଼ିଚାଲିଛି ।