କର୍ଣ୍ଣାଟକ ବାଚସ୍ପତିଙ୍କ ବଡ ବୟାନ । ଏବେ କୌଣସି ବିଧାୟକଙ୍କ ଇସ୍ତଫା ସ୍ୱୀକାର କରିବି ନାହିଁ ।

209

କର୍ଣ୍ଣାଟକ ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ଦିନ ବିତିବା ସହ କର୍ଣ୍ଣାଟକରେ ବିଧାୟକଙ୍କ ଇସ୍ତଫା ତାଲିକାରେ ଗୋଟିଏ ପରେ ଗୋଟିଏ ନୂଆ ନାଁ ଯୋଡି ହୋଇ ଯାଉଛି । ବୁଧବାର ପୁଣି ଦୁଇ ଜଣ ବିଧାୟକ କଂଗ୍ରେସରୁ ଇସ୍ତଫା ଦେବା ପରେ କୁମାରସ୍ୱାମୀ ସରକାର ଉପରେ ସଙ୍କଟ ବଢିଯାଇଛି । ଆଉ ଏହାସହ ଇସ୍ତଫା ଦେଇଥିବା ବିଧାୟକଙ୍କ ସଂଖ୍ୟା ୧୬ରେ ପହଞ୍ଚିଛି । ଏହି ୧୬ ବିଧାୟକଙ୍କ ମଧ୍ୟରୁ ୧୩ ଜଣ କଂଗ୍ରେସର ହୋଇଥିବା ବେଳେ ୩ ଜଣ ଜେଡିଏସ ବିଧାୟକ ରହିଛନ୍ତି । ଏହାସତ୍ତେ୍ୱ ମଧ୍ୟ କୁମାରସ୍ୱାମୀ ସରକାର ପ୍ରତି ୧୦୧ ଜଣ ବିଧାୟକଙ୍କର ସମର୍ଥନ ରହିଛି ।

ଏଭଳି ଇସ୍ତଫା ପର୍ବ ମଧ୍ୟରେ କର୍ଣ୍ଣାଟକର ବିଧାନସଭା ବାଚସ୍ପତି କେ.ଆର ରମେଶ ବଡ ବୟାନ ଦେଇଛନ୍ତି । ଏବେ ପର୍ଯ୍ୟନ୍ତ ସେ କୌଣସି ବିଧାୟକଙ୍କର ଇସ୍ତଫା ପତ୍ରକୁ ସ୍ୱୀକାର କରିନଥିବା କହିଛନ୍ତି ରମେଶ । ମୁଁ ରାତାରାତି ଏଭଳି କରିପାରିବି ନାହିଁ । ମୁଁ ସମସ୍ତଙ୍କୁ ଆସନ୍ତା ୧୭ ଯାଏଁ ସମୟ ଦେଇଛି । ଏହି ସମୟ ମଧ୍ୟରେ କାନୁନ ପ୍ରକିୟା କଣ ରହିଛି ତାହାର ବିଶ୍ଲେଷଣ କରିବା ପରେ ନିଷ୍ପତି ନେବି ବୋଲି କହିଛନ୍ତି ରମେଶ ।

ଏବେ ଆଇନ ଅନୁଯାୟୀ ଏହି ମାମଲାର ନିଷ୍ପତି ନିଆଯିବ । କୌଣସି ନିର୍ଦ୍ଦିଷ୍ଟ ବିଧାୟକଙ୍କ ପାଇଁ ଆଇନ ବଦଳା ଯାଇପାରିବ ନାହିଁ ବୋଲି କହିଛନ୍ତି ରମେଶ । ଏସବୁ ଭିତରେ ଆଜି ବିଧାନସଭାରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି । ଏସବୁ ସତ୍ତେ୍ୱ ମଧ୍ୟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇନାହାନ୍ତି କୁମାରସ୍ୱାମୀ । କଂଗ୍ରେସ ଓ ଜେଡିଏସ ବିଧାୟକଙ୍କୁ ବିଜେପି କିଣିବାକୁ ପ୍ରୟାସ କରୁଥିବା ନେଇ ଅଭିଯୋଗ ଆଣିଛନ୍ତି କୁମାରସ୍ୱାମୀ ।