କର୍ଣ୍ଣାଟକରେ ହେବ କଡା ଟକ୍କର : ଚାଲିଛି ଜୋରଦାର ପ୍ରଚାର, ଗଣମାଧ୍ୟମର ପ୍ରାକ ନିର୍ବାଚନୀ ଆକଳନ କହୁଛି, କାହାକୁ ମିଳିବନି ମ୍ୟାଜିକ ଫିଗର

29

କନକ ବ୍ୟୁରୋ : କିଏ ଜିତିବ କର୍ଣ୍ଣାଟକ । ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ସରଗରମ ହୋଇଛି । କର୍ଣ୍ଣାଟକରେ ଆସନ୍ତା ମାସ ୧୨ ତାରିଖରେ ବିଧାନସଭା ନିର୍ବାଚନ ହେଉଛି । ରାଜ୍ୟରେ କଂଗ୍ରେସ, ବିଜେପି ଓ ଜେଡିଏସ ମଧ୍ୟରେ ତ୍ରିମୁଖୀ ଲଢେଇ ହେବ । ଅଧିକାଂଶ ସର୍ଭେରେ ରାଜ୍ୟରେ ଝୁଲା ବିଧାନସଭା ହେବ ବୋଲି ପୂର୍ବାନୁମାନ କରାଯାଇଛି । ରାଜ୍ୟରେ ଏବେ କଂଗ୍ରେସର ସିଦ୍ଧରମୈୟା ସରକାର କ୍ଷମତାର ଅଛନ୍ତିି । ତେବେ ବିଭିନ୍ନ ସର୍ଭେ ଅନୁସାରେ ରାଜ୍ୟରେ କୌଣସି ଦଳ ସରକାର ଗଢିବା ସ୍ଥିତିରେ ନାହିଁ । ଅଧିକାଂଶ ସର୍ଭେ ଝୁଲା ବିଧାନସଭା ହେବ ବୋଲି ଆକଳନ କରିଛନ୍ତି । ଜେଡିଏସ କିଙ୍ଗ ମେକର ହେବା ଆକଳନ କରାଯାଉଛି । କିନ୍ତୁ ଜେଡିଏସ ନେତା କୁମାର ସ୍ୱାମୀ କହିଛନ୍ତି , ସେ କିଙ୍ଗ ମେକର ନୁହେଁ କିଙ୍ଗ ହେବେ ।

କର୍ଣାଟକରେ ୧୨ ତାରିଖରେ ନିର୍ବାଚନ ହେବ । ୧୫ ତାରିଖରେ ହେବ ଭୋଟ ଗଣତି । କିନ୍ତୁ ବିଭିନ୍ନ ଗଣମାଧ୍ୟମର ପ୍ରାକ ସର୍ଭେ ଅନୁସାରେ ରାଜ୍ୟରେ କ୍ଷମତାସୀନ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର ହେଉଛି । କିନ୍ତୁ କୌଣସି ଦଳକୁ ବହୁମତ ମିଳି ନପାରେ । ଟାଇମ୍ସନାଓ ଭିଏମଆର ସର୍ଭେ ଅନୁସାରେ କଂଗ୍ରେସକୁ ୯୧ଟି ଆସନ ମିଳିବା ସମ୍ଭାବନା ରହିଛି । ସେହିପରି ବିଜେପିକୁ ୮୯, ଜେଡିଏସ-ବିଏସପି ମେଂଟକୁ ୪୦ ଓ ଅନ୍ୟାନ୍ୟଙ୍କୁ ୪ଟି ଆସନ ମିଳିପାରେ । ଇଣ୍ଡିଆ ଟୁଡେ ସର୍ଭେ ଅନୁସାରେ କଂଗ୍ରେସକୁ ୯୦ରୁ ୧୦୧, ବିଜେପିକୁ ୭୮ରୁ ୮୬, ଜେଡିଏସକୁ ୩୪ରୁ ୪୩ ଆସନ ମିଳିପାରେ । ଏବିପିର ସର୍ଭେ ରିପୋର୍ଟ ଅନୁସାରେ କଂଗ୍ରେସକୁ ୮୯ରୁ ୯୫, ବିଜେପିକୁ ୮୫ରୁ ୯୧ ଓ ଜେଡିଏସକୁ ୩୨ରୁ ୩୮ ଆସନ ମିଳିପାରେ । ଏନଟିଭି ଏନଜିର ସର୍ଭେ ଅନୁସାରେ କଂଗ୍ରେସକୁ ୧୦୦ଟି, ବିଜେପିକୁ ୮୦ ଓ ଜେଡିଏସକୁ ୩୮ଟି ଆସନ ମିଳିବା ସମ୍ଭାବନା ରହିଛି ।