କନକ ବ୍ୟୁରୋ : ଅଦରକାରୀ ଜିନିଷ ବା ଭଙ୍ଗା ଲୁହା(କବାଡି) ବିକ୍ରି କରି କୋଟିପତି ହେଲେ ଓ ଏବେ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି କର୍ଣ୍ଣାଟକର ଜଣେ ବ୍ୟକ୍ତି । ଆଜି ଆମେ ଆପଣଙ୍କୁ ଏମିତି ଜଣେ ବ୍ୟକ୍ତିଙ୍କ ବାବଦରେ କହିବୁ, ଯିଏ କି ଦିନେ ସଂଘର୍ଷ କରିଥିଲେ, ଆଉ ଏବେ ସେ କର୍ଣ୍ଣାଟକର ସବୁଠାରୁ ଧନୀ ରାଜନେତା ଭାବେ ପରିଚିତ ହୋଇଛନ୍ତି । ବାଙ୍ଗାଲୋର ସହରରୁ ଏମଏଲସି ନିର୍ବାଚନ ପାଇଁ ୟୁସୁଫ ସରିଫ ଓରଫ ସ୍କ୍ରାପ ବାବୁଙ୍କୁ କଂଗ୍ରେସ ଟିକେଟ ଦେଇଛି । ନିର୍ବାଚନ ଆୟୋଗକୁ ଦେଇଥିବା ଆଫିଡେଭିଟରେ ସେ ଦର୍ଶାଇଛନ୍ତି ଯେ ତାଙ୍କ ପାଖରେ ବର୍ତ୍ତମାନ ୧୭୪୩ କୋଟି ଟଙ୍କାର ସମ୍ପତ୍ତି ରହିଛି ।
ଏହା ସହ ସେ କର୍ଣ୍ଣାଟକର ସବୁଠାରୁ ଧନୀ ରାଜନେତା ହୋଇପାରିଛନ୍ତି। ଏହାପୂର୍ବରୁ ବିଜେପିର ଜଣେ ମନ୍ତ୍ରୀ ଏମଟିବି ନାଗରାଜ ୧୨୦୦ କୋଟି ଟଙ୍କା ସମ୍ପତ୍ତି ଘୋଷଣା କରିଥିଲେ। ୫୪ ବର୍ଷୀୟ ୟୁସୁଫ ନିଜ ଆଫିଡେଭିଟରେ ଉଲ୍ଲେଖ କରିଛନ୍ତି ଯେ, ତାଙ୍କ ପାଖରେ ୧ କୋଟି ୧୦ ଲକ୍ଷ ଟଙ୍କାର ହାତଘଣ୍ଟା, ୪.୮ କିଲୋଗ୍ରାମର ସୁନା ସହ ବାଙ୍ଗାଲୋର ସହର ଏବଂ ଏହାର ଆଖପାଖରେ ଶହ ଶହ ଏକର କୃଷି ଓ ଅଣ କୃଷି ଜମି ଅଛି, ଯାହାର ମୂଲ୍ୟ ୧୫୯୩.୨୭ କୋଟି ଟଙ୍କା ।
ୟୁସୁଫ ସରିଫ ୧୪ ଭାଇଭଉଣୀଙ୍କ ମଧ୍ୟରୁ ସବୁଠାରୁ ବଡ ହୋଇଥିବାବେଳେ ସେ ରିଅଲ୍ ଇଷ୍ଟେଟ୍ ସହିତ ଅନେକ ବ୍ୟବସାୟ କରୁଛନ୍ତି । ସୂତ୍ରରୁ ମିଳିଥିବା ସୂଚନା ମୁତାବକ ତାଙ୍କ ସମ୍ପତ୍ତିର ମୂଲ୍ୟ ୪୦୦୦ କୋଟିରୁ ଅଧିକ । ୟୁସୁଫ ସରିଫ ପ୍ରଥମେ ଏକ ଅଟୋ ଚଳାଇଥିଲେ । ପରେ ସେ କବାଡି ବ୍ୟବସାୟ ଆରମ୍ଭ କଲେ, ଯାହା ତାଙ୍କ ଭାଗ୍ୟକୁ ଚମକାଇଦେଇଥିଲା ।