କାବେରୀ ଜଳ ବିବାଦରେ ଅଶାନ୍ତ କର୍ଣ୍ଣାଟକ: ରାଜରାସ୍ତାରେ ଚାଷୀ ସଙ୍ଗଠନର ପ୍ରତିବାଦ, ବିକ୍ଷୋଭ

84

କନକ ବ୍ୟୁରୋ: କାବେରୀ ନଦୀ ଜଳ ବିବାଦକୁ ନେଇ ପୁଣି ଅଶାନ୍ତ କର୍ଣ୍ଣାଟକ । ପଡୋଶୀ ରାଜ୍ୟ ତାମିଲନାଡୁକୁ କାବେରୀ ଜଳ ଦେବା ପ୍ରସଙ୍ଗରେ ଶୁକ୍ରବାର ପୁଣିଥରେ ରାଜ୍ୟବ୍ୟାପି ବନ୍ଦ ଡାକରା ଦିଆ ଯାଇଛି । କନ୍ନଡ ଓକୁଟା ସଙ୍ଗଠନ ତରଫରୁ ଏହି ବନ୍ଦ ଡାକରା ଦିଆଯାଇଥିବାବେଳେ, ସାରା ରାଜ୍ୟରେ ବସ୍, ଟ୍ରେନ୍ ଚଳାଚଳ ବନ୍ଦ ରହିଛି । ବିମାନ ଯାତ୍ରା ବି ବାତିଲ୍ କରାଯିବାରୁ ବେଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଯାତ୍ରୀ ଅସନ୍ତୋଷ ଘଟଣା ସାମ୍ନାକୁ ଆସିଛି ।

କାବେରୀ ଜଳ ବିବାଦକୁ ନେଇ ପୁଣିଥରେ କର୍ଣ୍ଣାଟକରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଶହ ଶହ ଚାଷୀ । ‘କନ୍ନଡ ଓକୁଟା’ ପକ୍ଷରୁ ଶୁକ୍ରବାର କର୍ଣ୍ଣାଟକ ବନ୍ଦ ଡାକରା ଦିଆଯାଇଥିବାବେଳେ ସାରା ରାଜ୍ୟରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ବସ୍ ଓ ଟ୍ରେନ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିବାବେଳେ ବିଭିନ୍ନ ସ୍ଥାନରେ ଚାଷୀ ସଙ୍ଗଠନ ତରଫରୁ ବିକ୍ଷୋଭ ଓ ପ୍ରତିବାଦ କରାଯାଇଛି । ଏହାକୁ ନେଇ‘କନ୍ନଡ ଓକୁଟା’ର ଅନେକ ସମର୍ଥକଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ସାରା ରାଜ୍ୟରେ ବିରୋଧ ପ୍ରଦର୍ଶନ ଜାରି ରହିଥିବାବେଳେ କର୍ଣ୍ଣାଟକ ସରକାର କହିଛନ୍ତି ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି ।

୧୨ ଘଂଟିଆ ବନ୍ଦ ଭିତରେ ରାଜଧାନୀ ବେଙ୍ଗାଲୁରୁରେ ୧୪୪ ଧାରା ଲାଗୁ କରାଯାଇଛି । ସେପଟେ ବନ୍ଦକୁ ନେଇ ୪୪ଟି ବିମାନ ବାତିଲ କରାଯିବାରୁ ବେଙ୍ଗାଲୁରୁ କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବେଶ କିଛି ସମୟ ଗଣ୍ଡଗୋଳ ସ୍ଥିତି ଉପୁଜିଥିଲା । କାବେରୀ ନଦୀ ଜଳ ତାମିଲନାଡୁକୁ ଦିଆଯିବାକୁ ବିରୋଧ କରୁଛନ୍ତି ୧୨ଶହରୁ ଅଧିକ କନ୍ନଡ ସଙ୍ଗଠନ । ପ୍ରତ୍ୟେକ ସଙ୍ଗଠନ ଏହାକୁ ନେଇ ଶୁକ୍ରବାର ପ୍ରତିବାଦକୁ ଓହ୍ଲାଇଛନ୍ତି । ସେପଟେ ରାଜ୍ୟର କଂଗ୍ରେସ ସରକାର ଏଭଳି ସ୍ଥିତି ସମ୍ଭାଳିବାରେ ଅସଫଳ ବୋଲି ଅଭିଯୋଗ କରିଛି ବିଜେପି ।

କର୍ଣ୍ଣାଟକ ଓ ତାମିଲନାଡୁ ମଧ୍ୟରେ କାବେରୀ ଜଳକୁ ନେଇ ବିବାଦ ବହୁ ପୁରୁଣା । ଉଭୟ କର୍ଣ୍ଣାଟକ ଓ ତାମିଲନାଡୁର ଚାଷୀ କାବେରୀ ନଦୀ ଜଳ ଉପରେ ନିର୍ଭର କରନ୍ତି । ହେଲେ ଜଳ ବଂଟାକୁ ନେଇ ୧୪୦ ବର୍ଷ ଧରି ଦୁଇ ରାଜ୍ୟ ମଧ୍ୟରେ ବିବାଦ ଲାଗି ରହିଛି । ୨୦୧୬ ମସିହାରୁ ଏହି ମାମଲା ସୁର୍ପିମକୋର୍ଟରେ ଚାଲିଛି ।