କନକ ବ୍ୟୁରୋ : କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର ବୁଧବାର ଦିନ ପୁଣିଥରେ ବିଜେପିରେ ସାମିଲ ହୋଇଛନ୍ତି । ଗତ ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିଲେ । ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଉପସ୍ଥିତିରେ ଶେଟ୍ଟାର ବିଜେପିରେ ଯୋଗ ଦେଇଛନ୍ତି । ଏହି ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର, କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିରୂପା, ମିଡିଆ ବିଭାଗର ମୁଖ୍ୟ ପ୍ରବକ୍ତା ଅନିଲ ବେଲୁନୀ ପ୍ରମୁଖ ଉପସ୍ଥିତ ଥିଲେ ।

ହୁବଲୀ ଧାରବାଡ ମଧ୍ୟ ଆସନରୁ ୬ ଥର ବିଧାୟକ ହୋଇଥିବା ୬୭ ବର୍ଷିୟ ଶେଟ୍ଟାର ଗତ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ଯୋଗ ଦେଇଥିଲେ । ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ତାଙ୍କୁ ପ୍ରାର୍ଥୀ କରୁନାହିଁ ବୋଲି ସ୍ପଷ୍ଟ ହେବା ପରେ ସେ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିଲେ ।

କଂଗ୍ରେସରେ ସାମିଲ ହେବା ପରେ ସେ ବିଜେପି ଉପରେ ଅନେକ ଅଭିଯୋଗ ଆଣିଥିଲେ । ସେ କହିଥିଲେ କି, ଦୀର୍ଘଦିନ ଧରି ସେ ବିଜେପିରେ କାମ କରୁଥିଲେ ବି ବିଜେପି ତାଙ୍କୁ ଟିକେଟ୍ ନଦେଇ ଅପମାନିତ କରିଛି । ଏହାସହ ବିଜେପି କିଛି ସିମୀତ ଲୋକଙ୍କ ନିୟନ୍ତ୍ରଣରେ ଚାଲୁଛି ବୋଲି ସେ ଅଭିଯୋଗ କରିଥିଲେ । କଂଗ୍ରେସରେ ଯୋଗ ଦେବା ପରେ ଶେଟ୍ଟାରଙ୍କୁ ଦଳ ହୁବଲୀ ଧାରବାଡ ମଧ୍ୟ ଆସନରୁ ପ୍ରାର୍ଥୀ କରିଥିଲା । ହେଲେ ସେ ବିଜେପି ପ୍ରାର୍ଥୀଙ୍କ ଠାରୁ ପରାଜିତ ହୋଇଥିଲେ ।