ଦଶହରାରେ କରୋନା ଭୟ : ଆକ୍ସନ ମୋଡରେ କମିଶନରେଟ ପୁଲିସ, ବିଭିନ୍ନ ସ୍ଥାନରେ ରେଡ; ପକାଉଛି ଫାଇନ

150

କନକ ବ୍ୟୁରୋ : ଏଥର ଦଶହରାରେ କରୋନା ଭୟ । କରୋନା କଟକଣାରେ ପୂଜା ଆୟୋଜନ ହେବାକୁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଲୋକଙ୍କ ମଧ୍ୟରେ ସଂକ୍ରମଣର ଭୟ ରହିଛି । ଏପରି ସମୟରେ ପ୍ରଶାସନକୁ ଚିନ୍ତା ଘାରିଛି କରୋନା ସଂକ୍ରମଣ । ଏହାକୁ ନେଇ ବିଭିନ୍ନ ସ୍ଥାନରେ ଚଢାଉ ଜୋରଦାର ହେବା ସହିତ , ଅମାନିଆଙ୍କୁ ବାନ୍ଧୁଛି କମିଶନରେଟ୍ ପୋଲିସ ।

ରାଜଧାନୀରେ ସିଲ୍ ହୋଇଛି ବାର୍ । ସିଲ୍ ହୋଇଛି କୋଚିଂ ସେଂଟର । ସେହିପରି ସିଲ୍ ହୋଇଛି ଫେସନ୍ ସିଟି ମଲ୍ । କୋଭିଡ୍ ନିୟମ ଉଲଂଘନ ଅଭିଯୋଗରେ ରାଜଧାନୀର ଇନଫୋସିଟି ଅଂଚଳରେ ସିଲ୍ ହୋଇଛି ବାର୍ । ଜନ୍ମଦିନ ପାର୍ଟି ପାଳନରେ କରୋନା କଟକଣା ଉଲଂଘନ ପରେ ଏହାକୁ ସିଲ୍ କରିଛି ପୋଲିସ । କୋଭିଡ୍ ନିୟମ ଉଲଂଘନ କରି ଉତ୍ସବ ପାଳନ କରୁଥିବା ଅଭିଯୋଗରେ ଭୁବନେଶ୍ୱରରେ କୋଚିଂ ସେଂଟର ସିଲ୍ ହୋଇଛି । ନାଗେଶ୍ୱର ଟାଙ୍ଗିରେ ଥିବା ବେଂଚମାର୍କ କୋଚିଂ ସେଂଟର ବିରୁଦ୍ଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ସେହିପରି ଭୁବନେଶ୍ୱର ମାର୍କେଟ୍ ବିଲ୍ଡିଂ ଅଂଚଳରେ ଥିବା ଫେଶନ୍ ସିଟି ମଲ୍କୁ ସିଲ କରିଛି ଭୁବନେଶ୍ୱର ମହାନଗର ନିଗମ । ପୂଜା ଯୋଗୁଁ ମଲରେ ଗ୍ରହକଙ୍କ ଗହଳି ଥିବା ବେଳେ ମଲ କର୍ତୃପକ୍ଷ ସାମାଜିକ ଦୂରତା ଓ ମାସ୍କ ପରିଧାନ ଉପରେ ଗୁରୁତ୍ୱ ଦେଉନଥିବା ଅଭିଯୋଗ ହେବା ପରେ ଏପରି ଆକ୍ସନ ନେଇଛି ବିଏମସି । ଦଶହରା ପାଖେଇ ଆସୁଥିବା ବେଳେ କହିବାକୁ ଗଲେ ପ୍ରଶାସନକୁ ଘାରିଛି କରୋନା ଭୟ ।