ମହିଳାଙ୍କୁ ସୁରକ୍ଷାରେ ତତ୍ପର ପୋଲିସ୍ : ପଞ୍ଜାବ ପରେ କର୍ଣ୍ଣାଟକ ପୋଲିସର ଅଭିନବ ପ୍ରୟାସ , ରାତି ୧୦ଟାରୁ ସକାଳ ୬ଟା ମଧ୍ୟରେ ବାହାରେ ଅଟକିଥିବା ମହିଳାଙ୍କୁ ଘରେ ଛାଡିବ ପୋଲିସ ।

193

ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କୁ ଗଣ ଦୁଷ୍କର୍ମ ଓ ହତ୍ୟା ଘଟଣା ପୁରା ଦେଶକୁ ସ୍ତବ୍ଦ କରିଦେଇଛି । ପୀଡିତାଙ୍କ ସହିତ ହୋଇଥିବା ଗଣ ଦୁଷ୍କର୍ମରେ ଅଭିଯୁକ୍ତମାନଙ୍କୁ ପୋଲିସ ଏନକାଉଣ୍ଟର କରିଦେଇଛି ସତ , କିନ୍ତୁ ଏହାପରେ ମଧ୍ୟ ଦେଶରେ ମହିଳାଙ୍କ ପ୍ରତି ଦୁଷ୍କର୍ମ କମିବା ପରିବର୍ତ୍ତେ ବଢି ବଢି ଚାଲିଛି । ମହିଳାମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୂଚନାନୁସାରେ, ଦେଶରେ ମହିଳାଙ୍କ ବିରୁଦ୍ଧରେ ବଢୁଥିବା ଅପରାଧକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ପୋଲିସ ଏକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି । ଏଠାକାର ପୋଲିସ ରାତିରେ ମହିଳାମାନଙ୍କୁ ସୁରକ୍ଷିତ ଭାବେ ତାଙ୍କ ଘରେ ଛାଡିବାର କାମ ଆରମ୍ଭ କରିିଛି । ପୋଲିସ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ମାଗଣାରେ କରୁଛି । ପୋଲିସ ଏଥିପାଇଁ ଏକ ହେଲପଲାଇନ ନମ୍ବର ଜାରି କରିଛି । ରାତି ସମୟରେ ଯଦି କୌଣସି ମହିଳା ଘରକୁ ଯିବାରେ ଅସୁବିଧା ହେଉଛି କିମ୍ବା କୌଣସି ଟ୍ୟାକ୍ସି ବା ଅଟୋରେ ଯିବାକୁ ମହିଳାମାନେ ସୁରକ୍ଷିତ ମଣୁନାହାନ୍ତି ତେବେ ସେମାନେ ସେହି ନମ୍ବରକୁ ଫୋନ କରି ସହାୟତା ମାଗି ପାରିବେ ।

ରାତି ୧୦ ଟାରୁ ସକାଳ ୬ଟା ମଧ୍ୟରେ ପୋଲିସ ମହିଳାଙ୍କୁ ସୁରକ୍ଷିତ ଭାବେ ସେମାନଙ୍କ ଘରେ ପହଞ୍ଚାଇବ । ଏହାକୁ ନେଇ ଗଡଗ ପୋଲିସ ଅଧୀକ୍ଷକ ଶ୍ରୀନାଥ ଜୋଶୀ କହିଛନ୍ତି, ମହିଳାମାନେ କୌଣସି ପୋଲିସ ଷ୍ଟେସନ କିମ୍ବା ଦେୟମୁକ୍ତ ହେଲ୍ପଲାଇନ୍ ନମ୍ବରକୁ ଫୋନ୍ କରିପାରିବେ । ପୋଲିସ ମହିଳାଙ୍କୁ ଉକ୍ତ ସ୍ଥାନରୁ  ଆଣି ତାଙ୍କୁ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚାଇବ । ହାଇଦ୍ରାବାଦ ଓ ଉନ୍ନାଓ ଘଟଣାକୁ ନେଇ ଦେଶବ୍ୟାପି ଆଲୋଡନ ସୃଷ୍ଟି ହୋଇଥିବା ସମୟରେ କର୍ଣ୍ଣାଟକ ପୋଲିସର ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି । ତେବେ, ଏହା ପୂର୍ବରୁ ପଞ୍ଜାବ ସରକାର ମହିଳାଙ୍କୁ ସୁରକ୍ଷିତ ଘରେ  ପହଞ୍ଚାଇବା ପାଇଁ ହେଲପଲାଇନ ନମ୍ବର ଜାରି କରିଛନ୍ତି । ଏହି ସୁବିଧା ରାତି ୯ ଟାରୁ ସକାଳ ୬ ଟା ଯାଏଁ ଉପଲବ୍ଧ ହେବ । ଯଦି କୌଣସି ମହିଳା ରାତି ୯ ଟାରୁ ସକାଳ ୬ଟା ମଧ୍ୟରେ  କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହୁଅନ୍ତି ତାହାଲେ ପଞ୍ଜାବ ପୋଲିସ ସେମାନଙ୍କୁ ସୁରକ୍ଷିତ ଭାବେ ଘରେ ପହଞ୍ଚାଇବ । ପଞ୍ଜାବ ପୋଲିସ ୧୦୦, ୧୧୨, ୧୮୧ ନମ୍ବର ବିଶିଷ୍ଟ ହେଲପଲାଇନ ନମ୍ବର ଜାରି କରିଛି । ଏହି ନମ୍ବରରେ ଫୋନ କରିଥିବା ମହିଳାଙ୍କୁ ପୋଲିସ ସହାୟତା ପ୍ରଦାନ କରିବ ।