ଘନେଇଲା କର୍ଣ୍ଣାଟକ ସଙ୍କଟ: ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଉପମୁଖ୍ୟମନ୍ତ୍ରୀଙ୍କ ସମେତ କଂଗ୍ରେସର ୨୨ ବିଧାୟକ

ସ୍ୱାଧୀନ ବିଧାୟକ ମେଂଟ ସରକାରକୁ ପ୍ରତ୍ୟାହାର କଲେ ସମର୍ଥନ

210

କନକ ବ୍ୟୁରୋ: କର୍ଣ୍ଣାଟକରେ ଲାଗି ରହିଛି ପଲିଟିକାଲ ଡ୍ରାମା । କୁମାରସ୍ୱାମୀଙ୍କ ସରକାରର ଜେଡିଏସ-କଂଗ୍ରେସ ମେଂଟ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ କଂଗ୍ରେସର ସମସ୍ତ ୨୨ ମନ୍ତ୍ରୀ । ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ୱର ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଜି ପରମେଶ୍ୱରଙ୍କ ବାସଭବନରେ ମନ୍ତ୍ରୀମାନେ ଏକାଠି ଆଲୋଚନା କରିବା ପରେ ଏହି ପଦକ୍ଷେପ ନେଇଛନ୍ତି । କୁମାରସ୍ୱାମୀଙ୍କ ସରକାରରେ କଂଗ୍ରେସ କୋଟାରେ ୨୨ଜଣ ବିଧାୟକ ମନ୍ତ୍ରୀ ହୋଇଥିଲେ । ମନ୍ତ୍ରୀମାନେ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷଙ୍କୁ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି ।

ଅନ୍ୟପଟେ ବିଧାୟକ ପଦରୁ ଇସ୍ତଫା ଦେଇଥିବା କଂଗ୍ରେସ ଓ ଜେଡିଏସ୍ ବିଧାୟକମାନେ ମୁମ୍ବାଇରେ ରହିଛନ୍ତି । ଏବଂ ସେମାନଙ୍କୁ ମନାଇବା ପାଇଁ ମନ୍ତ୍ରୀ ପଦ ଅଫର କରାଯାଇଥିବା କୁହାଯାଉଛି । କଂଗ୍ରେସ ଓ ଜେଡିଏସର ୧୩ ଜଣ ବିଧାୟକ ଇସ୍ତଫା ଦେବା ପରେ ମେଂଟ ସରକାର ପାଇଁ ଅଡୁଆ ପରିସ୍ଥିିତି ସୃଷ୍ଟି ହୋଇଛି । ଶନିବାର ୮ଜଣ କଂଗ୍ରେସ ଓ ୩ଜଣ ଜେଡିଏସ୍ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ । ପୂର୍ବରୁ ୨ କଂଗ୍ରେସ ବିଧାୟକ ଇସ୍ତଫା ଦେଇଥିଲେ । ଏହି ଇସ୍ତଫା ସହ କଂଗ୍ରେସ ଓ ଜେଡିଏସ ବିଧାୟକ ସଂଖ୍ୟା ମିଶି ୧୦୫କୁ ଖସି ଆସିଛି ।

ସେପଟେ, କଂଗ୍ରେସ ଓ ଜେଡିଏସ୍ ବିଧାୟକଙ୍କ ଇସ୍ତଫା ପରେ ସଂକଟରେ ଥିବା ମେଂଟ ସରକାରରୁ ସମର୍ଥନ ପ୍ରତ୍ୟାହାର କରିଛନ୍ତି ଦୁଇ ସ୍ୱାଧୀନ ବିଧାୟକ । ସ୍ୱାଧୀନ ବିଧାୟକ ନାଗେଶ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ମେଂଟ ସରକାରରୁ ନିଜର ସମର୍ଥନ ପ୍ରତ୍ୟାହାର କରି ନେଇଛନ୍ତି । ସେ ତାଙ୍କ ସମର୍ଥନ ପ୍ରତ୍ୟାହାର ପତ୍ର କର୍ଣ୍ଣାଟକ ରାଜ୍ୟପାଳଙ୍କ ଭେଟି ପ୍ରଦାନ କରିଛନ୍ତି । କୁୁମାରସ୍ୱାମୀ ସରକାରରୁ ସେ ତାଙ୍କ ସମର୍ଥନ ପ୍ରତ୍ୟାହାର କରୁଥିବା ନେଇ ପ୍ରତ୍ୟାହାର ପତ୍ରରେ ଉଲ୍ଲେଖ କରିଛନ୍ତି ।

ସେହିପରି ଅନ୍ୟତମ ସ୍ୱାଧୀନ ବିଧାୟକ ଆର ଶଙ୍କର ମଧ୍ୟ ଇସ୍ତଫା ଦେଇଛନ୍ତି । ଶଙ୍କର ମେଂଟ ସରକାରରେ ମନ୍ତ୍ରୀ ଥିଲେ ମଧ୍ୟ ପୂର୍ବରୁ କଂଗ୍ରେସ ସହ ସେ ଦୂରତା ଅବଲମ୍ବନ କରି ଆସୁଥିଲେ । ନାଗେଶ ସମର୍ଥନ ପ୍ରତ୍ୟାହାର କରିବା ସହ ବିଜେପିକୁ ସମର୍ଥନ ଜଣାଇଛନ୍ତି । ସ୍ୱାଧୀନ ବିଧାୟକଙ୍କ ସମର୍ଥନ ପ୍ରତ୍ୟାହାର ପରେ ମେଂଟ ସରକାର ପ୍ରତି ବଡ ବିପଦ ସୃଷ୍ଟି ହୋଇଛି ।