କନକ ବ୍ୟୁରୋ : ବୁର୍ଖା ବିବାଦ ଭିତରେ ଆଜି କର୍ଣ୍ଣାଟକରେ ସ୍କୁଲ ଖୋଲୁଛି । ତେଣୁ ଉଡୁପି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍କୁଲ କ୍ୟାମ୍ପସ ଠାରୁ ୨ଶହ ମିଟର ପରିସର ଭିତରେ ୧୪୪ ଧାରା ଜାରି କରାଯାଇଛି । ଆଜି ସକାଳ ୬ଟାରୁ ଫେବୃୟାରୀ ୧୯ ତାରିଖ ସନ୍ଧ୍ୟା ୬ଟା ଯାଏଁ ଏହି କଟକଣା ବଳବତର ରହିବ । ଏହି ସମୟରେ ସ୍କୁଲ ପରିସରରେ ୫ରୁ ଅଧିକ ଲୋକ ଏକାଠି ହେବା ମନା । ବିକ୍ଷୋଭ, ରାଲି ଉପରେ ମଧ୍ୟ କଟକଣା ରହିବ ।

Advertisment

ଏହାଛଡା ସ୍କୁଲ କ୍ୟାମ୍ପସରେ ନାରାବାଜି, ଗୀତ ଗାଇବା, ଭାଷଣ ଦେବା ଉପରେ କଡା କଟକଣା ଜାରି କରିଛି ଉଡୁପି ପ୍ରଶାସନ । ରାଜ୍ୟରେ ବୁର୍ଖାକୁ ନେଇ ବିବାଦ ଦେଖା ଦେବାରୁ ସ୍କୁଲଗୁଡିକ ବନ୍ଦ କରାଯାଇଥିଲା । ଅନ୍ୟପଟେ ବୁର୍ଖା ବିବାଦ ମାମଲାର ଶୁଣାଣି କରି, କର୍ଣ୍ଣାଟକ ହାଇକୋର୍ଟ ଅନ୍ତିମ ରାୟ ନ ଆସିବା ଯାଏଁ ଛାତ୍ରଛାତ୍ରୀଙ୍କୁ ଶିକ୍ଷାନୁଷ୍ଠାନରେ ଧାର୍ମିକ ପ୍ରତୀକର ବ୍ୟବହାର ଉପରେ ରୋକ ଲଗାଇଛନ୍ତି । ତେଣୁ ସ୍କୁଲ, କଲେଜରେ ଏଣିକି ବୁର୍ଖା କିମ୍ବା ଗୈରକ ଉତରୀୟ ଧରି ଛାତ୍ରଛାତ୍ରୀ ଯାଇ ପାରିବେ ନାହିଁ ।

ସେପଟେ ସ୍କୁଲ ଖୋଲିବାର ଦିନକ ଆଗରୁ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ସ୍କୁଲରେ ଶାନ୍ତିର ସହ ସ୍ୱଭାବିକ ଭାବେ ପାଠ ପଢା ହେବ ବୋଲି ଆଶା ପ୍ରକାଶ କରିଛନ୍ତି । ଏହାଛଡା ସମ୍ବେଦନଶୀଳ ଅଂଚଳର ସ୍କୁଲରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ପାଇଁ ଏସପି ଓ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତଙ୍କ ମନରେ ଭାଇଚାରା ଭାବ ଆଣିବା ପାଇଁ ଶିକ୍ଷକ ଓ ଅଭିଭାବକଙ୍କୁ ନେଇ ବୈଠକ କରିବାକୁ ଏସପି ଓ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ । ଏଥିସହ ସେ କହିଛନ୍ତି, ସ୍ଥିତିକୁ ଦେଖି ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଖୋଲିବା ଉପରେ ବିଚାର କରାଯିବ ।