କର୍ଣ୍ଣାଟକ ନାଟକର ଅନ୍ତ କେବେ? ପ୍ରତି ମୁହୂର୍ତ୍ତରେ ବଦଳୁଛି ଚିତ୍ର, ଜେଡିଏସକୁ ମୁଖ୍ୟମନ୍ତ୍ରୀ ପଦ ଅଫର କଲା ବିଜେପି

ସେପଟେ, ସୁପ୍ରିମକୋର୍ଟରେ ଆଜି ବି ହେବ ଶୁଣାଣି

222

କନକ ବ୍ୟୁରୋ: କର୍ଣ୍ଣାଟକ ନାଟକ ରୋଚକ ମୋଡ ନେଉଛି । କଂଗ୍ରେସ-ଜେଡିଏସ ମେଂଟ ସରକାର ସଂକଟରେ ଥିବା ବେଳେ ନୂଆ ସମୀକରଣ ନେଇ ଚର୍ଚ୍ଚା ଜୋର ଧରିଛି । ଏବେ ଜେଡିଏସ ସହ ବିଜେପି ମେଂଟ ସରକାର କରିବା ନେଇ କସରତ ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି । ଏପରିକି ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀଙ୍କୁ ମୁଖ୍ୟମନ୍ତ୍ରୀ ପଦର ଅଫର ବିଜେପି ଯାଚିଥିବା ଶୁଣିବାକୁ ମିଳିଛି । ଗତକାଲି ରାତିରେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ଘନିଷ୍ଠ ସହଯୋଗୀ ଓ ପର୍ଯ୍ୟଟନ ମନ୍ତ୍ରୀ ଆର ମହେଶଙ୍କୁ ବିଜେପି ମହାସଚିବ ମୁରଲୀଧର ରାଓ ସାକ୍ଷାତ ଆଲୋଚନା କରିଛନ୍ତି । କଡା ସୁରକ୍ଷା ମଧ୍ୟରେ ଦୁଇ ନେତା ସାଂପ୍ରତିକ ସ୍ଥିତି ଉପରେ ଚର୍ଚ୍ଚା କରିଥିଲେ ।

ସେପଟେ କଂଗ୍ରେସର ବିଦ୍ରୋହୀ ବିଧାୟକଙ୍କୁ ନେଇ ବିଜେପିରେ ଅନ୍ତଃକନ୍ଦଳ ଦେଖା ଦେଇଛି । କଂଗ୍ରେସର ବିଦ୍ରୋହୀ ବିଧାୟକଙ୍କୁ ଦଳର ସାମିଲ କରିବା ନେଇ କିଛି ରାଜ୍ୟ ବିଜେପି ନେତା ଜୋରଦାର ବିରୋଧ କରୁଛନ୍ତି । ତେଣୁ ଜେଡିଏସ ସହ ମେଂଟ ଉପରେ ବିଜେପି ବିଚାର କରୁଛି । ଅନ୍ୟପଟେ ପର୍ଯ୍ୟଟନ ମନ୍ତ୍ରୀ ଆର ମହେଶଙ୍କ ସହ ମୁରଲୀଧର ରାଓ ଆଲୋଚନା କରିଥିବା ଘଟଣା ସାମ୍ନାକୁ ଆସିବା ପରେ ବିଜେପି-ଜେଡିଏସ ମେଂଟ ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଚର୍ଚ୍ଚାର କୌଣସି ସତ୍ୟତା ନାହିଁ । ଜେଡିଏସ ମନ୍ତ୍ରୀ ଆର ମହେଶଙ୍କୁ ସାର୍ବଜନୀନ ସ୍ଥାନରେ ଭେଟିବା ଏକ ସଂଯୋଗ ମାତ୍ର ।

ସେପଟେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଗତକାଲି କଡା ସୁରକ୍ଷାରେ ବେଙ୍ଗଲୁରୁ ସ୍ଥିତ ବିଧାନସୌଧରେ ୧୧ ବିଦ୍ରୋହୀ ବିଧାୟକ, ବାଚସ୍ପତି କେ. ଆର ରମେଶଙ୍କୁ ଭେଟିଥିଲେ । ତେବେ ଇସ୍ତଫା ପ୍ରସଙ୍ଗରେ ନିଷ୍ପତି ନେଇ ନାହାନ୍ତି ବାଚସ୍ପତି । ଏନେଇ ସେ ଗତକାଲି ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଇସ୍ତଫା ପ୍ରସଙ୍ଗରେ ନିଷ୍ପତି ନେବାକୁ ଅତିକମରେ ୧୨ ଦିନ ସମୟ ଦେବାକୁ ବାଚସ୍ପତି ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି । ସ୍ୱେଚ୍ଛାକୃତ ଭାବେ ନା ବାଧ୍ୟବାଧକତାରେ ସେମାନେ ଇସ୍ତଫା ଦେଇଛନ୍ତି ତାହା ଜାଣିବା ପାଇଁ ସମୟ ଦରକାର ।

ଏତେ କମ ସମୟ ମଧ୍ୟରେ ଏହି ଯାଂଚ ଶେଷ ହୋଇପାରିବ ନାହିଁ ବୋଲି ସେ ସୁପ୍ରିମକୋର୍ଟରେ କହିଛନ୍ତି । ଯାହାର ଶୁଣାଣି ଆଜି କରିବେ ସୁପ୍ରିମକୋର୍ଟ । ଗତକାଲି ବିଦ୍ରୋହୀ ବିଧାୟକ ଭେଟିବା ପରେ ପ୍ରେସ କନଫରେନ୍ସ କରି କର୍ଣ୍ଣାଟକ ବାଚସ୍ପତି କହିଥିଲେ । ଇସ୍ତଫା ପତ୍ର ଯାଂଚ କରିବାକୁ ସମୟ ଲାଗିବ । ଏଠି ଇସ୍ତଫା ଗ୍ରହଣ କରିବା କିମ୍ବା ଖାରଜ କରିବା ପ୍ରଶ୍ନ ଉଠୁ ନାହିଁ । ମୋତେ କଣ ବିଜୁଳିର ଗତିରେ କାମ କରିବା ଉଚିତ । ଯଦି ଏପରି କରିବା ଉଚିତ ତେବେ କାହା ପାଇଁ ବୋଲି ସେ ପ୍ରଶ୍ନ କରିଛନ୍ତି । କେବଳ ସମ୍ବିଧାନିକ ବିଧି ବ୍ୟବସ୍ଥା ଅନୁସାରେ ନିଷ୍ପତି ନିଆଯିବ ବୋଲି ସେ କହିଛନ୍ତି ।