ସେକ୍ସ ସ୍କାଣ୍ଡାଲ ମାମଲାରେ ବନ୍ଧାହେଲେ ପ୍ରଜ୍ୱଳ ରେଭନ୍ନା । ୩୪ ଦିନ ପରେ ବାନ୍ଧିଲା ଏସଆଇଟି

433

କନକ ବ୍ୟୁରୋ : ଶେଷରେ ଗିରଫ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ ଡି ଦେବଗୌଡାଙ୍କ ନାତି ତଥା ଜେଡିଏସ ସାଂସଦ ପ୍ରଜୱଲ ରେଭନ୍ନା । ସେକ୍ସ ସ୍କାଣ୍ଡାଲ ମାମଲାରେ ସେ ଏସଆଇଟି ଦ୍ୱାରା ଗିରଫ ହୋଇଛନ୍ତି । ତାଙ୍କ ବିରୋଧରେ ଯୈାନ ନିର୍ଯାତନା ଅଭିଯୋଗ ଆସିବା ପରେ ସେ ଫେରାର ହୋଇଯାଇଥିଲେ । ଆଉ ୩୪ ଦିନ ପରେ ସେ ବେଙ୍ଗାଲୁୁରୁ ଫେରିବା ପରେ ଗିରଫ ହୋଇଛନ୍ତି । ଆଜି କୋର୍ଟରେ ତାଙ୍କୁ ହାଜର କରାଯିବ । ଏବେ ତାଙ୍କୁ ସିଆଇଡି କାର୍ଯ୍ୟାଳୟକୁ ନିଆଯାଇଛି ଏବଂ ଆଜି ତାଙ୍କୁ ପଚରାଉଚରା କରାଯାଉଛି । ସେପଟେ ଡାକ୍ତରୀ ମାଇନା ପରେ ତାଙ୍କୁ ମାଜିଷ୍ଟ୍ରେଟ କୋର୍ଟରେ ହାଜର କରାଯିବ । ଏସଆଇଟି ତାଙ୍କୁ ରିମାଣ୍ଡ ଓ ହେପାଜତରେ ନେବାକୁ ଆବେଦନ କରିପାରେ । ସେକ୍ସ ସ୍କାଣ୍ଡାଲର ଭାଇରାଲ ଭିଡିଓ ଏବଂ ଅଡିଓ ନମୁନା ଯାଂଚ କରାଯିବ । ଜର୍ମାନୀରୁ ଭାରତ ଫେରିବା ପୂର୍ବରୁ ପ୍ରଜୱଲ ରେଭନ୍ନା କର୍ଣ୍ଣାଟକ କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ । ଏହି ଆବେଦନକୁ ନେଇ ତାଙ୍କ ମା’ କୋର୍ଟରେ ପହଂଚିଥିଲେ ମଧ୍ୟ ଆବେଦନ ଖାରଜ ହୋଇଯାଇଥିଲା । କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ପ୍ରଜୱଲ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ସମ୍ମୁଖୀନ ହୁଅନ୍ତୁ । ପ୍ରଜୱଲଙ୍କ ବିରୋଧରେ ୩ ଜଣ ମହିଳା ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ଦେଶକୁ ଫେରିବା ପାଇଁ ପରିବାର ଲୋକଙ୍କ ନିବେଦନ ପରେ ପ୍ରଜୱଲ ରେବନ୍ନା ମେ ୨୭ ରେ ଜର୍ମାନୀରୁ ଏକ ଭିଡିଓ ଜାରି କରିଥିଲେ । ଏଥିରେ ସେ ମେ ୩୧ତାରିଖରେ ଏସ୍ଆଇଟି ନିକଟରେ ହାଜର ହେବେ ବୋଲି କହିଥିଲେ । ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ମିଥ୍ୟା ଓ ଭିତିହୀନ । ଭାଇରାଲ ହୋଇଥିବା ଭିଡିଓ ଗୁଡ଼ିକ ତାଙ୍କର ନୁହେଁ । ପ୍ରଜୱଲ ବିରୋଧୀଙ୍କ ବିରୋଧରେ ଷଡ଼ଯନ୍ତ୍ର ଅଭିଯୋଗ ଆଣିଛନ୍ତି ।