କନକ ବ୍ୟୁରୋ : କର୍ଣ୍ଣାଟକ ଜଳ ସଂଶାଧନ ମନ୍ତ୍ରୀ ତଥା ବିଜେପି ନେତା ରମେଶ ଜରକିହୋଲିଙ୍କ ନାଁରେ ଗମ୍ଭୀର ଅଭିଯୋଗ ଆସିଛି ।  ସେକ୍ସ ସ୍କାଣ୍ଡାଲ ଭଳି ସଙ୍ଗୀନ ଅଭିଯୋଗ ଆସିବା ପରେ କର୍ଣ୍ଣାଟକ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି । ଶାସକ ଦଳର ବିଧାୟକଙ୍କ ନାଁରେ ଏହି ଅଭିଯୋଗ ଆସିଥିବାରୁ ବିରୋଧୀ କଂଗ୍ରେସ ଏବେ ରାସ୍ତାକୁ ଓହ୍ଲାଇଛି । ତୁରନ୍ତ ଏହି ଘଟଣାର ଯାଞ୍ଚ କରାଯିବା ସହ ଜରକିହୋଲି ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି କଂଗ୍ରେସ ଦାବି କରି ଆସୁଛି ।

Advertisment

ତେବେ ଏସବୁ ଭିତରେ ମନ୍ତ୍ରୀ ଗଣମାଧ୍ୟମ ସାମ୍ନାକୁ ଆସି କହିଛନ୍ତି, ଏହା ଏକ ଫର୍ଜି ଭିଡିଓ । ଏପରିକି ଭିଡ଼ିଓରେ ଥିବା ମହିଳା ଓ ଅଭିଯୋଗକାରୀଙ୍କୁ ମଧ୍ୟ ସେ ଜାଣିନଥିବା କହିଛନ୍ତି ରମେଶ । ଏନେଇ ହାଇକମାଣ୍ଡଙ୍କ ସହ ଆଲୋଚନା କରିବି ଓ ନିଜର ପକ୍ଷ ରଖିବି । ଯଦି ଆସିଥିବା ଅଭିଯୋଗ ପ୍ରମାଣିତ ହୁଏ ତେବେ ରାଜନୀତି ଓ ମନ୍ତ୍ରୀ ପଦ ଛାଡିଦେବି ବୋଲି କହିଛନ୍ତି ରମେଶ ।

ଏଭଳି ମାମଲା ଏବେ ବିଜେପିକୁ ଅଡୁଆରେ ପକାଇଥିବା ବେଳେ ଦିଲ୍ଲୀ ସ୍ତରୀୟ ନେତା ମଧ୍ୟ ଏହା ଭିତରେ ମୁଣ୍ଡ ପୂରାଇଛନ୍ତି । କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, ଗଣମାଧ୍ୟମରୁ ସେକ୍ସ ସାଣ୍ଡାଲର ଭିଡ଼ିଓ ବାବଦରେ ଜାଣିଛୁ । ଏନେଇ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଓ ପାର୍ଟି ସଭାପତିଙ୍କ ସହ ଆଲୋଚନା କରିବୁ । ମନ୍ତ୍ରୀଙ୍କ ଉପରେ ଆସିଥିବା ଅଭିଯୋଗ ଓ ଭିଡ଼ିଓର ସତ୍ୟତା ଯାଞ୍ଚ କରିବୁ, ଯଦି ଏହା ସତ ପ୍ରମାଣିତ ହୁଏ ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପ୍ରହ୍ଲାଦ ଯୋଶୀ ।

ପୂରା ମାମଲା ସେତେବେଳେ ସାମ୍ନାକୁ ଆସିଛି ଯେତେବେଳେ ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ନିର୍ବାଚନ ହେବାକୁ ଯାଇଛି । ଏହାବାଦ୍ କର୍ଣ୍ଣାଟକର ଗୋଟିଏ ଲୋକସଭା ଓ ଦୁଇଟି ବିଧାନସଭା ଆସନରେ ଉପନିର୍ବାଚନର ବିଗୁଲ ବାଜିବାକୁ ଅପେକ୍ଷା କରାଯାଇଛି । ଆଉ ସବୁଠୁ ବଡ କଥା ହେଲା, ଯେଉଁ ଲୋକସଭା ଆସନରେ ଉପନିର୍ବାଚନ ହେବାକୁ ଯାଉଛି ସେହି ଆସନର ଦାୟିତ୍ୱ ରମେଶଙ୍କ ଉପରେ ରହିଛି । ତେଣୁ ରମେଶଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପ-ନିର୍ବାଚନରେ ବିଜେପିକୁ ବ୍ୟାକଫୁଟକୁ ଠେଲିଦେବାର ସମ୍ଭାବନା ରହିଛି ।

କଣ ଥିଲା ଘଟଣା ?

କର୍ଣ୍ଣାଟକରେ ଉପ-ନିର୍ବାଚନ ହେବା ପୂର୍ବରୁ ମନ୍ତ୍ରୀଙ୍କ ବିରୋଧରେ ଏକ ସେକ୍ସ ସ୍କାଣ୍ଡାଲ ଭିଡ଼ିଓ ଭାଇରାଲ ହୋଇଥିଲା । ଏହି ସିଡିରେ ରମେଶ ଜାରକିହୋଲି ଜଣେ ମହିଳାଙ୍କୁ ଶାରୀରିକ ସର୍ମ୍ପକ ରଖିବାକୁ କହୁଥିବାର ଦେଖିବାକୁ ମିଳିଛି ।  ଯାହାକୁ ନେଇ ଏବେ ମନ୍ତ୍ରୀଙ୍କ ବିରୋଧରେ ପ୍ରତିବାଦର ସ୍ୱର ଉଠିଛି । କଂଗ୍ରେସ ଦଳ ପକ୍ଷରୁ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ ସହ ଜୋରଦାର ବିରୋଧ ପ୍ରଦର୍ଶନ କରାଯାଇଛି ।