କିଏ ଜିତିବ କର୍ଣ୍ଣାଟକ : ବିଭିନ୍ନ ଗଣମାଧ୍ୟମର ଏକଜିଟ୍ ପୋଲ ପରେ ବଢିଲା ଦ୍ୱନ୍ଦ୍ୱ, ସରକାର ଗଢିବାକୁ ଦାବି କଲେ ତିନି ପ୍ରମୁଖ ଦଳ କଂଗ୍ରେସ, ବିଜେପି, ଜେଡିଏସ

56

କନକ ବ୍ୟୁରୋ : କର୍ଣ୍ଣାଟକର କିଙ୍ଗ କିଏ ? ଏକଜିଟ୍ ପୋଲ ସର୍ଭେ ପରେ ବଢିଲା ଦ୍ୱନ୍ଦ୍ୱ । କର୍ଣ୍ଣାଟକରେ କିଏ ସରକାର ଗଢିବ ଏହାକୁ ନେଇ ଆରମ୍ଭ ହୋଇଛି ଅଙ୍କ କଷା । ତିନି ପ୍ରମୁଖ ଦଳ ସରକାର ଗଢ଼ିବାକୁ ଦାବି କରୁଛନ୍ତି । ବିଜେପି ୧୫୦ରୁ ଅଧିକ ଆସନରେ ଜିତିବ ବୋଲି କହୁଥିବାବେଳେ କଂଗ୍ରେସ ୧୨୦ରୁ ଅଧିକ ଆସନରେ ଜିତିବ ବୋଲି ଦୃଢ଼ୋକ୍ତି କରିଛି । ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି.ଦେବଗୈାଡାଙ୍କ ଜେଡିଏସ୍ ମଧ୍ୟ ସରକାର ଗଠନ କରିବ ବୋଲି ଦାବି କରିଛନ୍ତି । ତେବେ ଭୋଟ ଶେଷ ହେବା ପରେ ବିଭିନ୍ନ ସର୍ଭେ ସଂସ୍ଥା ପକ୍ଷରୁ ପ୍ରକାଶ ପାଇଥିବା ଏକଜିଟ୍ ପୋଲ୍ ରିପୋର୍ଟ ସମସ୍ତଙ୍କୁ ଆଶଙ୍କାରେ ପକାଇ ଦେଇଛି ।

କିଏ ଗଢ଼ିବ ସରକାର? ଟାଇମ୍ସ-ନାଓଁ ଟୁ-ଡେ’ଜ ଚାଣକ୍ୟ ଓ ଏବିପି-ସି-ଭୋଟରର ରିପୋର୍ଟ ଯଦି ସତ ହୁଏ ତେବେ ବିଜେପି ଏକକ ସଂଖ୍ୟା ଗରିଷ୍ଠତା ପାଇ ସରକାର ଗଢ଼ିବ । ସେହିପରି ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆର ରିପୋର୍ଟ ସତ ହେଲେ କଂଗ୍ରେସ ପୁଣି ସରକାର ଗଢ଼ିବ । ଅନ୍ୟପଟେ ଅନ୍ୟ ତିନୋଟି ଏକଜିଟ ପୋଲ ରିପୋର୍ଟ ସତ ହେଲେ କର୍ଣ୍ଣାଟକରେ କୈାଣସି ଦଳ ସଂଖ୍ୟା ଗରିଷ୍ଠତା ପାଇବ ନାହିଁ । ସେଠି ଝୁଲା ବିଧାନସଭା ହେବ । ଆଉ ଜେଡିଏସ୍ କିଙ୍ଗ ମେକରର ଭୂମିକା ଗ୍ରହଣ କରିବ । ତେଣୁ ଏଠି ସରକାର ଗଠନ କରିବା ପାଇଁ ଉଭୟ କଂଗ୍ରେସ ଓ ବିଜେପି ଶେଷ କସରତ ଆରମ୍ଭ କରିଦେଇଥିବା ସୂଚନା ମିଳିଛି । କାରଣ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହା ଉଭୟ ଦଳ ପାଇଁ ଅଗ୍ନିପରୀକ୍ଷା ।