କର୍ଣ୍ଣାଟକ କୁରୁକ୍ଷେତ୍ର : ୨୦୧୯ ଉପରେ ରହିପାରେ ନିର୍ବାଚନ ଫଳାଫଳର ପ୍ରଭାବ । ମୋଦି ଓ ରାହୁଲଙ୍କ ପାଇଁ ଅଗ୍ନିପରୀକ୍ଷାର ବେଳ

34

କନକ ବ୍ୟୁରୋ: କର୍ଣ୍ଣାଟକରେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, କଂଗ୍ରେସ ଓ ଜେଡିଏସର ସରକାର ଗଠନ ନେଇ ଦାବି ଭିତରେ ଆଜି ଖୋଲିବ ଇଭିଏମ । ସ୍ପଷ୍ଟ ହୋଇଯିବ କାହା ସପକ୍ଷରେ ଯାଇଛି ଜନାଦେଶ । ମୋଦିଙ୍କ ଲୋକପ୍ରିୟତା ନା ରାହୁଲଙ୍କ ନେତୃତ୍ୱ କାହାର ପ୍ରଭାବ କାମ ଦେଇଛି ଦକ୍ଷିଣରେ । କର୍ଣ୍ଣଟକ ବିଧାନସଭାର ୨୨୪ ଆସନରୁ ୨୨୨ଟିରେ ଭୋଟ ପଡିଥିବାବେଳେ ମ୍ୟାଜିକ ନମ୍ବର ୧୧୩ କେହି ଛୁଇଁପାରିବେ ନାହିଁ ବୋଲି ଆକଳନ କରିଛନ୍ତି ଏକଜିଟ ପୋଲ ସଂସ୍ଥା । ଆଉ କିଙ୍ଗମେକର ସାଜିବାକୁ ଯାଉଥିବା ଜେଡିଏସର ସମର୍ଥନ ହାସଲ ପାଇଁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି ବିଜେପି ଓ କଂଗ୍ରେସ । ଏହାରି ଭିତରେ ଗତକାଲି ତିନିଟି ବୁଥରେ ହୋଇଛି ସାନି ଭୋଟିଂ । ଉତର ବେଙ୍ଗାଳୁରୁର ହିବଲ ଓ କୋପାଲା ଜିଲ୍ଲା କୁସ୍ତଗିରେ ଦୁଇଟି ବୁଥରେ ହୋଇଛି ମତଦାନ । ଯାହାର ଫଳାଫଳ ମଧ୍ୟ ଆଜି ପ୍ରକାଶ ପାଇବ ।

୧ ନିର୍ବାଚନ, ୩ ଦଳ, ୫ ସମ୍ଭାବନା

କର୍ଣ୍ଣାଟକ ବିଧାନସଭା ପାଇଁ ଭୋଟ୍ ପଡିବା ପରେ ବିଭିନ୍ନ ଏକଜିଟ ପୋଲ ସଂସ୍ଥା ଫଳାଫଳକୁ ନେଇ ଯେଉଁ ପୂର୍ବନୁମାନ କରିଛନ୍ତି, ସେଥିରେ କୌଣସି ଦଳକୁ ଏକକ ସଂଖ୍ୟାଗରିଷ୍ଠତା ମିଳିବା ସମ୍ଭାବନା କମ୍ । କେତେକ ଏକଜିଟ ପୋଲ ବିଜେପିକୁ ଆଗରେ ରଖିଥିବାବେଳେ ଆଉ କେତେକ ସଂସ୍ଥା କଂଗ୍ରେସ ବଡଦଳ ଭାବେ ଉଭାହେବ ବୋଲି କହିଛନ୍ତି । ଆଉ ସରକାର ଗଠନରେ ପ୍ରମୁଖ ଭୂମିକା ନେବ ଦେବେଗୌଡାଙ୍କ ଜେଡିଏସ । ଯାହାକୁ ନେଇ ରାଜନୀତି ପଣ୍ଡିତ ମାନେ କର୍ଣ୍ଣଟକର ଚିତ୍ର ଆଙ୍କିବା ଆରମ୍ଭ କରିଛନ୍ତି ।

୧-କଂଗ୍ରେସ ଏକକ ସଂଖ୍ୟାଗରିଷ୍ଠତା ହାସଲ କଲେ

ବର୍ତମାନର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ପୁଣିଥରେ ମୁଖ୍ୟମନ୍ତ୍ରୀ ଆସନରେ ବସିପାରନ୍ତି । ଆଉ ମ୍ୟାଜିକ ନମ୍ବର ୧୧୩ ଛୁଇଁବାକୁ ଅଳ୍ପ କୋତେଟି ସିଟ ଆବଶ୍ୟକ ପଡିଲେ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ଲୋଡିପାରନ୍ତି । ୨୦୧୯ ସାଧାରଣ ନିର୍ବାଚନକୁ ଆଖିରେ ରଖି ଜଣେ ଦଳିତଙ୍କୁ ନେତୃତ୍ୱ ଦେବା ସପକ୍ଷରେ ହେଉଥିବା ଯୁକ୍ତିକୁ ମଧ୍ୟ ଗ୍ରୀନସିଗନାଲ ଦେଇସାରିଛନ୍ତି ସିଦ୍ଧରମୈୟା । ଅର୍ଥାତ ହାଇକମାଣ୍ଡ ଚାହିଁଲେ ମୁଖ୍ୟମନ୍ତ୍ରୀ ପଦ ଛାଡି ପାରନ୍ତି ସିଦ୍ଧରମୈୟା ।

୨-ବିଜେପି ମ୍ୟାଜିକ ନମ୍ବର ୧୧୩ ଛୁଇଁଲେ

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ପସନ୍ଦ ବିଏସ ୟେଦିୟୁରପ୍ପା ହେବେ ମୁଖ୍ୟମନ୍ତ୍ରୀ । ଦଳିତ ବିରୋଧୀ ଟ୍ୟାଗ ହଟାଇବାକୁ ଏବଂ ୨୦୧୯କୁ ଆଖିରେ ରଖି ଜଣେ ଦଳିତ ନେତାଙ୍କୁ ଉପ-ମୁଖ୍ୟମନ୍ତ୍ରୀ କରିପାରେ ଗେରୁଆ ପାର୍ଟି । ଏଥିପାଇଁ ଚର୍ଚ୍ଚାରେ ରହିଛି ବେଲାରୀ ସାଂସଦ ବି. ଶ୍ରୀରାମଲ୍ଲୁଙ୍କ ନାଁ । ମ୍ୟାଜିକ ନମ୍ବର ପାଇଁ ଅଳ୍ପସିଟ ଆବଶ୍ୟକ ପଡିଲେ ସ୍ୱାଧୀନଙ୍କ ସମର୍ଥନ ନେଇପାରେ ବିଜେପି ।

୩-ଜେଡିଏସ୍ କିଙ୍ଗମେକର ଭୂମିକାରେ ରହିଲେ

ସମସ୍ତ ଏକଜିଟ ପୋଲ ପୂର୍ବାନୁମାନ ଅନୁସାରେ ତୃତୀୟରେ ରହିବ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡାଙ୍କ ପାର୍ଟି ଜେଡିଏସ । କଂଗ୍ରେସ କିମ୍ବା ବିଜେପି ବଡଦଳ ହୋଇ ତିନିଅଙ୍କ ଛୁଇଁ ନପାରିଲେ ସରକାର ଗଠନ ପାଇଁ ଜେଡିଏସର ସମର୍ଥନ ଆବଶ୍ୟକ କରିବେ । ଆଉ ସରକାରକୁ ବାହାରୁ ସମର୍ଥନ ଯୋଗାଇ ମୁଖ୍ୟମନ୍ତ୍ରୀ ଆସନରେ ବସିପାରନ୍ତି ଜେଡିଏସ ମୁଖ୍ୟ ଏଚଡି କୁମାରସ୍ୱାମୀ ।

୪- କଂଗ୍ରେସ ବଡଦଳ ଭାବେ ଉଭାହେଲେ

ଜେଡିଏସର ସମର୍ଥନ ହାସଲ କରି କଂଗ୍ରେସ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ଯୋଗାଡ କରିପାରିଲେ କିନ୍ତୁ ମୁଖ୍ୟମନ୍ତ୍ରୀ ହୋଇନପାରନ୍ତି ସିଦ୍ଧରମୈୟା । କାରଣ କୁମାରସ୍ୱାମୀ ଓ ସିଦ୍ଧରମୈୟାଙ୍କ ମଧ୍ୟରେ ବଡଧରଣ ବିଭେଦ ରହିଛି । ଆଉ ପଞ୍ଜାବ, ମିଜୋରାମ, ପୁଡୁଚେରୀ ପରେ କର୍ଣ୍ଣଟକରେ କ୍ଷମତା ବଜାୟ ଲକ୍ଷ୍ୟରେ ସାଲିସ କରିପାରେ କଂଗ୍ରେସ । ତେଣୁ କୁମାରସ୍ୱାମୀଙ୍କୁ ଖୁସି କରିବା ଲାଗି ଦଳିତ ଚେହେରା ତଥା ଅନୁଭବୀ ନେତା ମଲ୍ଲିକାର୍ଜୁନ ଖାରଗେଙ୍କୁ ଆଗକୁ ଆଣିପାରେ । ଆଉ ଦୁଇଦଳର ନେତା ଅଢେଇବର୍ଷ ଲେଖାଏଁ ମୁଖ୍ୟମନ୍ତ୍ରୀ ପଦରେ ବସିବାକୁ ହୋଇପାରେ ବୁଝାମଣା ।

୫-ବିଜେପି ବଡଦଳ ହୋଇ ସାମ୍ନାକୁ ଆସିଲେ

ବିଜେପି ଯଦି ସରକାର ଗଠନ ପାଇଁ ଜେଡିଏସର ସମର୍ଥନ ହାସଲ କରିପାରିଲା ତେବେ ଉଭୟ ୩୦ ମାସ ଲେଖାଏଁ ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ହୋଇପାରେ ସହମତି । ତେବେ ପୂର୍ବରୁ ଧୋକା ଖାଇଥିବା ୟେଦିୟୁରପ୍ପା ଏଥର ପ୍ରଥମେ ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଦାବି କରିପାରନ୍ତି । ଏବଂ ପରବର୍ତୀ ୩୦ ମାସ ପାଇଁ କୁମାରସ୍ୱାମୀଙ୍କୁ ଆସନ ଛାଡିପାରନ୍ତି ।

ତେବେ ୧୨ ତାରିଖରେ କର୍ଣ୍ଣାଟକ ଭୋଟ ପରେ ଆସିଥିବା ବୁଥବାହୁଡା ମତକୁ ନେଇ ଏହି ସମ୍ଭାବନା ପ୍ରକାଶ ପାଇଛି । ହେଲେ ଭୋଟ ଗଣତି ପୂର୍ବରୁ ଏକଜିଟ ପୋଲ ପୂର୍ବାନୁମାନକୁ ଭୁଲ କହି ସରକାର ଗଠନ ପାଇଁ ଦାବି କରିଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, କଂଗ୍ରେସ ଓ ଜେଡିଏସ । କିନ୍ତୁ କର୍ଣ୍ଣଟକରେ କିଙ୍ଗମେକର ସାଜିବାକୁ ଯାଉଥିବା ଜେଡିଏସ ସହ ବ୍ୟାକଡୋର ଆଲୋଚନା ଜାରି ରଖିଛନ୍ତି କଂଗ୍ରେସ ଓ ବିଜେପି ।