ଭାରତରେ ନିର୍ମାଣ ହେବ ସ୍ୱତନ୍ତ୍ର ହେଲିକପ୍ଟର, ପ୍ରଧାନମନ୍ତ୍ରୀ ମୋଦୀ ହାଲର ନୂଆ କାରଖାନାର ସୋମବାର କରିବେ ଉଦଘାଟନ ।

141

କନକ ବ୍ୟୁରୋ: ସୋମବାର କର୍ଣ୍ଣାଟକ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଫେବ୍ରୁଆରୀ ୬ରେ ସେ କର୍ଣ୍ଣାଟକ ଗସ୍ତରେ ଯିବେ । ଏହି ସମୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦଘାଟନ କରିବେ ମୋଦୀ । ପ୍ରଧାନମନ୍ତ୍ରୀ ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭର କରିବା ପାଇଁ ହାଲରେ ପ୍ରସ୍ତୁତ ହେଉଥିବା ହେଲିକପ୍ଟର କାରଖାନା ରାଷ୍ଟ୍ରକୁ ଉତ୍ସର୍ଗୀକୃତ କରିବେ । ଏହା ପ୍ରତିରକ୍ଷା କ୍ଷେତ୍ରରେ ଭାରତ ପାଇଁ ବଡ ଆହ୍ୱାନ । ଏହା ପୂର୍ବରୁ ବେଙ୍ଗାଲୁରୁରେ ଭାରତ ଉର୍ଜା ସପ୍ତାହ-୨୦୨୩ର ଉଦଘାଟନ କରିବେ । ସେହିଭଳି କିଛି ଉନ୍ନୟନମୂଳକ ଯୋଜନାର ମଧ୍ୟ ଶୁଭାରମ୍ଭ କରିବେ ।

୨୦୧୬ ମସିହାରେ ହାଲର ଏହି ହେଲିକପ୍ଟର କାରଖାନା ପାଇଁ ନିଜେ ପ୍ରଧାନମନ୍ତ୍ରୀ ମୋଦୀ ଆଧାରଶିଳା ରଖିଥିଲେ । ଏହା ପରିବେଶ ଉପଯୋଗୀ ହେଲିକପ୍ଟର କାରଖାନା । ଏହି ହେଲିକପ୍ଟର କାରଖାନା ଏସିଆ ମହାଦେଶର ସବୁଠାରୁ ବଡ ହେଲିକପ୍ଟର ନିର୍ମାଣ କରୁଥିବା ୟୁନିଟ । ଯାହାର ଶୁଭାରମ୍ଭ ହେବା ପରେ ପ୍ରଥମେ ଲାଇଟ ୟୁଟିଲିଟି ହେଲିକପ୍ଟର ଉତ୍ପାଦିତ ହେବ । ଏଲୟୁଏଚ ସ୍ଥାନୀୟ ଭାବେ ପ୍ରସ୍ତୁତ ହେଉଥିବା ୩ଟନ ବିଶିଷ୍ଟ ଗୋଟିଏ ଇଞ୍ଜିନ ଥିବା ୟୁଟିଲିଟି ହେଲିକପ୍ଟର । ଏହାଛଡା ଫ୍ୟାକ୍ଟ୍ରିରେ ଅନ୍ୟ ହେଲିକପ୍ଟର ନିର୍ମାଣ ତଥା ମରାମତି କରାଯିବ । ଏଠାରୁ ହେଲିକପ୍ଟର ନିର୍ମାଣ କରି ଅନ୍ୟସ୍ଥାନକୁ ପଠାଯିବା ପାଇଁ ବ୍ୟବସ୍ଥା ହୋଇଛି ।