କର୍ଣ୍ଣାଟକରେ ହୋଇପାରେ ରାଷ୍ଟ୍ରପତି ଶାସନ: ୩ ବିଦ୍ରୋହୀ ବିଧାୟକ ଅଯୋଗ୍ୟ ଘୋଷଣା; ଚଳିତ ବିଧାନସଭା ସରିବା ଯାଏଁ ଲଢିପାରିବେନି ନିର୍ବାଚନ

190

କନକ ବ୍ୟୁରୋ: କର୍ଣ୍ଣାଟକରେ ରାଜନୈତିକ ସ୍ଥିତି ପୁଣି ମୋଡ ବଦଳାଉଛି । କଂଗ୍ରେସ ଓ ଜେଡିଏସ୍ ମେଂଟ ସରକାର ପତନର ୩ ଦିନ ହୋଇସାରିଥିଲେ ମଧ୍ୟ ନୂଆ ସରକାର ଗଠନ ନେଇ କିଛି ସ୍ପଷ୍ଟ ଚିତ୍ର ଆସୁନି । ଏହା ମଧ୍ୟରେ ବିଦ୍ରୋହୀ ବିଧାୟକଙ୍କ ମଧ୍ୟରୁ ୩ ଜଣଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି ବାଚସ୍ପତି । ସେମାନଙ୍କ ମଧ୍ୟରେ ଅଛନ୍ତି ସ୍ୱାଧୀନ ବିଧାୟକ ଆର ଶଙ୍କର, କଂଗ୍ରେସର ୨ ବିଧାୟକ ରମେଶ ଜାରକିହୋଲି ଏବଂ ମହେଶ କୁମାତଲ୍ଲୀ । ଏହି ୩ ବିଧାୟକଙ୍କୁ ଦଳବଦଳ ଆଇନ ଅନୁସାରେ ଅଯୋଗ୍ୟ ଘୋଷଣା କରାଯାଇଥିବା ଘୋଷଣା କରିଛନ୍ତି ବାଚସ୍ପତି ।

ଏହି ୩ ବିଧାୟକଙ୍କ ସହିତ ମୋଚ୍ ୧୭ ଜଣ ବିଧାୟକଙ୍କ ବିଦ୍ରୋହ କାରଣରୁ କର୍ଣ୍ଣାଟକରେ ଜେଡିଏସ୍ ଓ କଂଗ୍ରେସ ମେଂଟ ସରକାରର ପତନ ହୋଇଥିଲା । ସ୍ୱାଧୀନ ବିଧାୟକ ଆର ଶଙ୍କର କଂଗ୍ରେସର ସମର୍ଥିତ ଥିଲେ ମଧ୍ୟ ବିଜେପିକୁ ସମର୍ଥନ କରିଥିବାରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିବା ଜଣାପଡିଛି । ଏହି ୩ ଜଣ ବିଧାୟକ ଚଳିତ ବିଧାନସଭା କାର୍ଯ୍ୟକାଳ ମଧ୍ୟରେ ଆଉ ନିର୍ବାଚନ ଲଢିପାରିବେନି ।

ଅର୍ଥାତ୍ ୨୦୨୩ ମଧ୍ୟରେ ଏହି ୩ ବିଧାୟକ ଆଉ ନିର୍ବାଚନ ଲଢିପାରିବେନି । ଅନ୍ୟ ବିଧାୟକଙ୍କ ସଂପର୍କରେ ବାଚସ୍ପତି ଆଇନ ଅନୁସାରେ ନିଷ୍ପତି ନେବେ ବୋଲି କହିଛନ୍ତି । ତେବେ ଅନ୍ୟ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫାକୁ ମଂଜୁରୀ କରିବାରେ ବାଚସ୍ପତି ବିଳମ୍ୱ କଲେ ରାଜ୍ୟପାଳ ବଜୁଭାଇ ବାଲା କର୍ଣ୍ଣାଟକରେ ରାଷ୍ଟ୍ରପତି ଶାସନ ଜାରି ପାଇଁ ସୁପାରିଶ କରିପାରନ୍ତି ବୋଲି ବିଜେପି କହିଛି ।