କଂଗ୍ରେସ ଇସ୍ତାହାରରେ କର୍ଣ୍ଣାଟକ, ତେଲେଙ୍ଗାନା ଛାପ: ଭୋଟରଙ୍କ ପାଇଁ ଲୋଭନୀୟ ପ୍ରତିଶ୍ରୃତି

80

କନକ ବ୍ୟୁରୋ: ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ କଂଗ୍ରେସ ତିଆରି କରୁଛି ନିର୍ବାଚନୀ ଇସ୍ତାହାର । ଏହି ଇସ୍ତାହାରରେ କର୍ଣ୍ଣାଟକ ଓ ତେଲେଙ୍ଗାନା ଇସ୍ତାହାରର ଛାପ ଦେଖିବାକୁ ମିଳିଛି । କୁହାଯାଉଛି, ୧୫ ତାରିଖରେ ଇସ୍ତାହାର ଘୋଷଣା ହେବ । ଆଉଏଥିରେ ଗୃହଲକ୍ଷ୍ମୀ, ୨୦୦ ୟୁନିଟ ଯାଏ ମାଗଣା ବିଜୁଳି ଓ ବେକାରୀ ଭତାକୁ ଗୁରୁତ୍ୱ ଦିଆଯାଇପାରେ । ପରିବାରର ଭୋଟକୁ ଟାର୍ଗେଟ କରି ଡାଇବେଟିସ ଔଷଧ ବି ବଂଟାଯିବା ସୂଚନା ରହିଛି ।

ନିର୍ବାଚନରେ ଭୋଟରଙ୍କୁ ନିଜ ଆଡକୁ ଟାଣିବାକୁ ଚାଲିଛି ଇସ୍ତାହାର ପ୍ରସ୍ତୁତି । ଆସନ୍ତା ୧୫ ତାରିଖରେ କଂଗ୍ରେସର ଘୋଷଣା ହେବ ଇସ୍ତାହାର । ତେଲେଙ୍ଗାନା ଓ କର୍ଣ୍ଣାଟକ ଢାଂଚାରେ ଚାଲିଛି ଇସ୍ତାହାର ତିଆରି । କୁହାଯାଉଛି ୨୦୨୩ରେ ନିର୍ବାଚନୀ ଇସ୍ତାହାର ହିଁ କର୍ଣ୍ଣାଟକ ଓ ତେଲେଙ୍ଗନାରେ କଂଗ୍ରେସ ପାଇଁ ଗେମଚେଂଜର ହୋଇଥିଲା । ଏହି ଦୁଇ ରାଜ୍ୟରେ ଗୃହଲକ୍ଷ୍ମୀ ଯୋଜନା ଓ ପ୍ରତି ପରିବାରକୁ ୨୦୦ ୟୁନିଟ ଯାଏଁ ମାଗଣା ବିଜୁଳି ଓ ବେକାରୀ ଭତ୍ତା ଦଳକୁ ଫାଇଦା ଦେଇଥିଲା । ଏବେ ସେହି ଢାଞ୍ଚାରେ ଓଡିଶାରେ ବି ଇସ୍ତାହାର ପ୍ରସ୍ତୁତ କରିଛି କଂଗ୍ରେସ ।

କଂଗ୍ରେସ ଇସ୍ତାହାର
-ଗୃହଲକ୍ଷ୍ମୀ ଭତ୍ତା,କୃଷକ ଭତ୍ତା ଓ ବେକାରୀ ଭତ୍ତା ଲାଗୁ ହେବ
-ଗୃହଲକ୍ଷ୍ମୀ ଭତ୍ତା ମାସକୁ ୨ ହଜାର ଟଙ୍କା
-କୃଷକ ଭତ୍ତା ମାସକୁ ୨ ହଜାର ଟଙ୍କା
-ବେକାରୀ ଭତ୍ତା ୩ ବର୍ଷ ଯାଏଁ ମାସକୁ ୩ ହଜାର ଟଙ୍କା ମିଳିବ

କଂଗ୍ରେସର ଇସ୍ତାହାରରେ ସବୁଠାରୁ ବଡ କଥା ହେଲା, ଦଳ ମଧୁମେହ ରୋଗୀଙ୍କୁ ଡାଇବେଟିସ ମେଡିସିନ ବାଂଟିବ ବୋଲି ସୂଚନା ମିଳିଛି । ବର୍ତ୍ତମାନ ମଧୁମେହ ରୋଗ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଘରେ ଘରେ ଏବେ ମଧୁମେହ ରୋଗୀ । ୨୦୨୦ ମାର୍ତ୍ତ ସୁଦ୍ଧା ଇଣ୍ଡିଆନ ମେଡିକାଲ ଆସୋସିଏସନର ତଥ୍ୟ ଅନୁସାରେ

ଓଡିଶାରେ ମଧୁମେହ ରୋଗୀ ( ୨୦୨୦, ମାର୍ଚ୍ଚସୁଦ୍ଧା)
– ରାଜ୍ୟରେ ପାଖାପାଖି ୪୨, ୫୭୦ ମଧୁମେହ ରୋଗୀ ଅଛନ୍ତି
-ପ୍ରଥମରେ ଖୋର୍ଦ୍ଧା, ଦ୍ୱିତୀୟରେ ଗଞ୍ଜାମ ଓ ତୃତୀୟରେ କଟକ ରହିଛି

ଡାଇବେଟିସ ରୋଗି ଏବେ ଓଡିଶା ସମେତ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଥିବାରୁ ଏହି ପରିବାରର ଭୋଟ ହାତେଇବା ପାଇଁ କଂଗ୍ରେସ ଏଭଳି ପ୍ରତିଶ୍ରୃତି ଦେଇପାରେ । ତେବେ ଇସ୍ତାହାର ଘୋଷଣା ପୂର୍ବରୁ କମିଟିର ପୁଣି ବୈଠକ ବସି ପ୍ରତିଶ୍ରୃତି ଉପରେ ପୁୁଣି ବିଚାରବିମର୍ଷ କରାଯିବ ଗୁରୁବାରଦିନ ରାଜସ୍ଥାନରେ ଭାରତ ଯୋଡ ନ୍ୟାୟ ଯାତ୍ରାବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧି ଲୋକସଭା ନିର୍ବାଚନ ପାଇଁ ୫ ଗ୍ୟାରେଂଟି ଦେଇଛନ୍ତି । ଏଥିମଧ୍ୟରେ ରହିଛି ବେକାରୀଙ୍କୁ ନିଯୁକ୍ତି ସୁଯୋଗ ଓ କେନ୍ଦ୍ରୀୟ ସଂସ୍ଥାଗୁଡିକରେ ୩୦ ଲକ୍ଷ ଖାଲି ପଦବୀ ପୂରଣ । ସେହିଭଳି ପ୍ରଶ୍ନପତ୍ର ଲିକକୁ ରୋକିବା ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୃତି ଦେଇଛନ୍ତି ରାହୁଲ । ତେଣୁ ଏହା ବି ନିର୍ବାଚନୀ ଇସ୍ତାହାରରେ ପ୍ରତିଫଳିତ ହେବା ଆଶା କରାଯାଉଛି ।