କନକ ବ୍ୟୁରୋ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜେପି ନିଜର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି । ୧୮୯ ସିଟ୍ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରି ସାରିଥିବାବେଳେ, ଅନେକ ନେତାଙ୍କ ଏଥର ଟିକେଟ୍ କଟିଛି । ଏମିତି କି ୧୧ ଜଣ ସିଟିଂ ବିଧାୟକଙ୍କ ମଧ୍ୟ ଟିକେଟ୍ କାଟିଦେଇଛି ଶାସକ ବିଜେପି । ହେଲେ ଏହାରି ଭିତରେ ଯେଉଁ ନେତାଙ୍କୁ ନେଇ ଏବେ କର୍ଣ୍ଣାଟକ ବିଜେପିରେ ସବୁଠୁ ଅଧିକ ଚର୍ଚ୍ଚା ହେଉଛି, ସେ ହେଉଛନ୍ତି ଏସ୍ ଇଶ୍ୱରପ୍ପା ।

Advertisment

ବିଜେପି ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିବା ପୂର୍ବରୁ ଇଶ୍ୱରପ୍ପା ରାଜନୀତିରୁ ସନ୍ନ୍ୟାସ ଘୋଷଣା କରି ଦେଇଛନ୍ତି । ହେଲେ ତାଙ୍କର ଏହି ଘୋଷଣା ଏବେ କର୍ଣ୍ଣାଟକ ବିଜେପି ପାଇଁ ବୁମେରାଂ ସାବ୍ୟସ୍ତ ହେବାକୁ ବସିଲାଣି । ଇଶ୍ୱରପ୍ପାଙ୍କ ସନ୍ନ୍ୟାସ ଘୋଷଣା ପରେ ଏବେ ଏକାଧିକ ବିଜେପି ନେତା ଦଳରୁ ଇସ୍ତଫା ଦେବା ଆରମ୍ଭ କରିଦେଇଛନ୍ତି ।

କର୍ଣ୍ଣାଟକ ବିଜେପିରେ ଇଶ୍ୱରପ୍ପାଙ୍କ ଇସ୍ତଫାର ସାଇଡ୍ ଇଫେକ୍ଟ ଦେଖିବାକୁ ମିଳିଛି । ପାର୍ଟିର ଅନେକ ନେତା ସାମ୍ନାକୁ ଆସି ଇସ୍ତଫା ଦେବା ଆରମ୍ଭ କରିଛନ୍ତି । ୧୯ ନଗର ନିଗମ ସଦସ୍ୟ ଦଳରୁ ଇସ୍ତଫା ଦେଇଛନ୍ତି । ତା ସହିତ ମେୟର ଏବଂ ଡେପୁଟି ମେୟର ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଖାଲି ସେତିକି ନୁହେଁ, ଶିବମୋଗା ଜିଲ୍ଲାର ବିଜେପି ଅଧ୍ୟକ୍ଷ ମଧ୍ୟ ଇଶ୍ୱରପ୍ପାଙ୍କ ସମର୍ଥନରେ ଯାଇ ଇସ୍ତଫା ଦେଇଛନ୍ତି । ଯାହା ବିଜେପି ପାଇଁ ଏବେ ମୁଣ୍ଡବିନ୍ଧାର କାରଣ ସାଜିଛି ।

ବର୍ତ୍ତମାନ ପାଇଁ ଇଶ୍ୱରପ୍ପାଙ୍କ ଇସ୍ତଫାକୁ ଅନେକ ଲୋକ ପ୍ରଂଶସା କରୁଛନ୍ତି । ଇଶ୍ୱରପ୍ପା ଇସ୍ତଫା ଦେବା ସହିତ ଯୁବ ବର୍ଗଙ୍କୁ ସୁଯୋଗ ଦେଉଥିବା କଥା କୁହାଯାଉଛି । ତେବେ ଇଶ୍ୱରପ୍ପାଙ୍କ ବୟସ ୭୫ ବର୍ଷରୁ ଅଧିକ ହେଇଥିବାରୁ ବିଜେପିର ନିୟମ ମୁତାବକ, ସେ ନିର୍ବାଚନ ଲଢୁନାହାଁନ୍ତି । ହେଲେ ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ତାଙ୍କର ସନ୍ନ୍ୟାସ ଘୋଷଣା ଏବେ ବିଜେପି ପାଇଁ ବଡ ଅସୁବିଧା ସୃଷ୍ଟି କରିଛି ।

ସୂଚନାଯୋଗ୍ୟ ଯେ, ବିଜେପି ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ ବଡ ଝଟକା ଖାଇଛି । ପୂର୍ବ ଡେପୁଟି ସିଏମ୍ ଲକ୍ଷ୍ମଣ ସାବଡୀ ପାର୍ଟି ଟିକେଟ୍ ନଦେବା ପରେ ସେ ଦଳ ଛାଡିବାକୁ ଘୋଷଣା କରିଛନ୍ତି । କୁହାଯାଉଛି ସେ ଖୁବଶୀଘ୍ର କଂଗ୍ରେସରେ ସାମିଲ ହୋଇପାରନ୍ତି । ତେବେ ଗତଥର କର୍ଣ୍ଣାଟକରେ କଂଗ୍ରେସ ସରକାରକୁ ପଛରେ ପକାଇ ବିଜେପି ସେଠାରେ ଶାସନ କ୍ଷମତା ଅକ୍ତିଆର କରିଥିଲା ।