କର୍ଣ୍ଣାଟକ ନାଟକରେ ନୀତି ନୂଆ ମୋଡ଼ । କଂଗ୍ରେସ ବିଧାୟକ ଦଳ ବୈଠକରେ ସାମିଲ ହେଲେନି ୧୦ ବାଗୀ ବିଧାୟକ, ଅଯୋଗ୍ୟ ଘୋଷଣା କରିବାକୁ ଦାବି କଲା ଦଳ

149

କନକ ବ୍ୟୁରୋ : ନାଟକ ଚାଲିଛି କର୍ଣ୍ଣାଟକରେ । କୁମାରସ୍ୱାମୀ ସରକାରଙ୍କ ଉପରେ ସଙ୍କଟ ବଢି ଚାଲିଥିବା ବେଳେ ଆଜି ବେଙ୍ଗାଳୁରୁରେ ବସିଥିଲା କଂଗ୍ରେସ ବିଧାୟକ ଦଳ ବୈଠକ । ହେଲେ ବୈଠକକୁ ଆସି ନାହାନ୍ତି ୧୦ ବିଦ୍ରୋହୀ ବିଧାୟକ । ଏପଟେ ବାଗି ବିଧାୟକଙ୍କ ବିରୋଧରେ ଦଳ ବଦଳ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବାକୁ ବାଚସ୍ପତିଙ୍କୁ ଅନୁରୋଧ କରିବ ବୋଲି କହିଛି କଂଗ୍ରେସ ।

କର୍ଣ୍ଣାଟକ ନାଟକରେ ନୀତି ନୂଆ ମୋଡ । କୁମାରସ୍ୱାମୀ ସରକାରଙ୍କ ଉପରେ ସଂକଟର କଳା ବାଦଲ ଘୋଡାଇ ହୋଇ ରହିଥିବାବେଳେ ବେଙ୍ଗାଳୁରୁରେ ବସିଛି କଂଗ୍ରେସ ବିଧାୟକ ଦଳ ବୈଠକ । ହେଲେ ବୈଠକକୁ ଆସି ନାହାନ୍ତି ୧୦ ବିଦ୍ରୋହୀ ବିଧାୟକ । ସବୁକିଛି ଠିକଠାକ୍ ଚାଲିଛି ଓ ସରକାରଙ୍କ ଉପରେ କୌଣସି ସଂକଟ ନାହିଁ ବୋଲି ଉଭୟ କଂଗ୍ରେସ ଓ ଜେଡିଏସ ବାରମ୍ବାର ଦାବି କରୁଥିଲେ ମଧ୍ୟ ୧୦ ବାଗି ବିଧାୟକ ବୈଠକରେ ଅନୁପସ୍ଥିତ ରହିବା ମେଂଟ ସରକାର ପାଇଁ ବଡ ସମସ୍ୟା ତିଆରି କରିଛି ।

ଅନ୍ୟପଟେ ବାଗି ବିଧାୟକଙ୍କ ବିରୋଧରେ ଦଳ ବଦଳ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବାକୁ ବାଚସ୍ପତିଙ୍କୁ ଅନୁରୋଧ କରିବ ବୋଲି କହିଛି କଂଗ୍ରେସ । ଇସ୍ତଫା ଦେଇଥିବା ସମସ୍ତ ୧୦ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ସହ ୬ ବର୍ଷ ଯାଏଁ ନିର୍ବାଚନ ଲଢିବାକୁ ନଦେବା ପାଇଁ ବାଚସ୍ପତିଙ୍କୁ ଅନୁରୋଧ କରାଯିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ସିଦ୍ଧରମୈୟା । ସେପଟେ ବାଚସ୍ପତି କେଆର ରମେଶ କୁମାର କହିଛନ୍ତି ଯେ, ୧୩ ବିଧାୟକଙ୍କ ମଧ୍ୟରୁ ୮ଜଣ ବ୍ୟକ୍ତିଗତ ଭାବେ ହାଜର ନହୋଇ ଇସ୍ତଫା ଦେଇଛନ୍ତି । ତେଣୁ ସେମାନଙ୍କୁ ହାଜର ହେବା ପାଇଁ ନୋଟିସ କରାଯାଇଛି । ଏନେଇ ସେ ରାଜ୍ୟପାଳଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ।

ମେଣ୍ଟ ସରକାରରୁ ଇସ୍ତଫା ଦେଇଥିବା ସମସ୍ତ ୧୪ ବିଧାୟକ ଏବେ ପୁଣେଠାରୁ ୯୦ କିଲୋମିଟର ଦୂରରେ ଅଛନ୍ତି । ରବିବାରଠାରୁ ମୁମ୍ବାଇର ଏକ ହୋଟେଲରେ ରହିଥିବା ଏହି ବାଗି ବିଧାୟକମାନେ ସୋମବାର ସଂଧ୍ୟାରେ ଗୋଆ ଅଭିମୁଖେ ବାହାରିଥିଲେ । ହେଲେ ଇସ୍ତଫା ନେଇ ବାଚସ୍ପତିଙ୍କ ନିଷ୍ପତିକୁ ଅପେକ୍ଷା କରି ଅଧାରେ ଅଟକିଥିବା ଜଣାପଡିଛି । ଇସ୍ତଫା ଗ୍ରହଣ ହେଲେ ବେଙ୍ଗାଳୁରୁ ଫେରିବେ ନହେଲେ ଗୋଆ ଚାଲିଯିବେ ବୋଲି ଜଣାପଡିଛି ।