କିଏ ଜିତିବ କର୍ଣ୍ଣାଟକ : ଆସନ୍ତାକାଲି ବିଧାନସଭା ନିର୍ବାଚନର ଭୋଟ ଗଣତି, ୧୨ଟା ସୁଦ୍ଧା ସ୍ପଷ୍ଟ ହେବ କିଏ ଗଢ଼ିବ ସରକାର

39

କନକ ବ୍ୟୁରୋ : କିଏ ଜିତିବ କର୍ଣ୍ଣାଟକ? ଏଥିପାଇଁ ସାରାଦେଶର ଉତ୍କଣ୍ଠା । କର୍ଣ୍ଣାଟକରେ ୨୨୨ ବିଧାନସଭା ଆସନ ଲାଗି ଆସନ୍ତାକାଲି ସକାଳ ୮ଟାରୁ ଭୋଟ ଗଣତି ହେବ । ଦିନ ୧୨ଟା ସୁଦ୍ଧା ରାଜ୍ୟର ରାଜନୈତିକ ଦୃଶ୍ୟପଟ୍ଟ ସ୍ପଷ୍ଟ ହୋଇଯିବ ବୋଲି ଆଶା କରାଯାଉଛି । ଏହି ନିର୍ବାଚନ ଶାସକ କଂଗ୍ରେସ, ବିଜେପି ପାଇଁ ସମ୍ମାନର ପ୍ରଶ୍ନ ପାଲଟିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ରାଜ୍ୟରେ ମାରାଥନ ପ୍ରଚାର କରିଥିଲେ ।

ଏକଜିଟ୍ ପୋଲ ସର୍ଭେରେ ଝୁଲା ବିଧାନସଭା ହେବ ବୋଲି ଅନୁମାନ କରାଯିବା ପରେ ଆରମ୍ଭ ହୋଇଛି ଅଙ୍କ କଷା । ତେବେ ତିନି ପ୍ରମୁଖ ଦଳ ସରକାର ଗଢ଼ିବାକୁ ଦାବି କରୁଛନ୍ତି । ବିଜେପି ୧୨୫ରୁ ଅଧିକ ଆସନରେ ଜିତିବ ବୋଲି କହୁଥିବାବେଳେ କଂଗ୍ରେସ ୧୨୦ରୁ ଅଧିକ ଆସନରେ ଜିତିବ ବୋଲି ଦୃଢ଼ୋକ୍ତି କରିଛି । ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି.ଦେବଗୈାଡାଙ୍କ ଜେଡିଏସ ମଧ୍ୟ ସରକାର ଗଠନ କରିବ ବୋଲି ଦାବି କରିଛିି । ତେବେ ଅଧିକାଂଶ ସର୍ଭେ ଜେଡିଏସ କିଙ୍ଗମେକର ହେବ ବୋଲି ପୂର୍ବାନୁମାନ କରିଛନ୍ତି । ତେଣୁ ସରକାର ଗଠନ କରିବା ପାଇଁ ଉଭୟ କଂଗ୍ରେସ ଓ ବିଜେପି ଶେଷ କସରତ ଆରମ୍ଭ କରିଦେଇଛନ୍ତି । ଶନିବାରଦିନ ରାଜ୍ୟରେ ଭୋଟଗ୍ରହଣ ହୋଇଥିଲା । ରାଜ୍ୟରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର ହୋଇଛି ।