କନକ ବ୍ୟୁରୋ : କର୍ଣ୍ଣାଟକରେ ରାଜ୍ୟସଭା ନିର୍ବାଚନ ପାଇଁ ଚାଲିଛି ଭୋଟିଂ । ୪ ଆସନ ପାଇଁ ହେଉଥିବା ନିର୍ବାଚନରେ କଂଗ୍ରେସ ୩ ଆସନ ହାତେଇବା ନିଶ୍ଚିତ ଥିବା ବେଳେ ବିଜେପି ଓ ଜେଡିଏସ ମିଳିତ ଭାବେ ୨ ଜଣ ପ୍ରାର୍ଥୀଙ୍କୁ ମୈଦାନକୁ ଓହ୍ଲାଇ କଂଗ୍ରେସର ଚିନ୍ତା ବଢାଇ ଦେଇଛି । ଯେଉଁଥିପାଇଁ ଏବେ ନମ୍ବରଗେମ ଉପରେ ସମସ୍ତଙ୍କର ନଜର ରହିଛି । ଉଭୟ କଂଗ୍ରେସ ଓ ବିଜେପି-ଜେଡିଏସ ନିଜର ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ ବୋଲି ଦାବି କରୁଥିବା ବେଳେ କ୍ରସ ଭୋଟିଂର ସମ୍ଭାବନା ବଢିଛି ।
କର୍ଣ୍ଣାଟକ ଉପ-ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଅଭିଯୋଗ କରିଛନ୍ତି, ବିଜେପି ଓ ଜେଡିଏସ ପକ୍ଷରୁ କଂଗ୍ରେସ ବିଧାୟକଙ୍କୁ ପ୍ରଲୋଭିତ କରାଯାଉଛି । ତେଣୁ କ୍ରସ ଭୋଟିଂକୁ ରୋକିବାକୁ ନିଜେ ମୋର୍ଚ୍ଚା ସମ୍ଭାଳିଛନ୍ତି ଡିକେ ଶିବକୁମାର । ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ପକ୍ଷରୁ ପୋଲିଂ ଏଜେଣ୍ଟ ସାଜିଛନ୍ତି ଶିବକୁମାର । ଯାହାଦ୍ୱାରା କ୍ରସ ଭୋଟିଂ ସମ୍ଭାବନାକୁ କିଛି ମାତ୍ରାରେ ଏଡାଇ ପାରିବ କଂଗ୍ରେସ । ଏହାପୂର୍ବରୁ କଂଗ୍ରେସ ପକ୍ଷରୁ ସୋମବାର ରାତିରେ ମକ୍ ଭୋଟିଂ କରି ବିଧାୟକ ମାନଙ୍କୁ କେମିତି ଭୋଟ ଦେବେ ତାହାର ଟ୍ରେନିଂ ଦିଆଯାଇଛି । କାରଣ କଂଗ୍ରେସର କିଛି ବିଧାୟକ ଯଦି କ୍ରସ ଭୋଟିଂ କରନ୍ତି ତେବେ ବିଜେପିର ଦ୍ୱିତୀୟ ପସନ୍ଦର ପ୍ରାର୍ଥୀଙ୍କ ବିଜୟ ପାଇଁ ବାଟ ଫିଟିବ । ଏଭଳି ସ୍ଥିତିରେ ରାଜ୍ୟସଭା ଭୋଟିଂ ଉପରେ ସର୍ତକଦୃଷ୍ଟି ରଖିଛି କଂଗ୍ରେସ ।