କନକ ବ୍ୟୁରୋ: କର୍ଣ୍ଣାଟକରେ ପୁଣି ହାତ ଉଠିଛି, ଆଉ ପଦ୍ମ ମଉଳିଛି । ୩୫ ବର୍ଷ ଧରି ଜାରି ରହିଥିବା ସରକାର ପରିବର୍ତ୍ତନର ପରମ୍ପରା ଏଥର ବି ଦେଖିବାକୁ ମିଳିଥିବାବେଳେ, କଂଗ୍ରେସକୁ କର୍ଣ୍ଣାଟକରେ ମିଳିଛି ବଡ ବିଜୟ । ତେବେ ଦକ୍ଷିଣ ଭାରତର ଏହି ରାଜ୍ୟରେ କାହିଁକି ହାରିଲା ବିଜେପି? ମୋଦୀଙ୍କ ଲଗାତାର ରୋଡ୍ ସୋ’ ଏବଂ ରାଲି ପରେ କାହିଁକି ଏତେ ନୈରାଶ୍ୟଜନକ ପ୍ରଦର୍ଶନ କଲା ଭାରତୀୟ ଜନତା ପାର୍ଟି? ଏବେ ଚାଲିଛି ଏହି ପ୍ରଶ୍ନର କାରଣ ଖୋଜା ।

Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ନଜର ପକାନ୍ତୁ, କର୍ଣ୍ଣାଟକରେ ବିଜେପି ପରାଜୟ ପଛର କିଛି ପ୍ରମୁଖ କାରଣ ଉପରେ…
ସରକାର ବିରୋଧୀ ହାୱା
କର୍ଣ୍ଣାଟକରେ ବିଜେପି ପରାଜୟ ପଛର ପ୍ରମୁଖ କାରଣ ଭିତରୁ ଗୋଟିଏ ହେଲା ସରକାର ବିରୋଧୀ ହାୱା । ଏଥର କର୍ଣ୍ଣାଟକ ନିର୍ବାଚନରେ ସତ୍ତା ବିରୋଧୀ ହାୱା ପ୍ରବଳ ମାତ୍ରାରେ ଦେଖିବାକୁ ମିଳିଥିଲା । ବୋମାଇ ସରକାର ବିରୋଧରେ ଲୋକଙ୍କ ମନରେ ଥିବା ଅସନ୍ତୋଷ ଭୋଟରେ ବଦଳିଥିଲା । । ତେବେ ସୂଚନା ମୁତାବକ, ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଏନେଇ ଆଭାସ ପାଇଥିଲେ, ଦିଲ୍ଲୀରେ ମଧ୍ୟ ଏହାକୁ ନେଇ ମିଟିଂ ହୋଇଥିଲା । ହେଲେ କୌଣସି ଫଳାଫଳ କିନ୍ତୁ ଦେଖିବାକୁ ମିଳିନଥିଲା । ପିଏମ୍ ମୋଦୀଙ୍କ ନେତୃତ୍ୱରେ ଦଳ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ ବି, ସତ୍ତା ବିରୋଧୀ ହାୱା କାରଣରୁ ୩୫ ବର୍ଷ ଧରି ଚାଲିଆସିଥିବା ସରକାର ପରିବର୍ତ୍ତନର ପରମ୍ପରା ଏଥର ମଧ୍ୟ କାୟମ୍ ରହିଥିଲା ।
ନ୍ୟାସନାଲ ମୁଦ୍ଦା ଉପରେ ସ୍ଥାନୀୟ ମୁଦ୍ଦା ଭାରି
ଏଥର କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସ ମୁଖ୍ୟତଃ ସ୍ଥାନୀୟ ମୁଦ୍ଦାକୁ ସାମ୍ନାକୁ ଆଣିଥିଲା । ଯେମିତି କି ଭ୍ରଷ୍ଟାଚାର ମୁଦ୍ଦାକୁ କଂଗ୍ରେସ ଜୋରସୋରରେ ପ୍ରଚାରରେ ଉଠାଇଥିଲା, ଆଉ ସରକାର ବିରୋଧୀ ହାୱା ଭିତରେ କଂଗ୍ରେସର ଏହି ଗେମ୍ ପ୍ଲାନ୍ ସଠିକ୍ ମଧ୍ୟ ସାବ୍ୟସ୍ତ ହୋଇଥିଲା । ଗୋଟିଏ ପଟେ ବିଜେପି ଜାତୀୟ ମୁଦ୍ଦାକୁ ନେଇ ପ୍ରଚାର ମୈଦାନକୁ ଓହ୍ଲାଉଥିବାବେଳେ, କଂଗ୍ରେସ କିନ୍ତୁ ଲୋକାଲ ମୁଦ୍ଦାକୁ ନେଇ ରଣନୀତି ପ୍ରସ୍ତୁତ କରିଥିଲା । ଯାହା ଦଳକୁ ଆଜି ବଡ ବିଜୟ ଦେବାରେ ପ୍ରମୁଖ ଭୂମିକା ନେଇଥିବା କୁହାଯାଉଛି ।
ୟେଦୁରପ୍ପାଙ୍କୁ ଅଣଦେଖା କରିବା ପଡିଲା ଭାରି
କର୍ଣ୍ଣାଟକରେ ବିଜେପି ପରାଜୟ ପଛର ଆଉ ଏକ ବଡ କାରଣ ହେଲା ଦଳର ସବୁଠୁ ଅନୁଭବୀ ନେତା ବିଏସ୍ ୟେଦୁରପ୍ପାଙ୍କୁ ଅଣଦେଖା କରିବା । ଏହାସତ ଯେ, କର୍ଣ୍ଣାଟକରେ ବିଏସ୍ ୟେଦୁରପ୍ପା ହେଉଛନ୍ତି ବିଜେପିର ସବୁଠୁ ଲୋକପ୍ରିୟ ନେତା । ତେଣୁ ବିଜେପି ତାଙ୍କୁ ଯେତେବେଳେ ମାର୍ଗଦର୍ଶନ ମଣ୍ଡଳରେ ସାମିଲ କଲା, ସେତେବେଳେ ଏହି ନିଷ୍ପତ୍ତିକୁ ନେଇ ଲିଙ୍ଗାୟତ ସମୁଦାୟ ଖୁସି ନଥିଲା । ଫଳସ୍ୱରୂପ ଲିଙ୍ଗାୟତ ବହୁଳ ଅଞ୍ଚଳରେ ବିଜେପି ପଛରେ ପଡିବା ସହିତ ଅଧିକ ସିଟ୍ ଜିତିବାକୁ ସକ୍ଷଣ ହୋଇନଥିଲା । ମହାରାଷ୍ଟ୍ର-କର୍ଣ୍ଣାଟକ ସୀମାବର୍ତ୍ତୀ ଅଞ୍ଚଳରେ ଗତଥର ବିଜେପି ୩୦ ସିଟ୍ ଜିତିଥିବାବେଳେ, ଏଥର କିନ୍ତୁ ଏହାର ପରିମାଣ ୧୪ ତଳକୁ ଖସିଆସିଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଲିଙ୍ଗାୟତ ସମୁଦାୟରୁ ଆସୁଥିଲେ ବି, ତାଙ୍କର ପ୍ରଭାବ ଲୋକଙ୍କ ଉପରେ ସେତେଟା ପଡିନଥିବା ଦେଖିବାକୁ ମିଳିନଥିଲା ।
ବିଜେପିକୁ ଭାରିପଡିଲା ଧ୍ରୁବୀକରଣ ରାଜନୀତି!
କର୍ଣ୍ଣାଟକରେ ଧ୍ରୁବୀକରଣ ରାଜନୀତିକୁ ଲୋକ ପସନ୍ଦ କରିନାହାଁନ୍ତି । ବଜରଙ୍ଗ ଦଳର ତୁଳନା ବଜରଙ୍ଗବଲୀଙ୍କ ସହ କରିବା ବିଜେପି ପାଇଁ ଭାରିପଡିଛି । କଂଗ୍ରେସ ନିଜର ନିର୍ବାଚନୀ ଇସ୍ତହାରରେ କହିଥିଲା ଯେ, ଇଲେକ୍ସନ ଜିତିଲେ ବଜରଙ୍ଗଦଳକୁ ବ୍ୟାନ୍ କରିବ । ଏହି ମୁଦ୍ଦାକୁ ବିଜେପି ମଧ୍ୟ ଉଠାଇ, କଂଗ୍ରେସକୁ କାଉଣ୍ଟର କରିଥିଲା । ଖୋଦ୍ ପିଏମ୍ ମୋଦୀ ମଧ୍ୟ ଏହି କଥା ରାଲିରେ ଉଠାଇଥିଲେ । ହେଲେ ଏହାର ପ୍ରଭାବ କିନ୍ତୁ ଲୋକଙ୍କ ଉପରେ ପଡିନି । ଅନ୍ୟପଟେ ନିର୍ବାଚନ ପୂର୍ବରୁ ବିଜେପି ସଂରକ୍ଷଣ କାର୍ଡ ଖେଳିଥିଲା । ଅଳ୍ପସଂଖ୍ୟକ ମୁସଲିମଙ୍କ ୪ ପ୍ରତିଶତ ସଂରକ୍ଷଣକୁ କାଟି ଏହାକୁ ଲିଙ୍ଗାୟତ ଓ ବୋକ୍କାଲିଙ୍ଗାଙ୍କ ଭିତରେ ବାଣ୍ଟି ଦେଇଥିଲା । ତା ସହିତ ଫିଲ୍ମ କେରଳ ଷ୍ଟୋରୀ କଥା ମଧ୍ୟ କର୍ଣ୍ଣାଟକରେ ଉଠିଥିଲା । ହେଲେ ଏ ସବୁ ଭିତରେ ବି ବିଜେପିକୁ ପରାଜୟ ଭୋଗିବାକୁ ପଡିଛି ।କର୍ଣ୍ଣାଟକ ବିଜେପିରେ ଗୋଷ୍ଠୀକନ୍ଦଳ
କର୍ଣ୍ଣାଟକ ବିଜେପିରେ ଗୋଷ୍ଠୀ କନ୍ଦଳ ଦଳ ପାଇଁ କ୍ଷତିକାରୀ ସାବ୍ୟସ୍ତ ହୋଇଛି । ଗୋଟିଏ ପଟେ କଂଗ୍ରେସ ବେଳ ଥାଉ ନିଜର କନ୍ଦଳକୁ ବୁଝି ଏହାର ସମାଧାନ ପାଇଁ ଆଗକୁ ବଢିଥିଲା । ହେଲେ କର୍ଣ୍ଣାଟକ ବିଜେପିରେ କିନ୍ତୁ ଲଗାତାର ଦଳୀୟ କନ୍ଦଳ ରହିଥିଲା ବୋଲି ରାଜନୈତିକ ପଣ୍ଡିତମାନେ କହୁଛନ୍ତି । ୟେଦୁରପ୍ପାଙ୍କୁ ସାଇଡ୍ ଲାଇନ୍ କରିବା ପରେ ଦଳରେ କନ୍ଦଳ ବଢିଯାଇଥିଲା । ନିର୍ବାଚନର କିଛି ଦିନ ପୂର୍ବରୁ ହିଁ ୟେଦୁରପ୍ପା ଜଗଦୀଶ ସେଟ୍ଟରଙ୍କ ପାଇଁ ପ୍ରଚାର କରିଥିଲେ । ହେଲେ ଜଗଦୀଶ କଂଗ୍ରେସ ଶିବିରରେ ସାମିଲ ହେବା ସହିତ ଲିଙ୍ଗାୟତ ଭୋଟକୁ ନିଜ ପକ୍ଷରେ ନେଇଥିବା କୁହାଯାଉଛି । ଯାହାର ପ୍ରଭାବ ସିଟ୍ ସଂଖ୍ୟା ଉପରେ ମଧ୍ୟ ପଡିଛି ।
ତେବେ ଏ ସବୁ ଭିତରେ କର୍ଣ୍ଣାଟକରେ କଂଗ୍ରେସକୁ ମିଳିଛି ବଡ ବିଜୟ । ଦଳ ପୁଣିଥରେ ଦକ୍ଷିଣ ଭାରତର ଏହି ରାଜ୍ୟରେ ସରକାର ଗଢିବାକୁ ଯାଉଛି । ତେବେ ବିଜେପି ଏଠି କାହିଁକି ହାରିଲା, କାହିଁକି ପୁଣିଥରେ ସରକାର ଗଠନ କରିବାକୁ ଅକ୍ଷମ ହେଲା, ସେ ନେଇ ଚାଲିଛି ଚର୍ଚ୍ଚା ଆଲୋଚନା ।