କାଳେ ବିଧାୟକଙ୍କୁ କିଏ ନେଇଯିବ ? ୨୫ ହଜାର ଟଙ୍କିଆ ରୁମରେ ବିଧାୟକଙ୍କୁ ଲୁଚାଇ ରଖିଛି ଜେଡିଏସ, ମୁମ୍ବାଇରେ ଡେରା ପକାଇଛନ୍ତି ବାଗୀ ବିଧାୟକ ।

240

ନାଟକୀୟ ମୋଡରେ କର୍ଣ୍ଣାଟକ ରାଜନୀତି । ପ୍ରତି ମୁହୂର୍ତ୍ତରେ ବଦଳୁଛି ରାଜନୈତିକ ସମୀକରଣ । କଂଗ୍ରେସ-ଜେଡିଏସ ମେଣ୍ଟ ସରକାରରେ ଥିବା ୧୩ଜଣ ବିଧାୟକ ଇସ୍ତଫା ଦେଇସାରିବା ପରେ ଏବେ ପ୍ରଶ୍ନ ଉଠୁଛି କର୍ଣ୍ଣାଟକରେ ମେଣ୍ଟ ସରକାର ତିଷ୍ଠି ପାରିବ ନା ନାହିଁ । ଆଉ ଏଭଳି ସମୟରେ ମେଣ୍ଟ ସରକାର ବଞ୍ଚାଇବା ପାଇଁ କଂଗ୍ରେସ ଓ ଜେଡିଏସ ନେତା ଜୋରଦାର ପ୍ରୟାସ ଆରମ୍ଭ କରିଛନ୍ତି । ବିଦ୍ରୋହୀ ବିଧାୟକମାନଙ୍କୁ ମନେଇବା ପାଇଁ ଚାଲିଛି ଚେଷ୍ଟା । ମନ୍ତ୍ରୀପଦର ଲୋଭ ଦେଖାଇ ପୁଣି ଥରେ ଇସ୍ତଫା ଦେଇଥିବା ବିଧାୟକମାନଙ୍କୁ ଫେରାଇ ଆଣିବାକୁ ପ୍ରୟାସ ଚଳାଇଛି କଂଗ୍ରେସ ।

ଆଉ ଏସବୁ ଭିତରେ ଘୋଡାବେପାରକୁ ଦୃଷ୍ଟିରେ ରଖି ଜେଡିଏସ ନିଜ ବିଧାୟକଙ୍କୁ ଲୁଚାଇ ରଖିବା ଅଭିଯାନ ଆରମ୍ଭ କରିଛି । ଜେଡିଏସ ଶିବିରରୁ ଯେପରି ଅନ୍ୟ କୌଣସି ବିଧାୟକ ଇସ୍ତଫା ନ ଦେଇପାରିବେ ସେଥିପାଇଁ ବିଧାୟକଙ୍କୁ ପଞ୍ଚତାରକା ହୋଟେଲରେ କଡା ସୁରକ୍ଷା ମଧ୍ୟରେ ରଖାଯାଇଛି । ଗୋଟିଏ ପଟେ କୁମାରସ୍ୱାମୀ ସରକାର ଉପରେ ସଙ୍କଟ ଟଳିନଥିବା ବେଳେ ଅନ୍ୟପଟେ ବିଧାୟକ ମାନେ ବେଶ ଅୟସ ଆରାମରେ ଦିନ କାଟୁଛନ୍ତି । ବିଧାୟକଙ୍କ ରହିବା ପାଇଁ ୧୦ଟି ପ୍ରାଇଭେଟ ପୁଲ୍ ଭିଲା, ୭ ବଙ୍ଗଳା ଓ ଡିଲକ୍ସ ରୁମ୍ ବୁକ୍ କରାଯାଇଛି । ଯେଉଁ ପୁଲ୍ ଭିଲାର ଦାମ ଦିନକୁ ୨୫ ହଜାର ଟଙ୍କା ରହିଛି । ଖାସ୍ ଜେଡିଏସ ବିଧାୟକଙ୍କୁ ବିଜେପିର ପୋଚିଂରୁ ବଞ୍ଚାଇବା ପାଇଁ ଏବେ ଲକ୍ଷ ଲକ୍ଷ ଟଙ୍କା ପାଣି ଭଳି ଖର୍ଚ୍ଚ କରୁଛି ଦଳ ।

ଏହାପୂର୍ବରୁ ଇସ୍ତଫା ଦେଇଥିବା ବିଧାୟକ ମାନେ କର୍ଣ୍ଣାଟକ ଛାଡି ବିଜେପି ନେତାଙ୍କ ଚାଟାର୍ଡ ପ୍ଲେନରେ ଆସି ମୁମ୍ବାଇରେ ଡେରା ପକାଇଛନ୍ତି । ମୁମ୍ବାଇର ବାନ୍ଦ୍ରାରେ ଥିବା ପଞ୍ଚତାରକା ସୋଫିଟେଲ ହୋଟେଲରେ ଡେରା ପକାଇଛନ୍ତି ଏହି ବାଗୀ ବିଧାୟକ । ଦଶ ଜଣ ବିଧାୟକ ସୋଫିଟେଲ ହୋଟେଲରେ ରହିଥିବା ବେଳେ ୩ ଜଣ ବିଧାୟକ ଶିରିଡିର ଅଜ୍ଞାତ ସ୍ଥାନରେ ରହିଛନ୍ତି । ଯେଉଁ ହୋଟେଲର ରାତିକୁ ଭଡା ୧୦ ହଜାର ଟଙ୍କାରୁ ଅଧିକ ।

୬ ମାସ ପୂର୍ବରୁ ମଧ୍ୟ ଯେତେବେଳେ କୁମାରସ୍ୱାମୀ ସରକାର ଉପରେ ସଙ୍କଟ ଦେଖା ଦେଇଥିଲା ସେତେବେଳେ ମଧ୍ୟ ପୋଚିଂ ଭୟରେ କଂଗ୍ରେସର ସମସ୍ତ ବିଧାୟକଙ୍କୁ ଏକ ଅଜ୍ଞାତ ସ୍ଥାନକୁ ନିଆଯାଇଥିଲା ।