କନକ ବ୍ୟୁରୋ: କର୍ଣ୍ଣାଟକର ଉଡୁପିରୁ ଆରମ୍ଭ ହୋଇଥିବା ହିଜାବ ବିବାଦ ଏବେ ଧିିରେ ଧିରେ ସାରା ଦେଶରେ ବ୍ୟାପିବାକୁ ଆରମ୍ଭ କଲାଣି । ଉତ୍ତରପ୍ରଦେଶର ଅଲିଗଡରୁ ଆରମ୍ଭ କରି ମହାରାଷ୍ଟ୍ରର ମାଲେଗାଁଓ ପର୍ଯ୍ୟନ୍ତ ଏବେ ମୁସଲିମ୍ ମହିଳାମାନେ ହିଜାବକୁ ସମର୍ଥନ କରୁଥିବା ଦେଖିବାକୁ ମିଳୁଛି । ଖାଲି ସେତିକି ନୁହେଁ ବୁର୍ଖା ପିନ୍ଧି ସେମାନେ ପ୍ରଦର୍ଶନ ମଧ୍ୟ କରୁଛନ୍ତି । ତେବେ ଶୁକ୍ରବାର ୟୁପିର ଅଲିଗଡରେ ଶତାଧିକ ମୁସଲିମ୍ ମହିଳା ବୁର୍ଖା ପିନ୍ଧି ହିଜାବକୁ ସମର୍ଥନ ଜଣାଇଛନ୍ତି ଏବଂ କହିଛନ୍ତି ହିଜାବ ତାଙ୍କର ଅଧିକାର ତେଣୁ ସେ ଏହାକୁ କେବେ ବି କାଢିବେ ନାହିଁ ।

Advertisment

ଏହାପୂର୍ବରୁ ଗୁରୁବାର ମହାରାଷ୍ଟ୍ରର ମାଲେଗାଁଓରେ ହଜାର ହଜାର ମୁସଲିମ୍ ମହିଳା ଏକାଠି ହେବା ସହିତ ବିରୋଧ ପ୍ରଦର୍ଶନ କରିଥିଲେ । ଏହି ସମୟରେ ‘ହିଜାବ ଆମର ଅଧିକାର, ହିଜାବ ଉପରେ ପ୍ରତିବନ୍ଧ ଫେରାଇନିଅ’ ବୋଲି ସେମାନେ ନାରାବାଜି କରିଥିଲେ । ତେବେ ମିଳିଥିବା ସୂଚନା ମୁତାବକ ପ୍ରଦର୍ଶନ କରୁଥିବା ମହିଳାମାନେ ହିଜାବ ଡେ’ ମଧ୍ୟ ପାଳନ କରିବେ ବୋଲି ଜଣାପଡିଛି ।

ମାଲେଗାଓଁରେ ଏହି ପ୍ରଦର୍ଶନ ଜମିୟତ-ଉଲେମା-ଏ-ହିନ୍ଦ ନାମକ ଏକ ଇସଲାମିକ ସଙ୍ଗଠନ କରିଥିଲା । ତେଣୁ ପ୍ରଦର୍ଶନ ପରେ ପୋଲିସ ଏହି ସଂସ୍ଥା ସହ ଜଡିତ ୪ ଜଣ ଲୋକଙ୍କ ବିରୋଧରେ ଧାରା ୧୪୪ ଉଲ୍ଲଙ୍ଘନ କେସ୍ ଜାରି କରିଛି । ପୋଲିସର କହିବା କଥା, ଏହି କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ପ୍ରଶାସନଠାରୁ କୌଣସି ପ୍ରକାର ଅନୁମତି ନିଆଯାଇନଥିଲା । ତେଣୁ ଏହିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଅନ୍ୟପଟେ ଏହି ଘଟଣାରେ ଏଆଇଏମଆଇଏମର ସ୍ଥାନୀୟ ବିଧାୟକଙ୍କୁ ମଧ୍ୟ ନୋଟିସ୍ ଜାରି କରାଯାଇଛି ।

ଜାମ୍ମୁକାଶ୍ମୀରରେ ମଧ୍ୟ ହିଜାବ ସପକ୍ଷରେ ପ୍ରଦର୍ଶନ ଦେଖିବାକୁ ମିଳିଛି । ପ୍ରଦର୍ଶନକାରୀଙ୍କ କହିବା କଥା, ଶିକ୍ଷାନୁଷ୍ଠାନରେ ରାଜନୈତିକ ଯୁଦ୍ଧକ୍ଷେତ୍ର ନୁହେଁ, ସ୍କଲ ଓ କଲେଜରେ ଛାତ୍ରଛାତ୍ରୀଙ୍କୁ ହିଜାବ ପିନ୍ଧିବାକୁ ଅନୁମତି ଦିଆଯାଉ ବୋଲି ସେମାନେ ଦାବି କରିଛନ୍ତି ।

ସୂଚନାଯୋଗ୍ୟ ଯେ, କର୍ଣ୍ଣାଟକ ହିଜାବ ବିବାଦ ଚଳିତ ବର୍ଷ ଜାନୁଆରୀ ୧ ତାରିଖରୁ ଆରମ୍ଭ ହୋଇଛି । ବିଶେଷ କରି ଉଡୁପିର ମହିଳା ପ୍ରି-ୟୁନିଭର୍ସିଟିରେ ଏହି ବିବାଦ ଆରମ୍ଭ ହୋଇଛି । ଯେଉଁଠି ମୁସଲିମ୍ ଶିକ୍ଷାର୍ଥୀଙ୍କୁ ହିଜାବ ପିନ୍ଧି ଆସିବାକୁ ମନା କରାଯାଇଥିଲା । ତେବେ ଏହାର ବିରୋଧ ପ୍ରଦର୍ଶନ କରାଯାଇଥିଲା । ଧୀରେ ଧୀରେ ଏହି ଘଟଣା ଏବେ ରାଜ୍ୟର ବିଭିନ୍ନ ଅଂଚଳରେ ଦେଖିବାକୁ ମିଳୁଛି । ତେବେ ଏହି ମାମଲାରେ କର୍ଣ୍ଣାଟକ ହାଇକୋର୍ଟରେ ଶୁଣାଣି ଚାଲିଛି । ଏବଂ ରାୟ ନଆସିବା ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନରେ କୌଣସି ଧାର୍ମିକ ପୋଷାକ ପିନ୍ଧିବାକୁ ମନା କରାଯାଇଛି । ଅନ୍ୟପଟେ ସୁପ୍ରିମକୋର୍ଟରେ ମଧ୍ୟ ଏହାକୁ ନେଇ ଯାଚିକା ଦାୟର କରାଯାଇଥିଲା । ହେଲେ ସୁପ୍ରିମକୋର୍ଟ ଏହି ମାମଲାର ତକ୍ରାଳ ଶୁଣାଣି କରିବାକୁ ମନା କରିଦେଇଛନ୍ତି ।