କନକ ବ୍ୟୁରୋ : ୨୦୧୯ ପୂର୍ବରୁ କର୍ଣ୍ଣାଟକ ପରାଜୟ ବିଜେପି ପାଇଁ ଏକ ବଡ ଧରଣର ଝଟକା ବୋଲି କୁହାଯାଉଥିବା ବେଳେ ବିରୋଧୀଙ୍କ ପାଇଁ ଏକ ପ୍ରକାର ଉତ୍ସାହ ଆଣି ଦେଇଛି । ବିଶେଷ କରି ରାହୁଲ ଗାନ୍ଧୀଙ୍କ ନେତ୍ୱତ୍ୱରେ କଂଗ୍ରେସ ପୁଣି ଥରେ ଅଂଟା ସଳଖାଇ ଛିଡ଼ା ହେଉଥିବା ନେଇ ବିତର୍କକୁ ସାଣିତ କରିଛି । ଆଉ ଏସବୁ ଭିତରେ ୨୦୧୯ ପୂର୍ବରୁ ସାରା ଦେଶ ପାଇଁ ଏକ ବଡ ବାର୍ତା ରଖୁଛି କର୍ଣ୍ଣାଟକର ଏହି ଫଳାଫଳ ।

Advertisment

publive-imageଦେଶର ଗୋଟିଏ ପରେ ଗୋଟିଏ ରାଜ୍ୟରେ ଗେରୁଆ ବାନା ଉଡାଇ, କଂଗ୍ରେସ ମୁକ୍ତ ଏବଂ ବିଜେପି ଯୁକ୍ତ ସ୍ୱପ୍ନ ଦେଖୁଥିବା ଭାରତୀୟ ଜନତା ପାର୍ଟିକୁ କର୍ଣ୍ଣାଟକରେ ଲାଗିଛି ବଡ ଧରଣର ଝଟକା । ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ କର୍ଣ୍ଣାଟକରେ ଶାସନ କରିବାର ଯେଉଁ ଆଶା ରଖିଥିଲା ବିଜେପି, ସେହି ଆଶା ମଉଳି ଯାଇଛି ।

କର୍ଣ୍ଣାଟକରେ ବିଜେପିର ଅସ୍ତ୍ର ତ୍ୟାଗ କଂଗ୍ରେସକୁ ଯେତିକି ଉତ୍ସାହିତ କରିଛି, ତାଠୁ ଅଧିକ ବିଜେପି ବିରୋଧୀ ଶକ୍ତିର ମନୋବଳକୁ ବଢ଼ାଇବ ବୋଲି ଚର୍ଚ୍ଚା ଜୋରଧରିଛି । ସଂଖ୍ୟା ନଥାଇ ଜୋଡତୋଡର ରାଜନୀତି ଭିତରେ ସରକାର ଗଢ଼ିବାର ସ୍ୱପ୍ନ ଦେଖୁଥିବା ଦଳମାନଙ୍କୁ ବି ଏକ ବଡଧରଣ ଶିକ୍ଷା ଦେଉଛି କର୍ଣ୍ଣାଟକ ଫଳାଫଳ ।୨୪ ଘଣ୍ଟା ଭିତରେ କ୍ଷମତା ଲଢ଼େଇର ବଡ ଡ୍ରାମା ସାରା ଦେଶ ଦେଖିବା ବେଳେ କର୍ଣ୍ଣାଟକର କୁରୁକ୍ଷେତ୍ର ୨୦୧୯ ପାଇଁ ମୋଦି ଓ ଅମିତ ଶାହାଙ୍କ ପାଇଁ ସୃଷ୍ଟି କରିଛି ବଡ ଚ୍ୟାଲେଞ୍ଜ ।

-୨୦୧୯ ନିର୍ବାଚନ ପୂର୍ବରୁ ବିଜେପିର ବିଫଳତା ବିରୋଧୀଙ୍କ ପାଇଁ ନୂଆ ଆଶା ସୃଷ୍ଟି କରିଛି
-ଆଗାମୀ ଦିନରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଗୁଡ଼ିକରେ ଏହାର ପ୍ରଭାବ ପଡ଼ିପାରେ
-କଂଗ୍ରେସ ରାହୁଲଙ୍କ ନେତୃତ୍ୱରେ ଶକ୍ତିଶାଳୀ ହେଉଥିବା ନେଇ ବାର୍ତା ଯାଉଛି
-ତଥାକଥିତ ମୋଦିଙ୍କ ହାୱାକୁ ବିରୋଧୀ ଅଟକାଇ ପାରେ ଏଭଳି ଏକ ବାର୍ତା ଆସୁଛି
-ବିରୋଧୀ ଏକାଠି ହେଲେ ବିଜେପିକୁ ଚ୍ୟାଲେଂଜ ଦେବା ସମ୍ଭବ ଏଭଳି ସଂକେତ ଆସୁଛି