କନକ ବ୍ୟୁରୋ: ହିଜାବ ବିବାଦକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । କର୍ଣ୍ଣାଟକର ଏକ ଶିକ୍ଷାନୁଷ୍ଠାନରେ ପ୍ରଥମେ ଏହାକୁ ନେଇ ବିବାଦ ଦେଖାଯିବା ପରେ, ସାରା ଦେଶରେ ଏବେ ଏହି ଘଟଣାକୁ ନେଇ ଏବେ ଅନେକ ମତ ପ୍ରକାଶ ପାଉଛି । ଖାଲି ସେତିକି ନୁହେଁ ସୋସିଆଲ୍ ମିଡିଆରେ ମଧ୍ୟ ଏକ ଭିଡିଓ ଖୁବ ଜୋରରେ ଭାଇରାଲ ହେଉଛି, ଯେଉଁଥିରେ ହିଜାବ ପିନ୍ଧିଥିବା ଜଣେ ଯୁବତୀଙ୍କୁ କିଛି ଯୁବକ ଘେରିଯାଇ ତାଙ୍କ ସାମ୍ନାରେ ଜୟ ଶ୍ରୀରାମ ନାରା ଦେଉଛନ୍ତି । ତେବେ ଭାରତରେ ଏହି ହିଜାବ ଘଟଣା ଚର୍ଚ୍ଚା ସୃଷ୍ଟି କରିବା ପରେ, ପାକିସ୍ତାନରେ ଏହାର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ପାକିସ୍ତାନ ସରକାରରେ ମନ୍ତ୍ରୀ ଥିବା ଅନେକ ନେତା ଏହି ଘଟଣାକୁ ନେଇ ଟୁଇଟ୍ କରିବା ସହିତ ଭାରତ ସରକାରଙ୍କ ନିନ୍ଦା କରିଛନ୍ତି । ଖାଲି ସେତିକି ନୁହେଁ ନୋବେଲ ପୁରସ୍କାର ବିଜୟୀ ମାନବାଧିକାର କାର୍ଯ୍ୟକର୍ତ୍ତା ମଲାଲା ୟୁସୁଫ ମଧ୍ୟ ଏହି ଘଟଣାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତିି ।
ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମହମୁଦ୍ କ୍ୟୁରେସୀ ନିଜର ଅଫିସିଆଲ୍ ଟୁଇଟର ହ୍ୟାଣ୍ଡେଲରୁ ଏକ ଟୁଇଟ୍ କରି ଲେଖିଛନ୍ତି, ମୁସଲିମ୍ ଝିଅମାନଙ୍କୁ ଶିକ୍ଷାରୁ ବଞ୍ଚିତ କରିବା ତାଙ୍କ ମୌଳିକ ମାନବାଧିକାରର ଉଲ୍ଲଙ୍ଘନ ଅଟେ । କାହାକୁ ବି ଏହି ମୌଳିକ ଅଧିକାରରୁ ବଞ୍ଚିତ କରାଯିବା ଓ ହିଜାବ ପିନ୍ଧିବାରୁ ଆତଙ୍କିତ କରିବା ଦମନକାରୀ ନୀତି ଅଟେ । ସାରା ଦୁନିଆ ଏହା ଜାଣିବା ଉଚିତ ବୋଲି ସେ ଟୁଇଟ୍ କରି କହିଛନ୍ତି ।
ଅନ୍ୟପଟେ ପାକିସ୍ତାନର ସୂଚନା ଓ ପ୍ରସାରଣ ବିଭାଗ ମନ୍ତ୍ରୀ ଚୌଧୁରୀ ଫବାଦ ହୁସେନ୍ ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି । ଟୁଇଟ୍ କରି ସେ ଲେଖିଛନ୍ତି, ମୋଦୀଙ୍କ ଭାରତରେ ଯାହା ହେଉଛି, ତାହା ଡରାଇଲା ଭଳି । ଭାରତ ଏବେ ଏକ ଅସ୍ଥିର ନେତୃତ୍ୱରେ ତଳକୁ ଖସୁଛି । ଅଲଗା କପଡା ପିନ୍ଧିବାକୁ ଲୋକଙ୍କୁ ଯେଭଳି ସ୍ୱାଧୀନତା ମିଳୁଛି, ହିଜାବ ପିନ୍ଧିବା ମଧ୍ୟ ସେହିଭଳି ବ୍ୟକ୍ତିଗତ ବୋଲି ସେ ଟୁଇଟ୍ କରି ଲେଖିଛନ୍ତି ।
ସେପଟେ ନୋବେଲ ପୁରସ୍କାର ବିଜୟିନୀ ମାନବାଧିକାର କର୍ମୀ ମଲାଲା ୟୁସୁଫ ମଧ୍ୟ ଏହି ହିଜାବ ବିବାଦରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି, ହିଜାବ ପିନ୍ଧିଥିବା ଝିଅଙ୍କୁ ସ୍କୁଲରେ ପ୍ରବେଶ ନିଷେଧ କରିବା ଭୟାବୟ ଅଟେ । କମ୍ କିମ୍ବା ଅଧିକ କପଡା ପିନ୍ଧିବାକୁ ନେଇ ଝିଅମାନଙ୍କୁ କେବଳ ଗୋଟିଏ ବସ୍ତୁ ଭାବେ ଗ୍ରହଣ କରାଯାଉଛି ବୋଲି ସେ ଟୁଇଟ୍ କରି ଲେଖିଛନ୍ତି ।
ହିଜାବ ବିବାଦ କଣ?
ଭାରତରେ ଏହି ହିଜାବ ବିବାଦ ଏବେ କର୍ଣ୍ଣାଟକର ଉଡୁପି ଅଞ୍ଚଳରୁ ଆରମ୍ଭ ହୋଇଛି । ସେଠାରେ କିଛି ଝିଅ ଅଭିଯୋଗ ଆଣିଛନ୍ତି ଯେ, ହିଜାବ ପିନ୍ଧିଥିବା କାରଣରୁ ତାଙ୍କୁ କଲେଜରେ ପ୍ରବେଶ ଅଧିକାର ମିଳୁନାହିଁ । ତେବେ ଏହାର ଜବାବରେ କଲେଜ ପ୍ରଶାସନ କହିଛି ଯେ, ଝିଅମାନେ କଲେଜ ୟୁନିଫର୍ମ ପିନ୍ଧି କଲେଜକୁ ଆସନ୍ତୁ । ଯାହାକୁ ନେଇ ଏକ ବଡଧରଣର ବିବାଦ ସୃଷ୍ଟି ହୋଇଛି । କିଛି ଛାତ୍ର ଛାତ୍ରୀ ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବାକୁ ବିରୋଧ କରୁଥିବାବେଳେ, ହିଜାବ ସମର୍ଥକମାନେ ଏହାକୁ ବିରୋଧ କରୁଛନ୍ତିି । ଏହାରି ଭିତରେ କିଛି ଯୁବକ ବେକରେ ଭଗୱା ରଙ୍ଗର ସ୍କାର୍ଫ ପିନ୍ଧି ବିରୋଧ ପ୍ରଦର୍ଶନ ମଧ୍ୟ କରୁଥିବା ଦେଖିବାକୁ ମିଳିଛି । ତେବେ ସ୍କୁଲ ଓ କଲେଜରେ ହିଜାବ ପିନ୍ଧାଯିବ କି ନାହିଁ, ସେ ସମ୍ପର୍କରେ ଏବେ କର୍ଣ୍ଣାଟକ ହାଇକୋର୍ଟରେ ଶୁଣାଣି ଚାଲିଛି ।
Follow Us