‘କରୋନା’ ପାଇଁ କଟକଣା: କ୍ୱାରେଂଟାଇନରେ ଥିବା ବ୍ୟକ୍ତିଙ୍କୁ ପ୍ରତି ଘଂଟାରେ ସେଲ୍ଫି ପଠାଇବାକୁ ସରକାରଙ୍କ ନିର୍ଦ୍ଦେଶ; ଜାଣନ୍ତୁ କେଉଁଠି ଲାଗୁ ହେଲା ଏଭଳି ନିୟମ

1,343

କନକ ବ୍ୟୁରୋ: କରୋନା ଭାଇରସ ଆକ୍ରାନ୍ତ ସନ୍ଦେହରେ କର୍ଣ୍ଣାଟକରେ ଯେଉଁମାନେ ନିଜ ଘରେ କ୍ୱାରେଂଟାଇନରେ ଅଛନ୍ତି । ସେମାନେ ନିଜର ଗୋଟିଏ ଗୋଟିଏ ସେଲ୍ଫି ପ୍ରତି ଘଂଟାରେ କ୍ଲିକ୍ କରି ସରକାରଙ୍କ ନିକଟକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି । କର୍ଣ୍ଣାଟକରେ ବର୍ତ୍ତମାନ ସୁଦ୍ଧା ୮୦ରୁ ଅଧିକ ଲୋକ କରୋନା ଭାଇରସ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୩ ଜଣଙ୍କର ଜୀବନ ମଧ୍ୟ ଚାଲିଗଲାଣି । ତେବେ କର୍ଣ୍ଣାଟକରେ କରୋନାର ଭୟାବହତାକୁ ନଜରରେ ରଖି ସରକାରଙ୍କ ପକ୍ଷରୁ ନୂଆ କଟକଣା ଜାରି କରାଯାଇଛି । ଘର କ୍ୱାରେଂଟାଇନରେ ଥିବା ବ୍ୟକ୍ତି ପ୍ରତି ଘଂଟାରେ ନିଜର ସେଲ୍ଫି ଉଠାଇ ସରକାରଙ୍କୁ ପଠାଇବାକୁ ହେବ । ଯଦି କେହି ଏହାକୁ ଉଲ୍ଲଂଘନ କରନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏପରିକି ସଂପୃକ୍ତ ବ୍ୟକ୍ତି ବିଶେଷଙ୍କୁ ସରକାରଙ୍କ ଦ୍ୱାରା ପରିଚାଳିତ କ୍ୱାରେଂଟାଇନର ସେଂଟରକୁ ପଠାଇଦିଆଯିବ ବୋଲି କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି ।

ସେପଟେ, ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଶହ ଟପିଛି । ଗତକାଲି ଗୋଟିଏ ଦିନରେ ୨ଶହ ୨୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭାରତରେ ଗୋଟିଏ ଦିନରେ ୨ ଶହରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ଏହା ପ୍ରଥମ ଘଟଣା । ଏହାସହ ଭାରତର ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଶହ ୫୧ ରେ ପହଂଚିଛି । ଏମାନଙ୍କ ମଧ୍ୟରୁ ୧୧ ଶହରୁ ଅଧିକ ଆକ୍ଟିଭ୍ କେସ୍ ଥିବାବେଳେ ପ୍ରାୟ ଶହେ ଜଣ ସୁସ୍ଥ ହୋଇ ଫେରିଛନ୍ତି । ସେହିପରି ତେଙ୍ଗୋନାରେ ଗୋଟିଏ ଦିନରେ ୬ଜଣଙ୍କ ମୃତ୍ୟୁ ସହ ମୃତକଙ୍କ ସଂଖ୍ୟା ୩୨ରେ ପହଁଚିଛି । ଦିଲ୍ଲୀର ନିଜାମୁଦିନରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିବା ତେଲେଙ୍ଗାନାର ୬ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକଙ୍କୁ ହସ୍ପିଟାଲରେ ଭତ୍ତର୍ତି କରାଯାଇଛି । ୧୩ ମାର୍ଚ୍ଚରୁ ୧୫ ମାର୍ଚ୍ଚ ଭିତରେ ହୋଇଥିବା ମୁସଲିମ୍ ଧାର୍ମିକ ସମାବେଶରେ ଦେଶ ଓ ବିଦେଶରୁ ବହୁ ଲୋକ ଯୋଗଦେଇଥଇଲେ । ଏହି ସମାବେଶର ଆୟୋଜନ ନେଇ ଆୟୋଜକଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ଦିଲ୍ଲୀ ସରକାର । ତେବେ ଓଡିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୩ରେ ସ୍ଥିର ରହିଛି । ଏବେ ସୁଦ୍ଧା ପରୀକ୍ଷା କରାଯାଇଥିବା ମୋଟ ୩୭୦ଟି ରକ୍ତ ନମୂନା ମଧ୍ୟରୁ ୩ଜଣଙ୍କର ପଜିଟିଭ୍ ବାହାରିଛି ।