ସମସ୍ତଙ୍କ ଆଗରେ ମହିଳା ଓକିଲଙ୍କୁ ନିସ୍ତୁକ ମାଡ । ସମସ୍ତେ ଦେଖୁଥିଲେ , କେହି ରକ୍ଷା କଲେନି

453

କନକ ବ୍ୟୁରୋ: ବେଙ୍ଗାଳୁରୁରେ ଘଟିଛି ଏକ ଅଭାବନୀୟ ଘଟଣା । ବିନାୟକ ନଗରର ବିଚ୍ ରାସ୍ତାରେ ସର୍ବସମ୍ମୁଖରେ ଜଣେ ମହିଳା ଓକିଲଙ୍କୁ ଜଣେ ବ୍ୟକ୍ତି ନିସ୍ତୁକ ମାଡ ମାରୁଥିବା ଦେଖିବାକୁ ମିଳିଛି । ମହିଳା ଓକିଲଙ୍କୁ ବ୍ୟକ୍ତି ଜଣକ ସମସ୍ତଙ୍କ ଆଗରେ ନିର୍ଦ୍ଦୟ ଭାବେ ଗୋଇଠା ବିଧା ମାରୁଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ସମ୍ବେଦନଶୀଳ ଘଟଣାରେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି ।

ପୋଲିସର ପ୍ରାଥମିକ ସୂଚନା ମୁତାବକ, ମହିଳା ଓକିଲଙ୍କୁ ମାଡ ମାରୁଥିବା ବ୍ୟକ୍ତି ଜଣକ ହେଉଛନ୍ତି ତାଙ୍କ ପଡୋଶୀ ମହାନ୍ତେଶ । ଭାଇରାଲ ହୋଇଥିବା ଭିଡିଓରେ ବ୍ୟକ୍ତି ଜଣକ ମହିଳାଙ୍କୁ ଗୋଇଠା ବିଧା ମାରୁଛନ୍ତି । ମହିଳା ଓକିଲ ଜଣକ ନିଜକୁ ବଞ୍ଚାଇବାକୁ ପ୍ରତିରୋଧ କରିଥିବାବେଳେ ମହାନ୍ତେଶ ଅଧିକ ଆକ୍ରମଣାତ୍ମକ ହୋଇପଡୁଥିବା ଦେଖିବାକୁ ମିଳିଛି । ଏହି ଘଟଣା ସମସ୍ତଙ୍କ ସାମ୍ନାରେ ଘଟୁଥିଲେ ବି ମହିଳାଙ୍କୁ ରକ୍ଷା କରିବାକୁ କେହି ବି ଆସିନଥିଲେ । ବରଂ କିଛି ଲୋକ ସେଠାରେ ଏକାଠି ହୋଇ ଘଟଣାଟିକୁ ନିଜ ମୋବାଇଲରେ କଏଦ କରିବାରେ ବ୍ୟସ୍ତ ଥିଲେ ।
ବ୍ୟକ୍ତିଗତ ଶତ୍ରୁତାକୁ ନେଇ ଦୁହିଁଙ୍କ ମଧ୍ୟରେ ଏପରି ମାଡଗୋଳ ହୋଇଥିବା କୁହାଯାଉଛି । ପ୍ରଥମେ ଦୁହିଁଙ୍କ ମଧ୍ୟରେ ବଚସା ଓ ତା’ପରେ ମହାନ୍ତେଶ ମହିଳାଙ୍କୁ ଗୋଇଠା, ଚାପୁଡା ମାରିଥିଲେ । ଏହି ଭିଡିଓ ଭାଇରାଲ ହେବାରେ ଏହାକୁ ତୀବ୍ର ନିନ୍ଦା କରାଯିବା ସହ ଲୋକଗହଳି ସ୍ଥାନରେ ବି ମହିଳା କେତେ ସୁରକ୍ଷିତ ବୋଲି ପ୍ରଶ୍ନ ଉଠୁଛି ।