କନକ ବ୍ୟୁରୋ : ନାବାଳିକାକୁ ଯୌନ ନିର୍ଯାତନା ମାମଲାରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ବିଏସ୍ ୟେଦୁରପ୍ପାଙ୍କୁ ଗିରଫଦାରୀରୁ ସୁରକ୍ଷା ପ୍ରଦାନ । କର୍ଣ୍ଣାଟକ ହାଇକୋର୍ଟ ଜୁନ୍ ୧୭ ତାରିଖ ପର୍ଯ୍ୟନ୍ତ ଏହି ସୁରକ୍ଷା ପ୍ରଦାନ କରିଛନ୍ତି । ଜଣେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ବେଙ୍ଗାଲୁରୁର ଏକ ଅଦାଲତ ତାଙ୍କ ବିରୋଧରେ ପୋକ୍ସୋ ମାମଲାରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲା । ଆଉ ଏହାର ଦିନକ ପରେ ୟେଦୁରପ୍ପାଙ୍କୁ କୋର୍ଟ ଆଶ୍ୱସ୍ତି ଦେଇଛନ୍ତି । ବେଙ୍ଗାଲୁରୁର ଡଲାର କଲୋନୀସ୍ଥିତ ତାଙ୍କ ବାସଭବନରେ ଚଳିତ ବର୍ଷ ଫେବ୍ରୁଆରି ୨ ତାରିଖରେ ଏକ ବୈଠକ ସମୟରେ ନାବାଳିକାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ୧୭ ବର୍ଷୀୟା ନାବାଳିକାଙ୍କ ମା' ଅଭିଯୋଗ କରିବା ପରେ ୮୧ ବର୍ଷୀୟ ନେତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଏହି ଅଭିଯୋଗକୁ ରଦ୍ଦ କରିବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଅନ୍ୟପଟେ ଏହି ମାମଲାରେ ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳ ୟେଦୁରପ୍ପାଙ୍କୁ ମଧ୍ୟ ତଦନ୍ତରେ ସାମିଲ ହେବାକୁ କହିଛି ।

Advertisment