କର୍ଣ୍ଣାଟକ ନାଟକରେ ନୂଆ ମୋଡ଼ ଆଣିଲା ମିଡନାଇଟ୍ କଲ୍ ! କ’ଣ ଥିଲା ଦିଲ୍ଲୀରୁ ବାଙ୍ଗାଲୁର ଆସିଥିବା ଫୋନ୍ କଲର କାହାଣୀ, ପଢ଼ନ୍ତୁ ।

374

କନକ ବ୍ୟୁରୋ: ମଧ୍ୟରାତ୍ରିର ଫୋନ୍ କଲ୍ ବଦଳାଇଦେଲା କର୍ଣ୍ଣାଟକର ରାଜନୈତିକ ଦୃଶ୍ୟପଟ । ବିଧାନସଭାରେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ସଂଖ୍ୟାଗରିଷ୍ଠତା ପ୍ରମାଣ କରିନଥିବାରୁ ଭାଙ୍ଗିଯାଇଥିଲା ସରକାର । ଆଉ ଏହାପରେ କର୍ଣ୍ଣାଟକରେ ବିଜେପିର ପରବର୍ତି ପଦକ୍ଷେପ କଣ ରହିବ ସେଥିପାଇଁ କେନ୍ଦ୍ରୀୟ ନେତୃତ୍ୱର ନିଷ୍ପତିକୁ ଅପେକ୍ଷା କରିରହିଥିଲା ଦଳ । କର୍ଣ୍ଣାଟକର ବରିଷ୍ଠ ନେତା ଦିଲ୍ଲୀ ପହଂଚି କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ତୁହାକୁ ତୁହା ଆଲୋଚନା ବି କରିଥିଲେ ।

କର୍ଣ୍ଣାଟକ ନାଟକ ମଝିରେ ଗୁରୁବାର ରାତି ଠିକ୍ ୧୧ଟା ୪୫ମିନିଟରେ ୟେଦୁରପ୍ପାଙ୍କ ନିକଟକୁ ଆସିଥିଲା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଫୋନ୍ କଲ୍ । ଏବଂ କର୍ଣ୍ଣାଟକରେ ସରକାର ଗଠନ ପାଇଁ ମିଳିଯାଇଥିଲା ଗ୍ରୀନ୍ ସିଗନାଲ । କେନ୍ଦ୍ରୀୟ ନେତୃତ୍ୱଙ୍କ ନିର୍ଦ୍ଦେଶ ମୁତାବକ ଶୁକ୍ରବାର ଦିନ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇଥିଲେ । ଏବଂ ସଂଧ୍ୟା ହେଉ ହେଉ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରି ନିଜର ଚତୁର୍ଥ ପାଳି ଆରମ୍ଭ କରିଥିଲେ ବିଜେପିର ଏହି ବରିଷ୍ଠ ନେତା ।

ୟେଦୁରପ୍ପାଙ୍କୁ ଶାହା ତରବରିଆ ଭାବେ କୌଣସି ଘୋଷଣା ନକରି ଶୁକ୍ରବାର ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଥିଲେ । ସେପଟେ ସକାଳ ହେଉ ହେଉ ୟେଦୁରପ୍ପାଙ୍କ ନିକଟକୁ ଆସିଥିଲା ଜେପି ନଡ୍ଡାଙ୍କ ଫୋନ୍ କଲ୍ । ସରକାର ଗଠନ ନେଇ ୟେଦି କେତେ ସୁନିଶ୍ଚିବ ବୋଲି ପଚାରିଥିଲେ ନଡ୍ଡା । ଏବଂ ନିଜ ଦାୟିତ୍ୱରେ ସେ ସରକାର ଗଠନ କରିବେ ବୋଲି ନଡ୍ଡାଙ୍କୁ ଆଶ୍ୱସ୍ତି ଦେଇଥିଲେ ବିଜେପିର ଏହି ବରିଷ୍ଠ ନେତା ।

ପ୍ରଧାନମନ୍ତ୍ରୀଙ୍କ ସହ ବିଚାର ବିମର୍ଷ ପରେ କର୍ଣ୍ଣାଟକରେ ସରକାର ଗଠନ ପ୍ରକ୍ରୀୟାକୁ ତ୍ୱରାନ୍ୱିତ କରିଥିଲା ବିଜେପି । ମୋଦିଙ୍କ ସହ ଆଲୋଚନା ପରେ ଶାହା ଓ ନଡ୍ଡା କର୍ଣ୍ଣାଟକରେ ସରକାର ଗଠନ ପାଇଁ ଗ୍ରୀନ ସିଗନାଲ ଦେଇଥିଲେ  । ତେବେ କେବଳ ମୁଖ୍ୟମନ୍ତ୍ରୀ ଭାବେ ଏହି ଲିଙ୍ଗାୟତ ନେତାଙ୍କ ଶପଥ ଗ୍ରହଣ ହେବ । ଏବଂ ୨୯ତାରିଖରେ ନୂଆ ସରକାର ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବା ପରେ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ହେବ ବୋଲି ନିଷ୍ପତି ନିଆଯାଇଥିଲା ।